ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ସ୍ୱର୍ଗତଃ ଡି ପ୍ରକାଶ ରାଓଙ୍କ ସ୍କୁଲର ଦାୟିତ୍ୱ ନେବ କଟକ ଜିଲ୍ଲା ପ୍ରଶାସନ। ପ୍ରକାଶ ରାଓଙ୍କ ଶେଷକୃତ୍ୟ ଅବସରରେ ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ପ୍ରସାଦ ଚୟନୀ। ପ୍ରକାଶ ରାଓଙ୍କ ମହତ ଉଦ୍ଦେଶ୍ୟକୁ ଜାରି ରଖିବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ କରିବ ବୋଲି ସେ କହଛନ୍ତି।

ବସ୍ତିରେ ବାସ କରୁଥିବା ଛୋଟ ଛୋଟ ପିଲା ଅବା ଯେଉଁମାନେ ଅର୍ଥ ଅଭାବରୁ ପାଠ ପଢ଼ିପାରୁ ନଥିଲେ ସେମାନଙ୍କ ପାଇଁ ଶିକ୍ଷିତ କରିବାର ସଂକଳ୍ପ କରିଥିଲେ ପ୍ରକାଶ ରାଓ। ବକ୍ସିବଜାରସ୍ଥିତ ନିଜ ଘରେ ୨୦୦୦ ମସିହାରେ “ଆଶା ଆଶ୍ୱାସନା ଗୃହ” ନାମରେ ପ୍ରକାଶ ଆରମ୍ଭ କରିଥିଲେ ଏକ ସ୍କୁଲ। ଚା’ ଦୋକାନରୁ ଯେତିକି ଆୟ ହେଉଥିଲା ସେହି ଟଙ୍କାରେ ମେଣ୍ଟୁଥିଲା ସ୍କୁଲର ଖର୍ଚ୍ଚ। ପିଲାମାନଙ୍କୁ ପ୍ରାଥମିକ ଶିକ୍ଷା ଦେଇ ସାରିବା ପରେ ସରକାରୀ ସ୍କୁଲରେ ସେମାନଙ୍କ ନାମ ଲେଖାଇ ଦେଉଥିଲେ ପ୍ରକାଶ। ଏବେ ସେହି ସ୍କୁଲରେ ପାଖାପାଖି ୧୦୦ ପିଲା ପାଠ ପଢୁଛନ୍ତି। ପ୍ରକାଶ ରାଓଙ୍କ ପରଲୋକରେ ପରେ କିଏ ଏହି ପିଲାଙ୍କ ଦାୟିତ୍ୱ ନେବ ବୋଲି ସମସ୍ତେ ଚିନ୍ତାରେ ଥିଲେ। କଟକ ଜିଲ୍ଲାପାଳଙ୍କ ଘୋଷଣା ପରେ ଏବେ ପୁଣି ଥରେ ଏହି ପିଲାଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେବ ବୋଲି ଆଶା କରାଯାଉଛି।

ଅନ୍ୟପଟେ ପ୍ରକାଶ ରାଓଙ୍କର ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି। କଟକ କାଳିଆବୋଦା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କୁ ବିଦାୟ ଦିଆଯାଇଛି। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ କଟକ ଏସସିବି ମେଡିକାଲରେ ପ୍ରକାଶ ରାଓଙ୍କ ପରଲୋକ ହୋଇଥିଲା।

Comment