ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା
  • ହତ୍ୟାକାଣ୍ଡ ନେଇ ତେଜିଲା ରାଜନୀତି
  • ବିଜେଡି ନେତାଙ୍କ ହାତ ଥିବା କହିଲା ବିଜେପି
  • ତଦନ୍ତରେ ସବୁ ସତ ସାମ୍ନାକୁ ଆସିବ କହିଲା ବିଜେଡି

ମାହାଙ୍ଗାର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କ ହତ୍ୟା ଘଟଣା ନେଇ ରାଜ୍ୟ ରାଜନୀତି ଜୋର ଧରିଛି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ସୋମବାରଠୁ କଟକର ପ୍ରତି ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ କରିବେ ବିଜେପି କର୍ମୀ। ଏନେଇ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା ସୂଚନା ଦେଇଛନ୍ତି।

ଅନ୍ୟପଟେ ୪୮ ଘଣ୍ଟା ଭିତରେ ଅଭିଯୁକ୍ତକୁ ଗିରଫ କରାନଗଲେ ରାଜ୍ୟବ୍ୟାପୀ ବିଜେପି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ବିଜେପି।

ଆଇନ ମନ୍ତ୍ରୀଙ୍କ ସମେତ ୧୨ ଜଣଙ୍କ ନାଁରେ ଏତଲା

କୁଳମଣିଙ୍କ ହତ୍ୟା ପଛରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ଓ ତାଙ୍କ ସମର୍ଥକଙ୍କ ହାତ ଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କୁଳମଣିଙ୍କ ପୁଅ। ଏମିତିକି କୁଳମଣିଙ୍କ ପରିବାର ପକ୍ଷରୁ ୧୨ ଜଣଙ୍କ ନାଁରେ ଏତଲା ଦିଆଯାଇଛି। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ୫ଟି ଟିମ୍‌ ଗଠନ କରି ତଦନ୍ତ ଜୋରଦାର କରିଛି।

ଦୋଷୀକୁ ଧରାଯାଉ – ଆଇନ ମନ୍ତ୍ରୀ

କୁଳମଣି ବରାଳଙ୍କ ହତ୍ୟା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ଏଭଳି ଅମାନୁଷିକ କାଣ୍ଡ ଯିଏ ଘଟାଇଛି ସେ ଗିରଫ ହେଉ ଓ ଦଣ୍ଡ ପାଉ। ଦୋଷୀ କିଭଳି ଧରାପଡ଼ିବ ତାହା ସମସ୍ତଙ୍କ ଲକ୍ଷ୍ୟ ହେବା ଦରକାର। କିନ୍ତୁ ବିରୋଧୀ ଘଟଣାକୁ ରାଜନୈତିକ ରୂପ ଦେବାକୁ ଚାହୁଁଛନ୍ତି। ଆମ ନାଁରେ ଏତଲା ହୋଇଛି, ପ୍ରକୃତରେ ସତ୍ୟ କ’ଣ ତଦନ୍ତରେ ଜଣାପଡ଼ିବ। ବିଜେପି ଯାହା କରିବା କଥା କରୁ ଏବଂ ଆମେ ଯାହା କରିବା କଥା କରିବୁ।

କୁଳମଣିଙ୍କୁ ନ୍ୟାୟ ଦେବା ପାଇଁ ବିଜେପି ଲଢ଼ିବ – ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ

କୁଳମଣିଙ୍କ ହତ୍ୟା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ବିଜେପି ଶସ୍ତା ରାଜନୀତି କରେନାହିଁ। ତେଣୁ କୁଳମଣିଙ୍କୁ ନ୍ୟାୟ ଦେବା ପାଇଁ ଦଳ ଲଢ଼ିବ ବୋଲି ସେ କହିଛନ୍ତି।

‘‘ରାଜ୍ୟରେ ଆଇନ ଶୃଙ୍ଖଳା ଅତ୍ୟନ୍ତ ବିପର୍ଯ୍ୟସ୍ତ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ଦାୟୀ। କୁଳମଣି ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ପାଇଁ ବହୁଥର ପୋଲିସ ପ୍ରଶାସନକୁ ନିବେଦନ କରିଥିଲେ ମାତ୍ର ପୋଲିସ ପ୍ରଶାସନ ସୁରକ୍ଷା ଯୋଗାଇ ଦେବା ପରିବର୍ତ୍ତେ ବାରମ୍ବାର ବେଖାତିର ମନୋଭାବ ପ୍ରଦର୍ଶନ କରିଥିଲେ’’, କହିଛନ୍ତି ପ୍ରଦୀପ୍ତ ନାୟକ।

ଶନିବାର ଘଟିଥିଲା ନିର୍ମମ ହତ୍ୟାକାଣ୍ଡ

ବିଜେପି ନେତା କୂଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ଏକ ବାଇକ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ପ୍ରଥମେ ମାହାଙ୍ଗା ଡାକ୍ତରଖାନା ଓ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ରାଜନୈତିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଇଛି।

ଅନ୍ୟପକ୍ଷରେ ମାହାଙ୍ଗାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିକୁ ନେଇ କୁଳମଣି ମୁହଁ ଖୋଲିଥିବାରୁ ତାଙ୍କ ମୁହଁ ବନ୍ଦ କରିବା ପାଇଁ ଏହି ହତ୍ୟାକାଣ୍ଡ ହୋଇଛି ବୋଲି ବିଜେପି କହିଛି।

Comment