ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାର ଟ୍ରମ୍ପଙ୍କ ସମର୍ଥକମାନେ ଆମେରିକାର ସଂସଦ ଭିତରେ ଧସେଇ ପଶିଥିଲେ।

ଦୁନିଆର ସବୁଠୁ ପୁରାତନ ଗଣତନ୍ତ୍ର କୁହାଯାଉଥିବା ଆମେରିକା ନିଜ ରାଜନୈତିକ ଇତିହାସରେ ବୋଧହୁଏ ଏପରି ସ୍ଥିତି କେବେ ବି ସାମ୍ନା କରିନଥିଲା। ଯେଉଁଥିରେ ସାଧାରଣ ଲୋକମାନେ ସଂସଦ ଭିତରେ ଧସେଇ ପଶି ସେଠାରେ ହିଂସାକାଣ୍ଡ କରିଥିଲେ; ହେଲେ ବୁଧବାର ଏପରି କିଛି ପରିସ୍ଥିତିକୁ ସାମ୍ନା କରିଛି ଆମେରିକା।

ଗତକାଲି ଆମେରିକା ସଂସଦର ମିଳିତ ଅଧିବେଶନ ବସିଥାଏ। ଯେଉଁଠି ଜୋ ବାଇଡେନଙ୍କୁ ଆଗାମୀ ରାଷ୍ଟ୍ରପତି ଭାବେ ଆମେରିକାର ସଂସଦ ମୋହର ମାରିବା ଏକପ୍ରକାର ନିଶ୍ଚିତ ଜଣାପଡୁଥିଲା। ଏହି ସମୟରେ କିନ୍ତୁ ଟ୍ରମ୍ପଙ୍କ ସମର୍ଥକମାନେ ସଂସଦ ଭିତରେ  ପଶି ହଙ୍ଗାମା କରିବା ସହିତ ପୋଲିସ ସହ ମୁହାଁମୁହିଁ ହୋଇଥିଲେ। ଯାହାକୁ ଏବେ ବିଶ୍ୱବାସୀ ଆମେରିକା ଇତିହାସରେ କଳାଦିନ ବୋଲି ଆଖ୍ୟା ଦେଇଛନ୍ତି।

ସଂସଦ ଭିତରେ ଟ୍ରମ୍ପଙ୍କ ସମର୍ଥକ

ବୁଧବାର ଆମେରିକାର ସଂସଦ ବାଇଡେନଙ୍କୁ ଆଗାମୀ ରାଷ୍ଟ୍ରପତି ଭାବେ ଘୋଷଣା କରିବାକୁ ଥାଏ। ଏହି ସମୟରେ ହଜାର ହଜାର ଟ୍ରମ୍ପ ସମର୍ଥକ ଅସ୍ତ୍ରଶସ୍ତ୍ର ଧରି କ୍ୟାପିଟାଲ ହିଲ ଭିତରକୁ ଧସେଇ ପଶିଥିଲେ। ସେଠାରେ ଭଙ୍ଗାରୁଜା କରିବା ସହ ସିନେଟ୍ ଭିତରେ ଥିବା ସାଂସଦମାନଙ୍କୁ ବାହାର କରିଦେଇଥିଲେ। ପରିସ୍ଥିତି ଅଣାୟତ୍ତ ହେବା ଦେଖି ସେଠାରେ ମୂତୟନ ଥିବା ସୁରକ୍ଷାକର୍ମୀମାନେ ଲାଠି ଚାର୍ଜ ସହ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲେ। ଟ୍ରମ୍ପଙ୍କ ସମର୍ଥକ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ଚାଳନା ମଧ୍ୟ ହୋଇଥିଲା। ଏହି ହିଂସାକାଣ୍ଡରେ ୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି।

ୱାଶିଂଟନ ଡିସିରେ ଜରୁରୀ ପରିସ୍ଥିତି

ଟ୍ରମ୍ପ ସମର୍ଥକଙ୍କ ଏପରି କାଣ୍ଡକୁ ପୋଲିସ କିଛି ସମୟ ପରେ ଆୟତ୍ତ କରିବାକୁ ସକ୍ଷମ ହୋଇଛି। ଏହାସତ୍ତ୍ୱେ କିନ୍ତୁ ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଧ୍ୟାନରେ ରଖି ୱାଶିଂଟନ ଡିସିର ମେୟର ମୁରାଏଲ୍ ବାଉଜର ସେଠାରେ ୧୫ ଦିନ ପାଇଁ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି।

କାହିଁକି ଘଟିଲା ଏପରି କାଣ୍ଡ?

ଏଥର ଆମେରିକା ନିର୍ବାଚନରେ ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଜୋ ବାଇଡେନ ୩୦୬ ଇଲେକ୍ଟାରାଲ୍ ଭୋଟ ପାଇଥିଲେ। ଜବାବରେ ବର୍ତ୍ତମାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାତ୍ର ୨୩୨ ଇଲେକ୍ଟାରାଲଙ୍କ ସମର୍ଥନ ହାସଲ କରିଥିଲେ। ଫଳରେ ବାଇଡେନ ରାଷ୍ଟ୍ରପତି ହେବା ଏକପ୍ରକାର ପକ୍କା ହୋଇଯାଇଥିଲା। ଟ୍ରମ୍ପ କିନ୍ତୁ ତାଙ୍କର ଏହି ପରାଜୟକୁ ସ୍ୱୀକାର କରିବାକୁ ନାରାଜ ଥିଲେ। ଭୋଟ୍ ଗଣତିରେ ଘୋଟାଲା ହୋଇଥିବା ନେଇ ଟ୍ରମ୍ପ ଅଭିଯୋଗ କରିବା ସହିତ ପୁଣିଥରେ ଭୋଟ ଗଣତି କରିବାକୁ ଦାବି କରିଥିଲେ। ଯାହାକୁ କେନ୍ଦ୍ର କରି ଏହି ହିଂସାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି।

ଏଥିସହ ଏହି ହିଂସାକାଣ୍ଡ ପାଇଁ ଟ୍ରମ୍ପ ନିଜର ସମର୍ଥକଙ୍କୁ ମଧ୍ୟ ଉସୁକାଇଥିବା କୁହାଯାଉଛି। ଏହାଫଳରେ ସଂସଦର କାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ବାଇଡେନ ରାଷ୍ଟ୍ରପତି ହେବା ପ୍ରକ୍ରିୟା ବନ୍ଦ ହୋଇଯିବ ବୋଲି ଭାବି ଟ୍ରମ୍ପ ଏପରି କରିଥିବା ଅନୁମାନ କରାଯାଉଛି।

ଟ୍ରମ୍ପଙ୍କ ସୋସିଆଲ୍ ମିଡିଆ ଉପରେ ପ୍ରତିବନ୍ଧକ

ସଂସଦ ଉପରେ ଟ୍ରମ୍ପ ସମର୍ଥକଙ୍କ ଏପରି କାଣ୍ଡ ପରେ ଏହାକୁ ନେଇ ଡୋନାଲ୍ଡ ଟ୍ରମ୍ପ ସୋସିଆଲ୍ ମିଡିଆରେ କିଛି ପୋଷ୍ଟ ଲେଖିଥିଲେ। ଯେଉଁଥିରେ ସେ ତାଙ୍କର ସମର୍ଥକଙ୍କୁ ପ୍ରଶଂସା କରିବା ଦେଖିବାକୁ ମିଳିଥିଲା। ଏହାଦ୍ୱାରା ଆମେରିକାର ହିଂସା ଉଗ୍ରରୂପ ଧାରଣ କରିବ ବୋଲି ଭାବି ଟୁଇଟର, ଫେସବୁକ୍ ଭଳି ସୋସିଆଲ୍ ମିଡିଆ ଏହି ପୋଷ୍ଟକୁ କାଟି ଦେଇଥିଲେ। ଏପରିକି ଟ୍ରମ୍ପଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ ଉପରେ ଫେସବୁକ ପୂରାଦିନ ପ୍ରତିବନ୍ଧକ ଜାରି ରଖିଥିଲା।ଘଟଣାକୁ ତୀବ୍ର ନିନ୍ଦା କଲେ ବାଇଡେନ୍

ଟ୍ରମ୍ପ ସମର୍ଥକଙ୍କ ଏପରି କାଣ୍ଡ ପରେ ଏହାକୁ ତୀବ୍ର ନିନ୍ଦା କରିଛନ୍ତି ଡେମୋକ୍ରାଟିକ୍ ଦଳର ନେତା ଜୋ ବାଇଡେନ। ଏହି ଲୋକମାନଙ୍କୁ ରାଜଦ୍ରୋହୀ ଭାବେ ଘୋଷଣା କରିବାକୁ ସେ ଅପିଲ୍ କରିଛନ୍ତି। ତା’ସହିତ ଟ୍ରମ୍ପଙ୍କୁ ମଧ୍ୟ ବାଇଡେନ ପରୋକ୍ଷରେ ଟାର୍ଗେଟ କରିଛନ୍ତି। କେବଳ ବାଇଡେନ ନୁହଁନ୍ତି ବିଶ୍ୱର ତମାମ ନେତାଗଣ ମଧ୍ୟ ଏହି ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ରଖିବା ସହିତ ଏହାକୁ ନିନ୍ଦା କରିଛନ୍ତି।

ବାଇଡେନଙ୍କୁ ବିଜୟୀ ଘୋଷିତ କଲା ଆମେରିକା ସଂସଦ

ଆମେରିକା ସଂସଦ ଉପରେ ଟ୍ରମ୍ପ ସମର୍ଥକଙ୍କ ଏପରି ଆକ୍ରମଣ ପରେ ମଧ୍ୟ ଗୁରୁବାର ବାଇଡେନଙ୍କୁ ନିର୍ବାଚନରେ ବିଜୟୀ ଘୋଷିତ କରାଯାଇଛି। ଜାନୁଆରି ୨୦ ତାରିଖରେ ଆମେରିକାର ରାଷ୍ଟ୍ରପତି ଭାବେ ଡେମୋକ୍ରାଟିକ ଦଳର ନେତା ଜୋ ବାଇଡେନ ଶପଥ ଗ୍ରହଣ କରିବେ। ସେ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ।

Comment