ଓଡ଼ିଶାଲାଇଭ୍ ବ୍ୟୁରୋ
ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା। ଦଳର ସବୁଠୁ ଭରସାଯୋଗ୍ୟ ଦ୍ରୁତ ବୋଲର ଜଶପ୍ରୀତ ବୁମରା ଆହତ ହୋଇ ଦଳରୁ ବାଦ୍ ପଡ଼ିଛନ୍ତି। ତେଣୁ ବ୍ରିସବେନ୍ ଟେଷ୍ଟରେ ଟିମ୍ ଇଣ୍ଡିଆ ବୁମରାଙ୍କ ବ୍ୟତୀତ ପଡ଼ିଆକୁ ଓହ୍ଲାଇବା ପକ୍କା ହୋଇଯାଇଛି।
ସିଡନୀରେ ତୃତୀୟ ଟେଷ୍ଟମ୍ୟାଚ୍ ଖେଳିବା ସମୟରେ ବୁମରା ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କର ଚିକିତ୍ସା କରାଯାଇ ତାଙ୍କୁ ବିଶ୍ରାମ ନେବାକୁ କୁହାଯାଇଛି। ତେଣୁ ଟିମ୍ ମ୍ୟାନେଜମେଣ୍ଟ୍ ତାଙ୍କୁ ବିଶ୍ରାମ ଦେଇ ଚତୁର୍ଥ ଟେଷ୍ଟ ଖେଳିବାକୁ ଚିନ୍ତା କରିଛି।
ତାଙ୍କ ଅନୁପସ୍ଥିତିରେ ଦ୍ରୁତ ବୋଲର ମହମ୍ମଦ ସିରାଜ ଓ ନବଦୀପ ସୈନୀ ଦଳର ନେତୃତ୍ୱ ନେବେ। ତାଙ୍କ ସହ ସାର୍ଦ୍ଦୁଲ ଠାକୁର କିମ୍ବା ଟି ନଟରାଜନଙ୍କ ଭିତରୁ କେହି ଜଣେ ବ୍ରିସବେନ୍ ଟେଷ୍ଟ ଖେଳିପାରନ୍ତି ବୋଲି ରିପୋର୍ଟ ମିଳୁଛି। ତେବେ ବୁମରାଙ୍କ ଦଳରୁ ବାହାର ହେବାକୁ ନେଇ ବିସିସିଆଇ ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ କୌଣସି ଘୋଷଣା କରିନାହିଁ।
ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ ଆରମ୍ଭରୁ ଆହତ ସମସ୍ୟା ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ପାଲଟିଛି। ଏହା ପୂର୍ବରୁ ରବୀନ୍ଦ୍ର ଜାଡ଼େଜା, ମହମ୍ମଦ ସାମି, ମୟଙ୍କ ଅଗ୍ରୱାଲ ମଧ୍ୟ ଆହତ ହୋଇ ଦଳରୁ ବାଦ୍ ପଡ଼ିସାରିଛନ୍ତି। ଏବେ ବୁମରା ଆହତ ହେବା ଦଳକୁ ବଡ଼ କ୍ଷତି ପହଞ୍ଚାଇଛି।