ଓଡ଼ିଶାଲାଇଭ୍ ବ୍ୟୁରୋ

ମୁହାଁମୁହିଁ ହେଲେ ଅପରାଜିତା ଆଉ ଅଶୋକ।

ସ୍ୱଚ୍ଛ ବିନ୍ଦୁ ସାଗର ପ୍ରକଳ୍ପ ମଞ୍ଚରେ ମୁହାଁମୁହିଁ ହେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଏକାମ୍ର ବିଧାୟକ ଅଶୋକ ପଣ୍ଡା। ଲିଙ୍ଗରାଜ ଓ ବିନ୍ଦୁ ସାଗରର ଉନ୍ନତି ପାଇଁ ରାଜ୍ୟ ସରକାର କ’ଣ କରିଛନ୍ତି ବୋଲି ଅପରାଜିତା ପ୍ରଶ୍ନ କରିଥିବାବେଳେ ମଞ୍ଚ ଉପରେ ହିଁ ଏହାର ଉତ୍ତର ରଖିଥିଲେ ବିଜେଡି ବିଧାୟକ ଅଶୋକ ପଣ୍ଡା। ବିଧାୟକ ଓ ସାଂସଦଙ୍କ ଏଭଳି କଥା କଟାକଟିକୁ ନେଇ ଏବେ ରାଜନୀତି ମହଲରେ ଚର୍ଚ୍ଚା ଜୋର୍ ଧରିଛି।

ଶନିବାର ଏକାମ୍ର କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱଚ୍ଛ ବିନ୍ଦୁ ସାଗର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସାଂସଦ ଅପରାଜିତା ଓ ବିଜେଡିର ଅନେକ ନେତା ସାମିଲ ହୋଇଥିଲେ।ଏହି ସମୟରେ ଅପରାଜିତା କହିଥିଲେ, “ଏକାମ୍ର କ୍ଷେତ୍ରରେ ଅନେକ ଜଳାଶୟର ପୁନଋୁଦ୍ଧାର କାମ ଦରକାର ଥିଲା। ହେଲେ ସରକାର କେବଳ ଆଶ୍ୱାସନା ଦେଇ ଚୁପ୍ ରହିଯାଉଥିଲେ। କେତେ ଟଙ୍କା ଖର୍ଚ୍ଚ ହେଉଛି ଲୋକମାନଙ୍କୁ କୁହାଯାଉଥିଲେ ବି, କାହାକୁ କାମ ଦେଖିବାକୁ ମିଳୁନଥିଲା।”

ଗତ ଜାନୁଆରି ମାସରେ ସେ କେଦାରଗୌରୀ ମନ୍ଦିର, ଦେବୀ ପାଦହରା ଓ ପାପ ନାଶିନୀ ମନ୍ଦିର ଯାଇଥିଲେ। ସେଠାରେ ଜଳାଶୟର ସ୍ଥିତି ଦେଖି ସେ ଦଃଖିତ ବୋଲି କହିଥିଲେ। ଅପରାଜିତା ଏଭଳି ଢଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ସ୍ୱଚ୍ଛ ବିନ୍ଦୁ ସାଗର ପ୍ରକଳ୍ପ ପାଇଁ ସହଯୋଗର ହାତ ବଢ଼ାଇଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଥିଲେ। ସାଂସଦଙ୍କ ଏଭଳି ଟାର୍ଗେଟ ପରେ ବିଜେଡି ସରକାରର ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଏହାର ଜବାବ ରଖିଥିଲେ।

ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ ଯେ,ଏକାମ୍ର କ୍ଷେତ୍ରରେ ଜଳାଶୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ବିଭାଗ ପାଣ୍ଠିରୁ ୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ଟଙ୍କାରେ ଦୟାନଦୀରୁ ପାଣି ଆସି ଜଳାଶୟରେ ପହଞ୍ଚିବ। ଏବେ ଏହି କାମ ଭୂଆଶୁଣୀ ପର୍ଯ୍ୟନ୍ତ ସରିଯାଇଛି। ଖୁବଶୀଘ୍ର ଏହି କାମ ଶେଷ ହେବ। ସାଂସଦ ଅପରାଜିତା ଏହି କଥା ଜାଣିବା ଉଚିତ୍ ବୋଲି ମନ୍ତ୍ରୀ କହିଥିଲେ।

ତା’ସହିତ ଲିଙ୍ଗରାଜ ମନ୍ଦିରର ଉନ୍ନତି ଓ ସେବାୟତଙ୍କୁ ବିଭିନ୍ନ ସୁବିଧା ଦେବା ପାଇଁ ମୁଖ୍ୟମନ୍ତ୍ରୀ କିଛି ଦିନ ତଳେ ସ୍ୱତନ୍ତ୍ର ଆଇନ୍ ଆଣିଛନ୍ତି। ଏହାଦ୍ୱାରା ଏକାମ୍ର କ୍ଷେତ୍ରରେ ଥିବା ସମସ୍ତ ଜଳାଶୟର ରକ୍ଷଣାବେକ୍ଷଣା ହୋଇପାରିବ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା ଉତ୍ତରରେ ରଖିଥିଲେ।

Comment