ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକା ସଂସଦ ପରିସରରେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ଘଟାଇଥିବା ହିଂସାକାଣ୍ଡରେ ୪ ଜଣଙ୍କ ମୃତ୍ୟୁ ହୋଇଛି।

ଆମେରିକା ସଂସଦ ପରିସରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ବୁଧବାର ହିଂସାକାଣ୍ଡ ଘଟାଇଛନ୍ତି। ଓ୍ୱାଶିଂଟନ ଡିସି ସ୍ଥିତ କ୍ୟାପିଟାଲ ହିଲ (ଆମେରିକାର ସଂସଦ)ରେ ଗୁରୁବାର ଇଲେକ୍ଟୋରାଲ କଲେଜ୍ ପ୍ରକ୍ରିୟା ଚାଲିଥିବା ବେଳେ ଟ୍ରମ୍ପଙ୍କ ସମର୍ଥକମାନେ ପ୍ରବଳ ହଙ୍ଗାମା କରିଛନ୍ତି। ଏହି ହିଂସାରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଥିବା ଜଣାପଡ଼ିଛି। ଆଇନ ଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ଓ୍ୱାଶିଂଟନ ଡିସିରେ ୧୫ ଦିନ ପାଇଁ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି।

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟ ଦଳରୁ ପ୍ରାର୍ଥୀ ହୋଇଥିବା ଜୋ ବାଇଡେନ ୩୦୬ ଖଣ୍ଡ ଭୋଟ୍ ପାଇଥିଲେ। ଅନ୍ୟପଟେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଥିଲା ୨୩୨ଟି ଭୋଟ୍। ଫଳରେ ଜୋ ବାଇଡେନ ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ଟ୍ରମ୍ପ ଓ ତାଙ୍କ ସମର୍ଥକମାନେ ଭୋଟ ଗଣତିରେ ଘୋଟାଲା ହୋଇଥିବା ଅଭିଯୋଗ କରିବା ସହ ନିର୍ବାଚନ ଫଳାଫଳକୁ ବିରୋଧ କରି ଆସୁଛନ୍ତି। ଟ୍ରମ୍ପଙ୍କୁ ପୁଣି ରାଷ୍ଟ୍ରପତି ପଦରେ ବସେଇବା ପାଇଁ ତାଙ୍କ ସମର୍ଥକମାନେ ଆଉ ଥରେ ଭୋଟ୍ ଗଣତି କରିବାକୁ ଦାବି କରୁଛନ୍ତି। ଏହାକୁ ନେଇ ଆଗରୁ ମଧ୍ୟ ଆମେରିକାରେ ହିଂସା ଦେଖାଦେଇଥିଲା।ତେବେ ବୁଧବାର କ୍ୟାପିଟାଲ ହିଲରେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଉତ୍ତ୍ୟକ୍ତ ଟ୍ରମ୍ପ ସମର୍ଥକମାନେ ପୁଣି ହିଂସାକାଣ୍ଡ ଘଟାଇଥିଲେ। ହଜାର ହଜାର ଟ୍ରମ୍ପ ସମର୍ଥକ ଅସ୍ତ୍ରଶସ୍ତ୍ର ଧରି କ୍ୟାପିଟାଲ ହିଲ ଭିତରକୁ ଧସେଇ ପଶିଥିଲେ। ସେଠାରେ ଭଙ୍ଗାରୁଜା କରିବା ସହ ସିନେଟ୍ ଭିତରେ ଥିବା ସାଂସଦମାନଙ୍କୁ ବାହାର କରିଦେଇଥିଲେ। ପରିସ୍ଥିତି ଅଣାୟତ୍ତ ହେବା ଦେଖି ସେଠାରେ ମୁତୟନ ଥିବା ସୁରକ୍ଷାକର୍ମୀମାନେ ଲାଠି ଚାର୍ଜ ସହ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲେ। ଟ୍ରମ୍ପଙ୍କ ସମର୍ଥକ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ଚାଳନା ମଧ୍ୟ ହୋଇଥିଲା। ଏହି ହିଂସାକାଣ୍ଡରେ ୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଓ୍ୱାଶିଂଟନ ପୋଲିସ କହିଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଓ୍ୱାଶିଂଟନରେ ଜରୁରୀ ପରିସ୍ଥିତି ଘୋଷଣା ହୋଇଛି। ଏହା ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ।ଅନ୍ୟପଟେ ଟ୍ରମ୍ପଙ୍କ ସମର୍ଥକଙ୍କ ନିକଟରୁ ବନ୍ଧୁକ ଓ ଅନ୍ୟାନ୍ୟ ଅସ୍ତ୍ର ଶସ୍ତ୍ର ଜବତ ହୋଇଛି। ସୁରକ୍ଷା ଦୃଷ୍ଟିରୁ କ୍ୟାପିଟାଲ ହିଲକୁ ବନ୍ଦ କରିଦିଆଯାଇଛି। ଏସବୁ ଭିତରେ ଟ୍ରମ୍ପ ନିଜ ସମର୍ଥକମାନଙ୍କୁ ଶାନ୍ତି ବଜାୟ ରଖିବାକୁ କହିଛନ୍ତି। ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ଟ୍ରମ୍ପ ସମ୍ବିଧାନକୁ ରକ୍ଷା କରନ୍ତୁ। କ୍ୟାପିଟାଲ ହିଲରେ ଏଭଳି ହିଂସା କରିବା ଉଚିତ ନୁହେଁ। ସେପଟେ ଉତ୍ତେଜନା ବୃଦ୍ଧି ପାଇବାର ଆଶଙ୍କା କରି ଟ୍ୱିଟର ପକ୍ଷରୁ ଟ୍ରମ୍ପଙ୍କ ଆକାଉଣ୍ଟକୁ ୧୨ ଘଣ୍ଟା ଯାଏଁ ଲକ୍ କରିଦିଆଯାଇଛି।

ଏହି ହିଂସା ପରେ ବିଶ୍ୱର ପ୍ରମୁଖ ନେତୃବୃନ୍ଦ ଏହାକୁ ନିନ୍ଦା କରିଛନ୍ତି। ଆମେରିକାରେ ଗୃହଯୁଦ୍ଧ ହୋଇପାରେ ବୋଲି ବିଶ୍ୱ ନେତାମାନେ ଆଶଙ୍କା କରୁଛନ୍ତି। ଏହି ଘଟଣାକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତା ବ୍ୟକ୍ତ କରିଛନ୍ତି। ଗଣତନ୍ତ୍ରରେ ପଦ ହସ୍ତାନ୍ତରଣ ଶାନ୍ତିପୂର୍ଣ୍ଣ ଉପାୟରେ ହେବା ଉଚିତ ବୋଲି ମୋଦୀ କହିଛନ୍ତି।

Comment