ଓଡ଼ିଶାଲାଇଭ୍‌ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କରୋନାରେ ପ୍ରାଣ ହରାଇଥିବା କେନ୍ଦ୍ରାପଡ଼ାର ଦୁଇଜଣ ସରକାରୀ କର୍ମଚାରୀଙ୍କ ପରିବାରଙ୍କୁ ୫୦ଲକ୍ଷ ଟଙ୍କା ଲେଖାଏଁ ସରକାରୀ ସହାୟତା ପ୍ରଦାନ କରାଯାଇଛି। ଏମାନଙ୍କ ଭିତରୁ ଜଣେ ହେଲେ ବିଭୂତିଭୂଷଣ ଭୂୟାଁ ଓ ଅନ୍ୟ ଜଣେ ପ୍ରଫୁଲ୍ଲ କୁମାର ରାଉତ।

ବିଭୂତିଭୂଷଣ ଭୂୟାଁ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟକରୁଥିଲେ। ବିଭୂତିଙ୍କୁ ସମସ୍ତେ ୟନ୍ ଭୂୟାଁ ଭାବେ ଯାଣନ୍ତି। ରାଜନଗର ବ୍ଲକରେ କାର୍ଯ୍ୟ କଲାବେଳେ କରୋନା ସଂକ୍ରମିତଙ୍କ ସେବାରେ ସେ ନିୟୋଜିତ ହୋଇ କରୋନା କବଳରେ ପଡ଼ିଯାଇଥିଲେ। ତାଙ୍କୁ ଭୂବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସେମିତି ପ୍ରଫୁଲ୍ଲ କୁମାର ରାଉତ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ପେଣ୍ଠପାଳ ଓ ଅଣ୍ଡରା ପଞ୍ଚାୟତ ଦାୟୀତ୍ୱରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ କାମ କରୁଥିଲେ। ଜଣେ ଦକ୍ଷ ସରକାରୀ କର୍ମଚାରୀ ଭାବେ ଜିଲ୍ଲାରେ ତାଙ୍କର ପ୍ରଭାବ ରହିଥିଲା। ଦୁଇଟି ପଞ୍ଚାୟତରେ କରୋନା ସଂକ୍ରମିତଙ୍କ ସେବାରେ ଦିନରାତି ଏକ କରୁଥିଲେ ସେ। ହେଲେ କରୋନା ଫାସରୁ ମୁକୁଳି ପାରିଲେନି।

ରାଜ୍ୟସରକାର ସାରା ରାଜ୍ୟର ଏହି କରୋନା ଯୋଦ୍ଧା ସରକାରୀ କର୍ମଚାରୀଙ୍କ ମୃତ୍ୟୁପାଇଁ ଆଗରୁ ୫୦ଲକ୍ଷ ଲେଖାଏଁ ଘୋଷଣା କରିଥିଲେ। ସରକାରଙ୍କ ଘୋଷଣା ମୁତାବକ ମଙ୍ଗଳବାର କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଏମାନଙ୍କ ପରିବାର ଲୋକଙ୍କୁ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କା  ଲେଖାଏଁର ଚେକ୍ ପ୍ରଦାନ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା।

Comment