ଓଡ଼ିଶାଲାଇଭ୍ ବ୍ୟୁରୋ

ନକଲି ଖାଦ୍ୟସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ।

ବର୍ଷ ୨୦୨୦ରେ କଟକର ମାଟି, ପାଣି, ପବନକୁ ଛାଡ଼ିଦେଲେ ପ୍ରାୟ ସବୁଥିରେ ଲାଗିଥିଲା ନକଲିର ଛାପ। ଘିଅଠାରୁ ପନିର୍, ମସଲା ଗୁଣ୍ଡ, ଟମୋଟୋ ସସ୍ ସବୁ ଜିନିଷର ନକଲି ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରିଥିଲା କମିସନରେଟ ପୋଲିସ। ସହରର ମାଲଗୋଦାମ ଏବଂ ଜଗତପୁର ଶିଳ୍ପାଞ୍ଚଳ ଏବଂ ଜିଲ୍ଲାର ଉପକଣ୍ଠ ଅଞ୍ଚଳରୁ କୋଟି କୋଟି ଟଙ୍କାର ନକଲି ହଳଦୀ ଗୁଣ୍ତ, ଲଙ୍କା ଗୁଣ୍ତ, ମସଲା, ଘିଅ, ଟମୋଟୋ ସସ୍, ଖାଇବା ତେଲ ଆଦି ଜବତ ହୋଇଥିଲା। ନଭେମ୍ଵର ମାସରୁ ଆରମ୍ଭ ହୋଇଥିବା ଏହି ଚଢ଼ଉରେ ପ୍ରାୟ ୧୫ଟି ଫ୍ୟକ୍ଟ୍ରିରେ ତାଲା ଝୁଲାଇଛି ପୋଲିସ।ନକଲି ମସଲା

ନଭେମ୍ଵର ୧୧ ତାରିଖରେ ପ୍ରଥମେ କଟକ ମାଲଗୋଦାମରୁ ନକଲି ହଳଦୀ ଏବଂ ଲଙ୍କା ଅପମିଶ୍ରଣକାରୀ କାରଖାନା ଠାବ ହୋଇଥିଲା। ହଳଦୀ ଗୁଣ୍ଡରେ ପୋକା ଚାଉଳ ଗୁଣ୍ଡ ଏବଂ ଲଙ୍କା ଗୁଣ୍ଡରେ ମୁଣ୍ଡଫଟା ରଙ୍ଗ, ରାସାୟନିକ ପଦାର୍ଥ ବ୍ୟବହାର କରି ନକଲି ମସଲା ପ୍ରସ୍ତୁତ କରୁଥିଲେ କାରଖାନା ମାଲିକ। ବିଭିନ୍ନ ନାମୀ ବ୍ରାଣ୍ଡର ଷ୍ଟିକର ଲଗାଇ ଏହିସବୁ ନକଲି ମସଲାକୁ ବିକ୍ରି କରାଯାଉଥିଲା। ଏହାପରେ ନଭେମ୍ଵର ୧୪ ତାରିଖରେ ଜଗତପୁର ଶିଳ୍ପାଞ୍ଚଳରୁ ପୁଣି ଏକ ନକଲି ମସଲା କାରଖାନା ଜବତ ହୋଇଥିଲା। ସେଠାରୁ ପୋଲିସକୁ ପ୍ରାୟ ୫୦ କୁଇଣ୍ଟାଲରୁ ଅଧିକ ନକଲି ମସଲା ମିଳିଥିଲା। ଚଳିତ ବର୍ଷ କଟକରୁ ମୋଟ୍ ୩ଟି ନକଲି ମସଲା କମ୍ପାନି ଉପରେ ଚଢ଼ାଉ କରି ସେସବୁକୁ ସିଲ କରିଥିଲା ପୋଲିସ।ନକଲି ଟମୋଟୋ ସସ୍

ସେପ୍ଟେମ୍ଵର ମାସରେ ପ୍ରଥମେ ଜଗତପୁର ଶିଳ୍ପାଞ୍ଚଳରେ ଭେଜାଲ ଟମାଟୋ ସସ୍ ପ୍ରସ୍ତୁତ ହେଉଥିବା ଖବର ପାଇଥିଲା ପୋଲିସ। ଏହାପରେ ସେହି ମାସ ୨୬ ତାରିଖରେ ହଠାତ୍ ଏକ ନକଲି ଟମାଟୋ ସସ୍ କାରଖାନା ଉପରେ ଚଢ଼ାଉ କରିଥିଲା କମିସନରେଟ ପୋଲିସ। ସେହି କାରକାନାରେ ପଚା କଖାରୁ, ବିଲାତି, କେମିକାଲ ଏବଂ ମାରାତ୍ମକ ରଙ୍ଗକୁ ବ୍ୟବହାର କରି ଭେଜାଲ ସସ୍ ପ୍ରସ୍ତୁତ ହେଉଥିଲା। ଚଢ଼ାଉ ବେଳେ ଲକ୍ଷାଧିକ ଟଙ୍କାର ମେସିନ୍, କେମିକାଲ ଆଦିକୁ ଜବତ କରିବା ସହ କାରଖାନାକୁ ସିଲ୍ କରାଯାଇଥିଲା। ଏଥିସହ କାରଖାନାର ମାଲିକଙ୍କୁ ଗିରାଫ କରାଯାଇଥିଲା। ଏହାପରେ ନଭେମ୍ଵର ମାସରେ କଟକ ନେତାଜୀ ନଗର ଅଞ୍ଚଳରୁ ନକଲି ସସ୍ ତିଆରି ହେଉଥିବା ଖବର ପାଇଥିଲା ପୋଲିସ। କିନ୍ତୁ ଚଢ଼ାଉ ବେଳକୁ ସେଠାରୁ ପୋଲିସକୁ କେବଳ ଅଳ୍ପ ସଂଖ୍ୟାକ ଭେଜାନ ସସ୍, କେମିକାଲ ଆଦି ମିଳିଥିଲା। ସେପ୍ଟେମ୍ଵର, ନଭେମ୍ଵର ମାସରେ କଟକରୁ ୨ଟି ନକଲି ସସ୍ କାରଖାନା ଜବତ ହୋଇଥିଲା।ନକଲି ଘିଅ ଫ୍ୟାକ୍ଟ୍ରି

ମସଲା, ସସ୍ ଆଦିର ନକଲି ପରେ କଟକରୁ ନକଲି ଘିଅ ଏବଂ ଖାଇବା ତେଲ କାରଖାନା ଉପରେ ଚଢ଼ାଉ କରି ସେଠାରୁ ଲକ୍ଷାଧିକ ଟଙ୍କାର ନିମ୍ନମାନର ଘିଅ ଏବଂ ପାମୋଲିନ୍ ତେଲ ଜବତ କରିଥିଲା ପୋଲିସ। ପ୍ରଥମେ ନଭେମ୍ଵର ୧୦ ତାରିଖରେ ମାଲଗୋଦାମରୁ ନକଲି ଘିଅ କମ୍ପାନିର ପର୍ଦ୍ଦାଫାସ କରିଥିଲା କମିସନରେଟ ପୋଲିସ। ବନସ୍ପତି ଏବଂ ପୋମୋଲିନ୍ ତେଲରେ ଅତର ମିଶାଇ ସେଥିରୁ ନକଲି ଘିଅ ପ୍ରସ୍ତୁତ କରାଯାଇ ବଜାରରେ ବିକ୍ରି କରାଯାଉଥିଲା। ଏହି ଘଟଣାରେ ପୋଲିସ ଡିଲର କାଳନ୍ଦୀ ସାହୁଙ୍କୁ ଗିରଫ କରିଥିଲା।  ଏହାପରେ କଟକ ଉପକଣ୍ଠର ୪୨ ମୌଜା ଅଞ୍ଚଳରୁ ଏକ ନକଲି ଘିଅ କାରଖାନା ମିଳିଥିଲା। ବାଲାଜୀ ଏବଂ ହିମେଶ୍ଵର ନାମରେ ନକଲି ଘିଅ ପ୍ରସ୍ତୁତ କରି ବଜାରରେ ଏହି ଘିଅକୁ ବିକ୍ରି କରାଯାଉଥିବା ପୋଲିସ ଜାଣିବାକୁ ପାଇଥିଲା। ଏହାପରେ ସେଠାରେ ଚଢ଼ାଉ କରିଥିଲା ପୋଲିସ। ତେବେ ଏତିକିରେ ନକଲି ଘିଅର ଆସର ସରି ନଥିଲା। କ୍ରମାନୁସାରେ ନୂଆ ବଜାର, ଜଗତପୁର ଏବଂ ପିଠାପୁର ଅଞ୍ଚଳରୁ ନକଲି ଘିଅ କମ୍ପାନି ଠାବ କରି ସେଠାରୁ କୋଟି କୋଟି ଟଙ୍କାର ନକଲି ଘିଅ ଏବଂ ମେସିନ ଜବତ କରିଥିଲା କମିସନରେଟ ପୋଲିସ। ନଭେମ୍ଵରରୁ ଡିସେମ୍ଵର ମଧ୍ୟରେ କଟକରୁ ମୋଟ୍ ୪ଟି ନକଲି ଘିଅ କମ୍ପାନି ସିଲ୍ ହୋଇଛି।ନକଲି ସୋୟାବିନ ଫ୍ୟାକ୍ଟ୍ରି

ନକଲି ମସଲା ଗୁଣ୍ଡ, ଟମାଟୋ ସସ୍, ଘିଅ ପରେ କଟକ ଜଗତପୁର ଶିଳ୍ପାଞ୍ଚଳ ଫେଜ-୨ରୁ ଡିସେମ୍ଵର ୧୯ ତାରିଖରେ ଆରଏମ୍ ମିଲସ୍ ନାମକ ଏକ ନକଲି ସୋୟାବିନ୍ କାରଖାନାକୁ ଠାବ କରିଥିଲା ଜଗତପୁର ପୋଲିସ। କାରଖାନା ପରିସରରୁ ଲକ୍ଷାଧିକ ଟଙ୍କାର ନକଲି ସୋୟାବିନ୍ ଜବତ ହୋଇଥିଲା। ଏଥିସହ ପୋକରା ଚାଉଳ ଗୁଣ୍ଡ ଓ ବିଦେଶରୁ ଆମଦାନି ହୋଇଥିବା ରାସାୟନିକ ସାର ଓ ଏକାଧିକ ମେସିନ୍‌କୁ ମଧ୍ୟ ମିଳିଥିଲା।ଦୀର୍ଘଦିନ ଧରି ଏହି ମିଲରେ ନକଲି ସୋୟାବିନ୍ ପ୍ରସ୍ତୁତ ହେଉଥିଲା। ପୋକରା ଚାଉଳ ଗୁଣ୍ଡକୁ ବ୍ୟବହାର କରି ଭେଜାଲ ସୋୟାବିନ୍ ତିଆରି କରି ବିଭିନ୍ନ ନାମୀ ବ୍ରାଣ୍ଡ୍ ଯେପରିକି ମେହେକ୍ ଏବଂ କାକା ନାମରେ ପ୍ୟାକିଙ୍ଗ୍ କରି ସାରା ସହରକୁ ବିକ୍ରି ପାଇଁ ପଠାଯାଉଥିଲା। ଏହି ଘଟଣାରେ ପୋଲିସ କାରଖାନା ମାଲିକ ପଓ୍ଵନ ମୋଦୀ ଏବଂ କାରିଗର ଅଶୋକ ସିଂହଙ୍କୁ ଗିରଫ କରିବା ସହ କାରଖାନାକୁ ମଧ୍ୟ ସିଲ କରିଥିଲା।ନକଲି ପନିର୍

ବର୍ଷ ସରିବାକୁ ଆସିଥିଲେ ମଧ୍ୟ କଟକ ସହରରୁ ନକଲି ଜିନିଷ ଜବତ ଶେଷ ହୋଇନାହିଁ। ନକଲି ତେଲ, ଘିଅ, ମସଲା, ସୋୟାବିନ୍, ସିମେଣ୍ଟ ପରେ ଡିସେମ୍ଵର ୩୦ ତାରିଖରେ କଟକରୁ ମିଳିଛି ନକଲି ପନିର୍। କୋଲକାତାରୁ ବସ୍ ଯୋଗେ କଟକ ଆସୁଥିବା ପ୍ରାୟ ଏକ କୁଇଣ୍ଟାଲ୍ ସିନ୍ଥେଟିକ ନକଲି ପନିର୍‌କୁ ଜବତ କରିଛି ଚାଉଳିଆଗଞ୍ଜ ପୋଲିସ।

Comment