ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କର ପରଲୋକ ହୋଇଛି। ବୁଧବାର କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଗତ ୨୦ ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ପରଲୋକରେ କଟକ ସମେତ ସାରା ରାଜ୍ୟରେ ଦୁଃଖର ଛାୟା ଖେଳି ଯାଇଛି।ସ୍ଵର୍ଗତ ପ୍ରକାଶ ରାଓ ପେଶାରେ ସେ ଜଣେ ଚା’ ବ୍ୟବସାୟୀ ହୋଇଥିଲେ ମଧ୍ୟ ନିଜ ସମାଜସେବା କାର୍ଯ୍ୟପାଇଁ ଦେଶ ବିଦେଶରେ ତାଙ୍କର ବିଶିଷ୍ଟ ପରିଚୟ ରହିଥିଲା। ଏଥିସହ ସେ ତାଙ୍କ ଜୀବନ କାଳ ମଧ୍ୟରେ ୨୧୭ ଥର ରକ୍ତଦାନ କରି ଚର୍ଚ୍ଚାକୁ ମଧ୍ୟ ଆସିଥିଲେ। ସମାଜ ସେବାରେ ବିଶିଷ୍ଟ ଅବଦାନ ପାଇଁ ୨୦୧୯ ମସିହାରେ ତାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ପୁସ୍କାରରେ ସମ୍ମାନିତ କରାଯାଇଥିଲା।ବସ୍ତି ପିଲାଙ୍କୁ ଶିକ୍ଷିତ କରିବା ପାଇଁ ୨୦୦୦ ମସିହାରୁ ରାଓ କଟକ ବକ୍ସି ବଜାର ସ୍ଥିତ ନିଜ ଘରେ “ଆଶା ଆଶ୍ୱାସନା ଗୃହ” ନାମରେ ଏକ ସ୍କୁଲ ଆରମ୍ଭ କରିଥିଲେ। ଏଠାରେ ପିଲାମାନଙ୍କୁ ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ଯାଏଁ ମାଗଣାରେ ପାଠ ପଢ଼ାଯାଏ। ବର୍ତ୍ତମାନ ଏହି ସ୍କୁଲରେ ୭୫ଜଣ ଛାତ୍ର ପାଠ ପଢୁଛନ୍ତି। ଚା’ ଦୋକାନରୁ ହେଉଥିବା ଆୟର ଅଧା ସେ ଏହି ସ୍କୁଲ ପରିଚାଳନାରେ ଖର୍ଚ୍ଚ କରୁଥିଲେ। ଏଥିସହ ପ୍ରତିଦିନ ଦୋକାନ କାମ ସାରି ସେ କଟକ ବଡ଼ ମେଡିକାଲକୁ ଯାଇ ଗରିବ ରୋଗୀଙ୍କ ସେବା କରୁଥିଲେ।

Comment