ଓଡ଼ିଶାଲାଇଭ୍ ବ୍ୟୁରୋ

ମାହାଙ୍ଗା ଡବଲ ମର୍ଡର ଘଟଣାରେ ଅଟକ ଥିବା ୪ଜଣ ଅଭିଯୁକ୍ତଙ୍କୁ ମଙ୍ଗଳବାର ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ପଞ୍ଚାନନ ସେଠୀ, ଅରବିନ୍ଦ ଖଟୁଆ, କ୍ଷୀତିଶ ଆଚାର୍ଯ୍ୟ ଏବଂ ଲଳିତ ମୋହନ ବରାଳ। ସେମାନଙ୍କଠାରୁ ହତ୍ୟାରେ ବ୍ୟବହାର କରାଯାଇଥିବା ଏକ ମାରଣାସ୍ତ୍ର ଜବତ ହୋଇଛି। ଏନେଇ କଟକ ଗ୍ରାମାଞ୍ଚଳ ଏସ୍‌ପି ବି. ଯୁଗଳ କିଶୋର ଏକ ସାମ୍ଵାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ଏହି ଘଟଣାରେ ପଞ୍ଚାନନ ସେଠୀ ମୁଖ୍ୟ ଅଭିଯୁକ୍ତ ହୋଇଥିବା ବେଳେ ବାକି ୩ଜଣ ତାଙ୍କୁ ହତ୍ୟାରେ ସାହାଯ୍ୟ କରିଥିବା ଏସ୍‌ପି କହିଛନ୍ତି। ମଙ୍ଗଳବାର ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏଥିସହ ହତ୍ୟାକାଣ୍ଡରେ ଆଉ କେଉଁ ବ୍ୟକ୍ତିଙ୍କର ସଂପୃକ୍ତି ରହିଛି କି ନାହିଁ ସେ ବାବଦରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।ଅନ୍ୟପଟେ ମଙ୍ଗଳବାର ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀଙ୍କୁ ଘଟଣାସ୍ଥଳକୁ ନେଇ ପୂରା ଘଟଣାର ଡେମୋ କରାଯାଇଥିଲା। କିପରି ପଞ୍ଚାନନ ଏବଂ ତାଙ୍କ ସହଯୋଗୀମାନେ ହତ୍ୟାକାଣ୍ଡ ଭିଆଇଥିଲେ ସେ ନେଇ ପୂରା ଘଟଣାର ଡେମୋ ହୋଇଥିବା ଏସ୍‌ପି କହିଛନ୍ତି।

ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଗତ ୨ ତାରିଖ ବିଳମ୍ବିତ ରାତିରେ ମାହାଙ୍ଗାର ଜଙ୍କୋଟି ନିକଟରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ରାଜନୈତିକ ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ତ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଇଛି।

ଏହି ହତ୍ୟାକାଣ୍ତର ତଦନ୍ତ ପାଇଁ କଟକ ଗ୍ରାମାଞ୍ଚଳ ପୋଲିସ ଦ୍ଵାରା ୫ ଜଣିଆ ଟିମ୍‌ ଗଠନ କରାଯାଇ ଘଟଣାର ତଦନ୍ତ କରାଯାଉଛି। ତେବେ ସୋମବାର ବିଳମ୍ବିତ ରାତିରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ବିଭିନ୍ନ ଅଞ୍ଚଳରୁ ଧରି ଅଟକ ରଖି ଅଲଗା ଅଲଗା ଜେରା କରିଥିଲେ। ଜେରା ପରେ ଆଜି ସେମାନଙ୍କୁ ଗିରଫ କରିଛି ପୋଲିସ।

LEAVE A REPLY

Please enter your comment!
Please enter your name here