ଓଡ଼ିଶାଲାଇଭ୍ ବ୍ୟୁରୋ

ନିଯୁକ୍ତିଦାତା ନିଯୁକ୍ତି ଦେବା ପୂର୍ବରୁ ପ୍ରାର୍ଥୀଙ୍କଠାରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିଥାନ୍ତି। ପ୍ରାର୍ଥୀ ଜଣକ ବିରୋଧରେ କିଛି ଅପରାଧିକ ମାମଲା କିମ୍ବା ମକଦ୍ଦମା ରହିଛି କି ନାହିଁ ସେ ନେଇ କମ୍ପାନି ଅନୁଧ୍ୟାନ କରିବା ପରେ କମ୍ପାନି ଚାକିରି ପ୍ରଦାନ କରିଥାଏ। ତେବେ ଏହି ପ୍ରକ୍ରିୟା କିନ୍ତୁ ଅନେକ ଜଟିଳ ବ୍ୟବସ୍ଥା ଦେଇ ଗତି କରିଥାଏ। ଏହାକୁ ସହଜ ଓ ସରଳ କରିବାକୁ ଏବେ ରାଷ୍ଟ୍ରାୟତ୍ତ କମ୍ପାନିକୁ କେନ୍ଦ୍ର ଅପରାଧ ରେକର୍ଡ ଡାଟାବେସରୁ ତଥ୍ୟ ସଂଗ୍ରହ ପାଇଁ ଅନୁମତି ମିଳିପାରେ ବୋଲି ସୂଚନା ମିଳିଛି।
ଏସବୁ ତଥ୍ୟ କୌଣସି ପରିସ୍ଥିତିରେ ବାଣିଜ୍ୟିକ ବ୍ୟବହାର କରାଯିବ ନାହିଁ; କେବଳ ପ୍ରାକସର୍ତ୍ତ ଅନୁସାରେ ତଥ୍ୟ ନେବାର ଅନୁମତି ମିଳିବ। ପ୍ରାର୍ଥୀଙ୍କ ବିରୋଧରେ କିଛି ଅପରାଧିକ ମାମଲା ରୁଜୁ ହୋଇଛି କି ନାହିଁ ଏବଂ କେଉଁ ଥାନାରେ କି ମାମଲା ରୁଜୁ ହୋଇଛି ସେ ବିଷୟରେ କମ୍ପାନି ଜାଣିପାରିବ। ଜଣେ ପ୍ରାର୍ଥୀଙ୍କ ବିରୋଧରେ ଏକାଧିକ ମାମଲା ଥିଲେ ମଧ୍ୟ ସେ ସମ୍ପର୍କରେ ନିଯୁକ୍ତିଦାତା ତଥ୍ୟ ସଂଗ୍ରହ କରିପାରିବେ।
ବର୍ତ୍ତମାନ ପରିସ୍ଥିତିରେ ଏହି ତଥ୍ୟ ସଂଗ୍ରହର କ୍ଷମତା କେବଳ ସରକାର ଓ ପୋଲିସ ନିକଟରେ ରହିଛି। ତେଣୁ ଆଗାମୀ ଦିନରେ ଏଥିପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲ ପ୍ରସ୍ତୁତ କରିବାକୁ ନ୍ୟାସନାଲ ଇନଫର୍ମେଟିକ ସେଣ୍ଟରକୁ ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି। ତେବେ କେବଳ ସିସିଟିଏନଏସ୍ ଡାଟା (କ୍ରାଇମ୍ ଆଣ୍ଡ କ୍ରିମିନାଲ ଟ୍ରାକିଂ ନେଟଓ୍ୱର୍କ ସିଷ୍ଟମସ)ରୁ ତଥ୍ୟ ସଂଗ୍ରହର ଅନୁମତି ମିଳିବ ତାହା ନୁହେଁ, ନ୍ୟାସନାଲ ଡାଟା ସେଣ୍ଟର(ଏନଡିସି), ନ୍ୟାସନାଲ ଡାଟାବେସ୍ ଅନ୍ ସେକ୍ସୁଆଲ ଅଫେଣ୍ଡର(ଏନଡିଏସ୍ଓ), ଇଣ୍ଟ୍ରାଅପରେବଲ କ୍ରିମିନାଲ ଜଷ୍ଟିସ ସିଷ୍ଟମସ(ଆଇିସିଜେଏସ୍)ରୁ ମଧ୍ୟ ତଥ୍ୟ ସଂଗ୍ରହ କରିବାକୁ ରାଷ୍ଟ୍ରାୟତ୍ତ କମ୍ପାନିମାନଙ୍କୁ ଅନୁମତି ମିଳିବ।
କମ୍ପାନିଙ୍କ ଦ୍ୱାରା ଦରକାର ହେଉଥିବା ତଥ୍ୟ ପ୍ରଦାନ ପାଇଁ ସ୍ୱତନ୍ତ୍ର ପୋର୍ଟାଲ ପ୍ରସ୍ତୁତ ହେବ। ତଥ୍ୟ ଦରକାର କରୁଥିବା କମ୍ପାନି ଅନଲାଇନରେ ରେଜିଷ୍ଟ୍ରେସନ କରିବା ସହ ଅର୍ଥ ପଇଠ କରିବେ। କମ୍ପାନି ପ୍ରାର୍ଥୀଙ୍କ ନାଁ, ବାପାଙ୍କ ନାଁ, ଜିଲ୍ଲା ନାଁ, ଥାନା ନା ଭରିଲେ, ସେଥିରୁ ପ୍ରାର୍ଥୀଙ୍କ ବିରୋଧରେ କିଛି ମାମଲା ରହିଛି କି ନାହିଁ ଜଣାପଡ଼ିବ। ଯଦି ତାଙ୍କ ବିରୋଧରେ କିଛି ଅପରାଧିକ ମାମଲା ରହିଛି ତାର ବିଚାର ପ୍ରକ୍ରିୟା ଆରମ୍ଭ ହୋଇଛି କି ନାହିଁ ଏବଂ କେତେ ଦିନ ହେଲା ବିଚାର ପ୍ରକ୍ରିୟା ଚାଲିଛି ସେ ସମ୍ପର୍କରେ ସମସ୍ତ ତଥ୍ୟ ପୋର୍ଟାଲରୁ ମିଳିଯିବ। ଯଦି ପ୍ରାର୍ଥୀଙ୍କ ବିରୋଧରେ କିଛି ଅପରାଧିକ ତଥ୍ୟ ନ ଥିବ ତେବେ, କିଛି ତଥ୍ୟ ନାହିଁ ବୋଲି ପୋର୍ଟାଲର ପେଜରେ ଦେଖାଇବ।
ସୂଚନାଯୋଗ୍ୟ ଯେ, ସିସିଟିଏନଏସ୍ ଏମିତି ଏକ ପୋର୍ଟାଲ ଯେଉଁଥିରେ ଅପରାଧୀଙ୍କ ଜନ୍ମନବିବରଣୀଠାରୁ ଆରମ୍ଭ କରି ଅପରାଧର ସମସ୍ତ ରେକର୍ଡ ରହିଥାଏ। ଏଫ୍ଆଇର ରୁଜୁ ହେବା ସହ କୋର୍ଟରେ ବିଚାର ପ୍ରକ୍ରିୟା ସମ୍ପର୍କିତ ତଥ୍ୟ ଉପଲବ୍ଧ ଥାଏ। ଦେଶରେ ୧୬,୦୯୮ ଥାନା ରହିଥିବା ବେଳେ ସେଥିମଧ୍ୟରୁ ୯୭ ପ୍ରତିଶତ ଅର୍ଥାତ ୧୫,୬୨୦ ଥାନା ସିସିଟିଏନ୍ଏସ୍ ସହ ଯୋଡ଼ି ହୋଇସାରିଛନ୍ତି।


















