ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଥିବା ଚାଷୀମାନେ ସେପ୍ଟେମ୍ବର ୨୭ରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ଆହୁରି ଆକ୍ରମଣାତ୍ମକ ଓ କ୍ରିୟାଶୀଳ କରିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କୃଷକ ସଙ୍ଗଠନର ନେତାମାନେ କହିଛନ୍ତି। ତେବେ ଏହି ଦିନ ସାରା ଦେଶରେ ଟ୍ରେନ ଏବଂ ବସ ସେବା ବନ୍ଦ ରହିବା ନେଇ ଘୋଷଣା କରାଯାଇଛି।

ଆନ୍ଦୋଳନକାରୀ କୃଷକ ନେତାମାନଙ୍କ କହିବା କଥା ଯଦି ସରକାର ସେମାନଙ୍କ ଦାବିକୁ ଗ୍ରହଣ ନ କରନ୍ତି ତେବେ ୨୦୨୨ ମସିହାରେ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସେମାନେ ଶାସକ ବିଜେପି ବିରୋଧରେ ପ୍ରଚାର କରିବେ। ଖାଲି ସେତିକି ନୁହେଁ, ୨୦୨୪ ଲୋକସଭା ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି।

କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଦାବିରେ ଉତ୍ତରପ୍ରଦେଶର ମୁଜାଫରନଗରଠାରେ ଏକ କିଶାନ ମହାପଞ୍ଚାୟତ ଆୟୋଜନ କରାଯାଇଥିଲା। ସେଥିରେ କୃଷକ ଏକତାର ଶକ୍ତି ପ୍ରଦର୍ଶନ କରିବା ପାଇଁ ୧୫ଟି ରାଜ୍ୟର ୩୦୦ରୁ ଅଧିକ କୃଷକ ସଙ୍ଗଠନର ହଜାର ହଜାର ନେତା ଓ କର୍ମୀ ଅଂଶଗ୍ରହଣ କରି ସେମାନଙ୍କର ସଂକଳ୍ପକୁ ଦୋହରାଇବା ସହ ଆନ୍ଦୋଳନ ଜାରି ରଖିବାକୁ ଶପଥ ନେଇଥିଲେ। ଏହି ଅବସରରେ ବିବାଦୀୟ କୃଷି ଆଇନକୁ ବିରୋଧ କରି କୃଷକମାନେ ସର୍ବସମ୍ମତିକ୍ରମେ ସେପ୍ଟେମ୍ବର ୨୭ରେ ସମ୍ପୂର୍ଣ୍ଣ ଭାରତ ବନ୍ଦ ପାଇଁ ଆହ୍ଵାନ ଦେଇଛନ୍ତି।

ଅନ୍ୟପଟେ କୃଷକ ନେତାମାନେ କହିଛନ୍ତି ଆନ୍ଦୋଳନକୁ ସମସ୍ତ ଜାତି, ଧର୍ମ, ରାଜ୍ୟ, ଶ୍ରେଣୀ, କ୍ଷୁଦ୍ର ବ୍ୟବସାୟୀ ଏବଂ ସମାଜର ସମସ୍ତ ବର୍ଗର ସମର୍ଥନ ରହିଛି। ଆଗକୁ ୟୁପିରେ ବିଧାନସଭା ନିର୍ବାଚନ ହେବାକୁ ଅଛି। ସେହି ଦୃଷ୍ଟିରୁ ମୁଜାଫରନଗରରେ ଅନୁଷ୍ଠିତ  ଚାଷୀ ସଂଗଠନର ନେତାଙ୍କ  ଏକାଠି ହେବା ଓ  ମହାପଞ୍ଚାୟତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମାବେଶ ଜରିଆରେ ଶାସକ ବିଜେପିକୁ ଆଗାମୀ ଦିନରେ ଘେରିବା ପାଇଁ ଚାଷୀମାନେ ଏକ ବଡ଼ ପ୍ରସ୍ତୁତି କରୁଛନ୍ତି। ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଓ ଅନ୍ୟ କିଛି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିର ଭୋଟ୍ କମେଇବା ହେଉଛି ଚାଷୀ ସମାବେଶର ଉଦ୍ଦେଶ୍ୟ।

ମୋଦୀ ସରକାରଙ୍କ ପକ୍ଷରୁ ଯେଉଁ ଚାଷ ଆଇନ ପ୍ରଣୟନ କରାଯାଇଛି ତାହା ଚାଷୀମାନଙ୍କ ସମୂହ ଉନ୍ନତିରେ ସାହାଯ୍ୟ କରିବ ବୋଲି ଯୁକ୍ତି କରାଯାଉଥିବାବେଳେ ବିରୋଧୀମାନେ କିନ୍ତୁ ଏହି ଯୁକ୍ତିକୁ ଗ୍ରହଣ  କରିବା ପାଇଁ ରାଜି ନୁହଁନ୍ତି। ମୁଜାଫରପୁରରେ ଅନୁଷ୍ଠିତ ମହାପଞ୍ଚାୟତ କେତେଦୂର କେନ୍ଦ୍ର ସରକାରଙ୍କ ଉପରେ ପ୍ରଭାବ ପକାଇବ ତାହା ଦେଖିବାକୁ ବାକି ରହିଲା। ତେବେ ଏହି ଚାଷୀ ଆନ୍ଦୋଳନ ଯେ ଏକ ରାଜନୈତିକ ରୂପ ଧାରଣ କରିଛି ଏଥିରେ ଦ୍ଵିମତ ନାହିଁ।

Comment