ଓଡ଼ିଶାଲାଇଭ୍ ବ୍ୟୁରୋ

  • ମେ’ ୪ ତାରିଖରୁ ଆରମ୍ଭ ହେବ ସିବିଏସଇ ପରୀକ୍ଷା
  • ଜୁନ୍ ୧୦ ତାରିଖରେ ଶେଷ ହେବ ପରୀକ୍ଷା
  • ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ ପ୍ରାକ୍ଟିକାଲ
  • ଜୁଲାଇ ୧୫ରେ ଫଳାଫଳ ଘୋଷଣା

ସିବିଏସଇ ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା। ମେ’ ମାସ ୪ ତାରିଖରୁ ଦେଶରେ ସିବିଏସଇ ବୋର୍ଡ ପରୀକ୍ଷା ଆରମ୍ଭ ହେବ। ୪ ତାରିଖରୁ ଆରମ୍ଭ ହୋଇ ଜୁନ୍ ୧୦ ତାରିଖ ଭିତରେ ପରୀକ୍ଷା ସାରିବାକୁ ଯୋଜନା ରଖାଯାଇଛି। ଗୁରୁବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଏନେଇ ଘୋଷଣା କରିଛନ୍ତି।

ମନ୍ତ୍ରୀ ଘୋଷଣା କହିଛନ୍ତି ଯେ, ମାର୍ଚ୍ଚ ମାସ ୧ରୁ ସିବିଏସଇ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ। ସେହିପରି ମେ’ ୪ ତାରିଖରୁ ପରୀକ୍ଷା ଆରମ୍ଭ ହେବ ଏବଂ ଏହାକୁ ଜୁନ୍ ୧୦ ତାରିଖ ଭିତରେ ଶେଷ କରିବାକୁ ଚେଷ୍ଟା କରାଯିବ। ଏହାପରେ ଜୁଲାଇ ୧୫ ସୁଦ୍ଧା ପରୀକ୍ଷାର ଫଳ ପ୍ରକାଶ ପାଇବ। ଦେଶରେ ମୋଟ୍ ୩୦ ଲକ୍ଷ ଛାତ୍ରଛାତ୍ରୀ ସିବିଏସଇ ପରୀକ୍ଷା ଦେବେ।

କରୋନା ପାଇଁ ଦୀର୍ଘ ୧୦ ମାସ ହେବ ଦେଶବ୍ୟାପୀ ସ୍କୁଲ ବନ୍ଦ ରହିଥିବା ବେଳେ ସିବିଏସଇ ପରୀକ୍ଷା କେବେ ହେବ ସେନେଇ ଛାତ୍ରଛାତ୍ରୀମାନେ ଦ୍ଵନ୍ଦ୍ଵରେ ଥିଲେ। ତେବେ ଡିସେମ୍ଵର ମାସରେ ଶିକ୍ଷାମନ୍ତ୍ରୀ କହିଥିଲେ ଯେ, ୨୦୨୧ ଜାନୁଆରି କିମ୍ଵା ଫେବ୍ରୁଆରିରେ ପରୀକ୍ଷା ହେବ ନାହିଁ। ଏହାପରେ ସିବିଏସଇ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ଵନ୍ଦ୍ଵ ଆହୁରି ବଢ଼ିଯାଇଥିଲା।

ଏହାପରେ ପିଲାଙ୍କ ଦ୍ଵନ୍ଦ୍ଵ ଦୂର କରିବାକୁ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଡିସେମ୍ଵର ୩୧ ତାରିଖରେ ପରୀକ୍ଷା ପାଇଁ ତାରିଖ ଘୋଷଣା ହେବା ନେଇ କହିଥିଲେ। ମନ୍ତ୍ରୀଙ୍କ କହିବା ଅନୁସାରେ ଗୁରୁବାର ସନ୍ଧ୍ୟା ୬ଟାରେ ପରୀକ୍ଷା ନେଇ ତାରିଖ ଘୋଷଣା ହୋଇଛି।

Comment