ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ମିଡିଆ ଆୟୋଜିତ ତୃତୀୟ କୋରାପୁଟ ସାହିତ୍ୟ ଉତ୍ସବର ଉଦ୍‌ଘାଟନୀ ସଭା ଭୂବନେଶ୍ୱରରେ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ହୋଟେଲ ନ୍ୟୁ ମାରିଅନ୍‌ରେ ଅନୁଷ୍ଠିତ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ଏ ଅବସରରେ ପ୍ରସିଦ୍ଧ କଥାଶିଳ୍ପୀ ପଦ୍ମଜ ପାଳ ଓ ଜଣାଶୁଣା କବି ଅମରେଶ ପଟ୍ଟନାୟକଙ୍କୁ ଚଳିତ ବର୍ଷ ପାଇଁ କୋରାପୁଟ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦରେ ସେମାନଙ୍କୁ ୨୧ ହଜାର ଟଙ୍କା, ମାନପତ୍ର, ଉପଢୌକନ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା।

ଉତ୍ସବରେ ପ୍ରସିଦ୍ଧ ଔପନ୍ୟାସିକ ବିଭୂତି ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ କବି ହରପ୍ରସାଦ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ଓଡ଼ିଆ ମିଡିଆ ନିର୍ଦ୍ଦେଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡା।

ଏ ଅବସରରେ ଇଂରାଜୀ କବିତା ସଂକଳନ ‘ଏ ଲଷ୍ଟ୍‌ ହେଭେନ୍’ ପାଇଁ ଚଳିତ ବର୍ଷର ପେନ୍‌ ଇନ୍‌ ବୁକ୍ସ ବେଷ୍ଟ୍‌ ସେଲର୍‌ ପୁରସ୍କାର କବି କଳ୍ପାଶା ଅଙ୍କିତା ଶ’ଙ୍କୁ ଦିଆଯାଇଥିଲା। ପେନ୍‌ ଇନ୍‌ ବୁକ୍ସ ପ୍ରକାଶିତ ୫ଟି ବହି ଏ ଅବସରରେ ଉନ୍ମୋଚିତ ହୋଇଥିଲା।

ଉଦ୍‌ଘାଟନୀ ଉତ୍ସବ ପରେ ଉଭୟ ପୁରସ୍କାର ପ୍ରାପକଙ୍କ ସହ ଏ ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା। ଅମରେଶ ପଟ୍ଟନାୟକଙ୍କ ସହ ବରିଷ୍ଠ କବି ରକ୍ଷଖ ନାୟକ କଥାବାର୍ତ୍ତା କରିଥିବା ବେଳେ ପଦ୍ମଜପାଳଙ୍କୁ ପ୍ରଶ୍ନ ପଚାରିଥିଲେ କବି ଓ ସମାଲୋଚକ ଦେବାଶିଷ ମିଶ୍ର।

ଏହା ପରେ ‘ଓଡ଼ିଆ କାହାଣୀ: ସମସାମୟିକ ଓ ଶାସ୍ତ୍ରୀୟ’ ଶୀର୍ଷକ ଏକ ସଂପାନରେ ଦାଶ ବନହୁର, ଡକ୍ଟର ଗୌରହରି ଦାସ, ସରୋଜିନୀ ସାହୁ ଓ ପରେଶ ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ। ଏହି ଆଲୋଚନା ଚକ୍ର ପରିଚାଳନା କରିଥିଲେ ଅମରେଶ ବିଶ୍ୱାଳ। ପରେ ପରେ ‘ଓଡ଼ିଆ କବିତା: ବିବିଧତା ନା ବିଭାଜନ’ ଶୀର୍ଷକ ଆଲୋଚନାରେ କବି ପ୍ରଦୀପ ବିଶ୍ୱାଳ, ଜ୍ଞାନ ହୋତା ଓ କେଦାର ମିଶ୍ର ଯୋଗ ଦେଇଥିଲେ। ଏହାକୁ ପରିଚାଳନା କରିଥିଲେ ନବ ଜ୍ୟୋତି ରାୟ। ଶେଷରେ ଅନୁଷ୍ଠିତ କବିତା ପାଠୋତ୍ସବରେ ୨୦ରୁ ଅଧିକ କବି ଭାଗ ନେଇଥିଲେ। ଏହାକୁ ସଂଯୋଜନା କରିଥିଲେ ଯୁବ କବି ଚକ୍ରଧର ପାତ୍ର। ଆଜିର ଉତ୍ସବକୁ ପରିଚାଳନା କରିଥିଲେ କବି ମୃତ୍ୟୁଞ୍ଜୟ ରଥ।

ବୁଧବାର ଉତ୍ସବର ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ କୋରାପୁଟର ଡୁଡୁମା ଜଳପ୍ରପାତ ନିକଟରେ ଅନୁଷ୍ଠିତ ହେବ। ଏଥିପାଇଁ ଭୁବନେଶ୍ୱରରୁ ୪୦ ଜଣ ଲେଖକ କୋରାପୁଟ ଅଭିମଖେ ବାହାରିଛନ୍ତି। ପୂର୍ବ ଦୁଇ ବର୍ଷର ଉତ୍ସବ କୋରାପୁଟରେ ହେଉଥିବା ବେଳେ ଏଥର କୋଭିଡ୍‌ କାରଣରୁ ଉଦ୍‌ଘାଟନୀ ଉତ୍ସବ ଭୁବନେଶ୍ୱରରେ ହୋଇଥିଲା।

Comment