ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ରାଜନୈତିକ ଛକାପଞ୍ଝା ମଧ୍ୟ ସେତିକି ବଢ଼ିବାରେ ଲାଗିଛି। ଶନିବାର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପୁଣିଥରେ ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବାବେଳେ ସେଠାରେ ‘ମୁଠାଏ ଚାଉଳ’ ଅଭିଯାନ ଆରମ୍ଭ କରିବା ସହିତ ମମତା ସରକାରକୁ ଟାର୍ଗେଟ କରିଛନ୍ତି।
ନଡ୍ଡା ଶନିବାର ପଶ୍ଚିମବଙ୍ଗର ବର୍ଦ୍ଧମାନରେ ଏହି ମୁଠାଏ ଚାଉଳ ଅଭିଯାନ ଆରମ୍ଭ କରିଛନ୍ତି। ବିଜେପି ଏହି ଅଭିଯାନକୁ ଆସନ୍ତା ଜାନୁଆରି ୨୪ ପର୍ଯ୍ୟନ୍ତ ଜାରି ରଖିବ। ଏହି ଅଭିଯାନରେ ପଶ୍ଚିମବଙ୍ଗରେ ବିଜେପି କର୍ମକର୍ତ୍ତାମାନେ ମୋଟ ୭୪ ଲକ୍ଷ କୃଷକଙ୍କୁ ଭେଟି ସେମାନଙ୍କଠାରୁ ମୁଠାଏ ଚାଉଳ ସଂଗ୍ରହ କରିବେ। ଏହି ଚାଉଳକୁ ନେଇ ଜାନୁଆରି ୨୫ରୁ ୩୦ ବିଜେପି କମ୍ୟୁନିଟି କିଚେନ୍ ଆରମ୍ଭ କରିବା ସହିତ ଗରିବ ଓ ଭୋକିଲା ଲୋକଙ୍କୁ ଖାଇବାକୁ ଦେବ। ଏହାଦ୍ୱାରା ପଶ୍ଚିମବଙ୍ଗରେ ବିଜେପି କୃଷକମାନଙ୍କ ଭୋଟ୍ ହାତେଇପାରିବ ବୋଲି କୁହାଯାଉଛି।
ଅନ୍ୟପଟେ ବର୍ଦ୍ଧମାନରେ ଏହି ଅଭିଯାନ ଆରମ୍ଭ କରିବା ସହିତ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମମତା ସରକାର ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ଲୋକମାନଙ୍କ ମୁଡ୍ ଦେଖି ସେ ଜାଣିସାରିଲେଣି; ପଶ୍ଚିମବଙ୍ଗରେ ମମତା ସରକାର ଯିବ ଏବଂ ବିଜେପି ସରକାର ଆସିବ। ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ଏଠାରେ ବୁହମତର ସରକାର ଗଢ଼ିବ ବୋଲି ନଡ୍ଡା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଶନିବାର ବର୍ଦ୍ଧମାନରେ ଏହି ଅଭିଯାନକୁ ଆରମ୍ଭ କରିବା ପରେ ନଡ୍ଡା ଜଣେ କୃଷକ ପରିବାରରେ ଖାଦ୍ୟ ଖାଇବେ। ଏହାପରେ ସେ ବର୍ଦ୍ଧମାନରେ ୯ କିଲୋମିଟର ଧରି ରୋଡ୍ ସୋ’ କରିବେ ବୋଲି ସୂଚନା ରହିଛି।