ଓଡ଼ିଶାଲାଇଭ୍ ବ୍ୟୁରୋ

“ଭାରତରେ ଏକ ନୂଆ ସାମର୍ଥ୍ୟ ସୃଷ୍ଟି ହୋଇଛି। ଏହି ସାମର୍ଥ୍ୟର ନାଁ ହେଉଛି ଆତ୍ମନିର୍ଭରତା। ଏବେ ଆମ ଦେଶରେ ବିଦେଶୀ ଉତ୍ପାଦନର ବିକଳ୍ପ ସୃଷ୍ଟି ହେଲାଣି। ଏଥିସହ ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ସାମଗ୍ରୀର ଚାହିଦା ବଢ଼ୁଛି, ଯାହାଦ୍ଵାରା ଭାରତ ଏକ ନୂତନ ସମ୍ଭାବନା ଆଡ଼କୁ ଅଗ୍ରସର ହେଉଛି”, ଚଳିତବର୍ଷର ଶେଷ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଏବେ ଭାରତର ସାମର୍ଥ୍ୟ ଓ ଦେଶବାସୀଙ୍କ ସାମୂହିକ ଶକ୍ତିକୁ ବହୁଳ ମାତ୍ରାରେ ପ୍ରଶଂସା କରାଯାଉଛି। କରୋନା ସମୟରେ ପାଳିତ ହୋଇଥିବା ଜନତା କର୍ଫ୍ୟୁ ପରି ଅଭିନବ ପ୍ରୟୋଗ ସାରା ବିଶ୍ଵ ପାଇଁ ପ୍ରେରଣା ସାଜିଛି। କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇ ତାଳି ଓ ଥାଳି ବଜାଇ ଦେଶବାସୀ ଯେଉଁ ଏକତା ଦେଖାଇଛନ୍ତି ତାକୁ ମଧ୍ୟ ଲୋକମାନେ ମନେ ରଖିଛନ୍ତି ବୋଲି ମୋଦୀ କହିଛନ୍ତି।“କରୋନା ସମୟରେ ଆମକୁ ଅନେକ ସଙ୍କଟକୁ ସାମ୍ନା କରିବାକୁ ପଡ଼ିଛି। ଅନେକ ଚାଲେଞ୍ଜ୍ ମଧ୍ୟ ଆସିଛି। କିନ୍ତୁ ଭାରତବାସୀ ପ୍ରତ୍ୟେକ ସଙ୍କଟରୁ ନୂଆ ଶିକ୍ଷା ପାଇଛନ୍ତି। ସମାଜ ଆମକୁ ଅନେକ କିଛି କରି ଦେଖାଇବାର ସାମର୍ଥ୍ୟ ଦେଇଛି। କରୋନା କାଳରେ ଦେଶରେ ନୂଆ ଆଶାର ଏକ ଅଦ୍ଭୁତ ପ୍ରବାହ ଦେଖିବାକୁ ମିଳିଛି। ୨୦୨୧ରେ ଦେଶ ଆହୁରି ଆଗକୁ ବଢ଼ିବ,” ମୋଦୀ କହିଛନ୍ତି।

‘ମନ୍ କି ବାତ୍‌’ରେ ମୋଦୀ ଉଦ୍ୟୋଗୀମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ବର୍ତ୍ତମାନ ଜିରୋ ଇଫେକ୍ଟ ଓ ଜିରୋ ଡିଫେକ୍ଟ ସହିତ କାମ କରିବାର ସମୟ ଆସିଛି। କାରଣ ଦେଶର ଲୋକମାନେ ଆତ୍ମନିର୍ଭର ଭାରତର ସ୍ଵପ୍ନକୁ ସାକାର କରିବା ପାଇଁ ଆଗେଇ ଆସିଛନ୍ତି। ଭୋକାଲ୍ ଫର୍ ଲୋକାଲ୍ ଏବେ ଘରେ ଘରେ ଶୁଣିବାକୁ ମିଳୁଛି। ତେଣୁ ନିଜର ଉତ୍ପାଦଗୁଡ଼ିକ କିଭଳି ବିଶ୍ଵାସଯୋଗ୍ୟ ହୋଇପାରିବ ତାହାକୁ ଉଦ୍ୟୋଗୀମାନେ ସୁନିଶ୍ଚିତ କରିବା ଜରୁରୀ।

ଏହି ଅବସରରେ ମୋଦୀ ଗୁରୁ ଗୋବିନ୍ଦ ସିଂହଙ୍କ ପୁଅ ଜୋରାବର ସିଂହ ଓ ଫତେହ ସିଂହଙ୍କ ତ୍ୟାଗକୁ ସ୍ମରଣ କରିଛନ୍ତି। ଆମ ଦେଶର ପୁରାତନ ସଂସ୍କୃତି, ସଭ୍ୟତା, ରୀତି-ନୀତିକୁ ରକ୍ଷା କରିବା ପାଇଁ ଏହି ମହାପୁରୁଷମାନେ ଦେଇଥିବା ବଳିଦାନକୁ ମନେ ପକାଇବା ଉଚିତ ବୋଲି ମୋଦୀ କହିଛନ୍ତି।‘ମନ୍ କି ବାତ୍‌’ରେ ଗୀତାର ମାହାତ୍ମ୍ୟ ବିଷୟରେ ମଧ୍ୟ ମୋଦୀ ବର୍ଣ୍ଣନା କରିଛନ୍ତି। ଗୀତା ଆମ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପ୍ରେରଣାଦାୟୀ ହୋଇଥାଏ। ଜିଜ୍ଞାସା ନୂଆ ଶିକ୍ଷା ଲାଗି ପ୍ରେରଣା ଯୋଗାଇଥାଏ। ଯେ ପର୍ଯ୍ୟନ୍ତ ଜିଜ୍ଞାସା ଅଛି ସେ ପର୍ଯ୍ୟନ୍ତ ଶିକ୍ଷା ଜାରି ରହିବ ବୋଲି ମୋଦୀ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ମୋଦୀ ଚିତାବାଘଙ୍କ ବିଷୟରେ ମଧ୍ୟ କହିଛନ୍ତି। ୨୦୧୪ରୁ ୨୦୧୮ ମଧ୍ୟରେ ଭାରତରେ ଚିତାବାଘଙ୍କ ସଂଖ୍ୟା ୬୦ ପ୍ରତିଶତ ବଢ଼ିଛି। ୨୦୧୪ରେ ଦେଶରେ ପାଖାପାଖି ୭,୯୦୦ଟି ଚିତାବାଘ ଥିବା ବେଳେ ୨୦୧୯ରେ ଏମାନଙ୍କ ସଂଖ୍ୟା ୧୨,୮୫୨କୁ ବୃଦ୍ଧି ପାଇଛି। ଭାରତୀୟ ଜଙ୍ଗଲଭୂମି ମଧ୍ୟ ବୃଦ୍ଧି ପାଇଥିବା ମୋଦୀ କହିଛନ୍ତି।

Comment