ଓଡ଼ିଶାଲାଇଭ୍ ବ୍ୟୁରୋ

  • ଜିଲ୍ଲାବ୍ୟାପୀ ବିଜେପିର ବିକ୍ଷୋଭ
  • ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ

କଟକ: ମାହାଙ୍ଗାର ବିଜେପି ନେତା ତଥା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ଘଟଣାକୁ ଦୁଇ ଦିନ ବିତିଛି। ହେଲେ ଏଯାବତ୍ ହତ୍ୟାକାରୀ ଧରାପଡ଼ିନାହାନ୍ତି। ସୋମବାର ପୋଲିସର ସ୍ୱତନ୍ତ୍ର ଟିମ୍ ୮ଟି ସ୍ଥାନରେ ଚଢ଼ାଉ କରିଥିଲେ ମଧ୍ୟ ଅପରାଧୀଙ୍କ ବାବଦରେ ସାମାନ୍ୟ ସୁରାକ୍ ପାଇପାରିନାହିଁ। ଅନ୍ୟପକ୍ଷରେ ଯେଉଁମାନଙ୍କୁ ପୋଲିସ ସନ୍ଦେହରେ ଅଟକ ରଖି ପଚରାଉଚରା କରୁଛି ସେମାନଙ୍କଠାରୁ ବିଶେଷ କୌଣସି ସୂତ୍ର ମିଳିପାରୁନାହିଁ।ଘଟଣାକୁ ନେଇ ବିଜେପି ପକ୍ଷରୁ ଗତକାଲି ଜିଲ୍ଲାୱାରୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ନିର୍ଦ୍ଦେଶରେ ସବୁ ବ୍ଲକ୍ ଏବଂ କଟକ ସହରରେ ବିକ୍ଷୋଭ କରିଛନ୍ତି ବିଜେପି କର୍ମୀ। ଏହାସହ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଘଟଣାରେ ସାମିଲ୍ ହତ୍ୟାକାରୀମାନଙ୍କୁ ତୁରନ୍ତ ଗିରଫ କରିବା ସହ ମନ୍ତ୍ରୀମଣ୍ଡଳରୁ ପ୍ରତାପ ଜେନାଙ୍କ ଇସ୍ତଫା ଦାବି ହୋଇଛି। ମଙ୍ଗଳବାରଠାରୁ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବାକୁ ବିଜେପି ପ୍ରସ୍ତୁତ ହୋଇଛି। ରାଜ୍ୟର ସବୁ ଥାନା ଘେରାଉ କରିବା ସହ ଆସନ୍ତା ଦୁଇ ଦିନ ମଧ୍ୟରେ ପୋଲିସ ଡିଜିଙ୍କ କାର୍ଯ୍ୟାଳୟକୁ ଆସି ଦାବି ଜଣାଇବ ବିଜେପି। ଗତକାଲି ଦଳ ପକ୍ଷରୁ ରାଜ୍ୟ ଉପସଭାପତି ପୃଥ୍ୱୀରାଜ ହରିଚନ୍ଦନ ମାହାଙ୍ଗା ଯାଇ କୁଳମଣିଙ୍କ ପରିବାରକୁ ଭେଟିଛନ୍ତି।ଅନ୍ୟପଟେ ଘଟଣାର ରହସ୍ୟ ଭେଦିବାକୁ ପୋଲିସ ସବୁ ପ୍ରକାର କସରତ କରୁଛି। ଖୋଦ୍ ପୋଲିସ ଡିଆଇଜି ଆଶିଷ ସିଂହ, ଏସପି ବି. ଯୁଗଳ କିଶୋରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାର ତଦନ୍ତରେ ସାମିଲ ହୋଇଛନ୍ତି। ନୃତ୍ତାଙ୍ଗ ଗାଁରେ କିଛି ଘର ସମେତ ପ୍ରାୟ ୮ଟି ଜାଗାରେ ପୋଲିସ ଗତକାଲି ଚଢ଼ାଉ କରିଛି। ହେଲେ ଅଭିଯୁକ୍ତମାନଙ୍କୁ ଧରିପାରିନାହିଁ। ତେବେ ହତ୍ୟାକାଣ୍ଡ ପଛରେ ଅନେକଗୁଡ଼ିଏ କାରଣ ଥାଇପାରେ ବୋଲି ପୋଲିସ ଆଶଙ୍କା କରୁଛି। ଏମିତିକି ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ନେଇ ଆଶଙ୍କା କରି ସେ ଦିଗରେ ପୋଲିସ ଆଗେଇଛି। ଡିସେମ୍ବର ୨୮ରେ ଘଟିଥିବା ଏକ ମାର୍‌ପିଟ୍ ଘଟଣାରେ ହୋଇଥିବା ଏତଲାକୁ ଆଧାର କରି ପୋଲିସ ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ମୃତ କୁଳମଣି ଏବଂ ତାଙ୍କ ପରିବାରର ଅପରାଧିକ ରେକର୍ଡ ପୃଷ୍ଠାକୁ ବି ଓଲଟାଯାଉଛି। ଏତଲାରେ ପକ୍ଷଭୁକ୍ତ ହୋଇଥିବା ଅଭିଯୁକ୍ତମାନଙ୍କ ପୂର୍ବ ଅପରାଧଗୁଡ଼ିକର ହିସାବ ନିକାସ କରାଯାଉଛି।

Comment