ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଷୀଙ୍କ ପାଇଁ ଦିଲ୍ଲୀରେ ଅନଶନ କରିବେ ସମାଜସେବୀ ଅନ୍ନା ହଜାରେ। କେନ୍ଦ୍ର ସରକାର ଯଦି ଚାଷୀଙ୍କ ସମସ୍ୟା ସମାଧାନ ନକରନ୍ତି ତେବେ ଅନ୍ନା ପୁଣି ଅନଶନରେ ବସିବେ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଚେତାବନୀ ଦେଇଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ପାଖକୁ ଲେଖିଥିବା ଚିଠିରେ ଅନ୍ନା ଲେଖିଛନ୍ତି ଯେ, ସେ ବହୁବାର ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେଣି। ସରକାର କିନ୍ତୁ ଏନେଇ କୌଣସି ଉତ୍ତର ଦେଉନାହାନ୍ତି। ଶେଷରେ ବାଧ୍ୟ ହୋଇ ସେ ଦିଲ୍ଲୀରେ ଅନଶନ କରିବେ ବୋଲି କହିଛନ୍ତି।
ଅନ୍ୟପଟେ ସରକାର ଚାଷୀଙ୍କ ପାଇଁ ୫୦ ପ୍ରତିଶତ ଅଧିକ ଏମଏସପି ବୃଦ୍ଧି କରିବେ ବୋଲି କହିଥିଲେ। ଅର୍ଥମନ୍ତ୍ରୀ ଏହି କଥାକୁ ବଜେଟ୍ ଉପସ୍ଥାପନ ବେଳେ ମଧ୍ୟ ଦୋହରାଇଥିଲେ। ସରକାର କିନ୍ତୁ ତାଙ୍କର ଏହି କଥାକୁ ରଖିନାହାନ୍ତି। ତେଣୁ ଜାନୁଆରି ଶେଷ ସପ୍ତାହ ଆଡକୁ ଅନ୍ନା ଅନଶନରେ ବସିବେ ବୋଲି ଚିଠିରେ କହିଛନ୍ତି।
ଏହାପୂର୍ବରୁ ୨୦୧୧ ମସିହାରେ ଲୋକପାଳ ନିଯୁକ୍ତ କଥାକୁ ନେଇ ଅନ୍ନା ହଜାରେ ଆନ୍ଦୋଳନରେ ବସିଥିଲେ। ସେତେବେଳେ ଏହି ଅନଶନକୁ ଭରପୂର ସମର୍ଥନ ମିଳିଥିଲା। ଅରବିନ୍ଦ କେଜରିୱାଲଙ୍କ ଭଳି ନେତା ଏହି ଆନ୍ଦୋଳନରୁ ହିଁ ରାଜନୀତିରେ ପ୍ରବେଶ କରିଥିଲେ।