ଓଡ଼ିଶାଲାଇଭ ବ୍ୟୁରୋ

ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ କୋରାପୁଟ ସାହିତ୍ୟ ଉତ୍ସବର ତୃତୀୟ ସଂସ୍କରଣ ଡିସେମ୍ବର ୨୯ ଓ ୩୦ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ। କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ଏଥର ଉଦ୍‌ଘାଟନୀ ସମାରୋହ ଓ ପୁରସ୍କାର ବିତରଣ କୋରାପୁଟ ପରିବର୍ତ୍ତେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଏନେଇ କଥାକାର ତଥା ଉତ୍ସବ ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି। ତେବେ ଦ୍ୱିତୀୟ ଦିନ କୋରାପୁଟଠାରେ ଉଦ୍‌ଯାପନୀ ସମାରୋହ ହେବ ବୋଲି ସେ କହିଛନ୍ତି।

ପୂର୍ବବର୍ଷମାନଙ୍କ ଭଳି ଚଳିତ ବର୍ଷର ସାହିତ୍ୟ ସମ୍ମାନ ଘୋଷଣା କରାଯାଇଛି। କାହାଣୀ ପାଇଁ ବରିଷ୍ଠ କଥାଶିଳ୍ପୀ ଡକ୍ଟର ପଦ୍ମଜ ପାଳଙ୍କୁ କୋରାପୁଟ ସାହିତ୍ୟ ସମ୍ମାନ ୨୦୨୦ ମିଳିବାକୁ ଥିବା ବେଳେ କବିତା ପାଇଁ ବରିଷ୍ଠ କବି ଅମରେଶ ପଟ୍ଟନାୟକ ଏହି ସମ୍ମାନ ଗ୍ରହଣ କରିବେ। ପୁରସ୍କାର ବାବଦରେ ଉଭୟଙ୍କୁ ୨୧,୦୦୦ ଟଙ୍କା ସହ ମାନପତ୍ର ଓ ସମ୍ମାନ ଫଳକ ପ୍ରଦାନ କରାଯିବ।

ଡିସେମ୍ବର ୨୯ ପୂର୍ବାହ୍‌ଣରେ ସ୍ଥାନୀୟ ହୋଟେଲ ନ୍ୟୁ ମାରିଅନ୍‌ରେ ହେବାକୁଥିବା ସମାରୋହକୁ ଉଦ୍‌ଘାଟନ କରିବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ସେହିପରି ଖ୍ୟାତନାମା ଔପନ୍ୟାସିକ ଡକ୍ଟର ବିଭୂତି ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଉଥିବା ବେଳେ ମୁଖ୍ୟବକ୍ତା ଭାବେ ଯୋଗଦେବେ ବରିଷ୍ଠ କବି ଓ ଚିନ୍ତକ ହରପ୍ରସାଦ ଦାସ।

ଏ ଅବସରରେ ପେନ୍‌ ଇନ୍‌ ବୁକ୍ସ ପ୍ରକାଶିତ ୫ଟି ପୁସ୍ତକ ଉନ୍ମୋଚିତ ହେବ। ଉଦ୍‌ଘାଟନ ପରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ଆଲୋଚନାରେ ରାଜ୍ୟର ଜଣାଶୁଣା କବି, ଲେଖକ ଓ ବୁଦ୍ଧିଜୀବୀ ଯୋଗଦେଇ ନିଜର ମତ ଉପସ୍ଥାପନ କରିବେ।

ଦ୍ୱିତୀୟ ଦିନ କୋରାପୁଟ ଡୁଡୁମା ଜଳପ୍ରପାତ ନିକଟରେ ଦୁଇଟି ଆଲୋଚନା ଚକ୍ର ସମେତ କବିତା ପାଠୋତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଅପରାହ୍‌ଣରେ ବ୍ରାଉନ୍‌ ଭାଲି କଫି ଇଷ୍ଟେଟ୍‌ ପରିସରରେ ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେବ। କୋଭିଡ୍‌ ସଂକଟକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରାଜ୍ୟ ବାହାରୁ କୌଣସି ଲେଖକଙ୍କୁ ନିମନ୍ତ୍ରଣ କରାଯାଉ ନଥିବା ବେଳେ ଦୁଇଦିନର ଉତ୍ସବରେ ମଧ୍ୟ ଖୁବ୍‌ କମ୍‌ ଦର୍ଶକ ଉପସ୍ଥିତି ରହିବେ ବୋଲି ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି।

Comment