ଓଡ଼ିଶାଲାଇଭ୍‌ ବ୍ୟୁରୋ

ସର୍ବ ଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ଫେବ୍ରୁଆରୀ ୨୬ରେ ବନ୍ଦ ଡାକରା ଦିଆଯାଇଛି। ଏହାକୁ ସମର୍ଥନ କରିଛି ଓଡ଼ିଶାର ୨୦ ଲକ୍ଷ ବ୍ୟବସାୟୀ ସଂଘ। ରାଜ୍ୟରେ ରାଜରାସ୍ତା ଖାଁ ଖାଁ ଦେଖା ଯାଉଥିବାବେଳେ, ସମସ୍ତ ଜିଲ୍ଲାର ଦୋକାନ ବଜାରାରେ ତାଲା ଝୁଲୁଛି। ଛୋଟ ଦୋକାନଠାରୁ ଆରମ୍ଭ କରି ବଡ଼ ବଡ଼ ସପିଂ ମଲ୍ ପର୍ଯ୍ୟନ୍ତ ସମସ୍ତ ସ୍ଥାନକୁ ବନ୍ଦ ରଖାଯାଇଛି। ଜିଏସଟି ସରଳୀକରଣ, ଅନଲାଇନ୍ ବ୍ୟବସାୟ ଉପରେ ପରିବର୍ତ୍ତନ ଆଣିବା ଦାବିରେ ବନ୍ଦ ପାଳନ କରିଛି ଓଡ଼ିଶା ବ୍ୟବସାୟ ସଂଘ। ବନ୍ଦକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାରେ ସତର୍କ ରହିଛି ପୋଲିସ ପ୍ରଶାସନ।

ଭୁବନେଶ୍ୱର :

ଭାରତୀୟ ବ୍ୟବସାୟ ସଂଘର ଦେଶବ୍ୟାପୀ ବନ୍ଦ ଡାକରାକୁ ଭୁବନେଶ୍ୱର ବ୍ୟବସାୟୀ ସଂଘ ସମର୍ଥନ କରିଛି। ଭୁବନେଶ୍ୱରରେ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି। ସମସ୍ତ ସପିଂ ମଲ୍ ବନ୍ଦ ରହିଛି। ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କିଛି କିଛି କୋଚିଂ ସେଣ୍ଟର ଖୋଲା ରହିଥିବା ଦେଖିବାକୁ ମିଳିଛି। ରାଜଧାନୀରେ ଯେପରି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ବା ହିଂସା ସୃଷ୍ଟି ନହୁଏ କିମ୍ବା ଭଙ୍ଗାଭଙ୍ଗି ନହୁଏ, ତାହାକୁ ଦୃଷ୍ଟିରେ ରଖି କମିସନରେଟ ପୋଲିସ ପକ୍ଷରୁ ମୁଖ୍ୟ ସ୍ଥାନମାନଙ୍କରେ ପୋଲିସ ଫୋର୍ସ ମୂତୟନ କରାଯାଇଛି।

ଗାଡ଼ି ଚଳାଚଳ ସ୍ୱାଭାବିକ୍ ରହିଛି। ସିଟି ବସ୍‌, ଓଏସ୍‌ଆରସିଟି ବସ୍ ଚାଲିଛି। ଏମିତିକି ଅଟୋ ଚଳାଚଳ ମଧ୍ୟ କରୁଛି। କହିବାକୁ ଗଲେ ଯାତାୟତରେ କୌଣସି ପ୍ରଭାବ ପଡ଼ିନାହିଁ। ରାଜଧାନୀର ବାପୁଜୀ ନଗରରେ ଦେଖିବାକୁ ମିଳିଛି କୌତୁହଳପୂର୍ଣ୍ଣ ଦୃଶ୍ୟ। ଦୋକାନରେ ସଟର ପକାଇ ବ୍ୟବସାୟୀମାନେ କ୍ରିକେଟ ଖେଳୁଛନ୍ତି।

ଅନ୍ୟପଟେ ଦେଖିବାକୁ ଗଲେ ଭାରତ ବନ୍ଦ ସମୟରେ ପେଟ୍ରୋଲ ପମ୍ପ ବନ୍ଦ ରହିବାର ନଜିର ରହିଛି। କିନ୍ତୁ ଆଜି ଭାରତ ବନ୍ଦ ସମୟରେ ପେଟ୍ରୋଲ ପମ୍ପ ଉପରେ କୌଣସି ପ୍ରଭାବ ପଡ଼ିନାହିଁ। ସବୁଦିନ ଭଳି ଆଜିବି ଖୋଲା ରହିଥିଲା ପେଟ୍ରୋଲ ପମ୍ପ । ମେଡିକାଲ ସେବାରେ କୌଣସି ଅସୁବିଧା ଦେଖା ଯାଇନାହିଁ।

କଟକ :

କଟକ ସହରରେ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି। ଦୋକାନ ବଜାର ବନ୍ଦ ରହିଛି। ଗମନାଗମନ ସ୍ୱାଭାବିକ ରହିଛି। ବସ୍ ଓ ଅଟୋ ସେବା ଜାରି ରହିଛି। ହିଂସାକୁ ନଜରରେ ରଖି ପୋଲିସ ପ୍ରଶାସନ ସଜାଗ ରହିଛି। ବ୍ୟବସାୟୀମାନେ ଭାରତ ବନ୍ଦକୁ ସମର୍ଥନ ଜଣାଇଛନ୍ତି। ଅଲଗା ଦିନ ଅପେକ୍ଷା ଆଜି ଜନଗହଳିପୂର୍ଣ୍ଣ କଟକ ସହରରେ ଗହଳି ଦେଖିବାକୁ ମିଳିନାହିଁ।

ବ୍ରହ୍ମପୁର :

ବ୍ରହ୍ମପୁର ସହରରେ ବନ୍ଦର ପ୍ରଭାବ ଦେଖା ଯାଇଛି। ସହରର ବଡ଼ବଜାରରେ ସମସ୍ତ ଦୋକାନ ବନ୍ଦ ରହିଛି। ଏକାଠି ହୋଇଛନ୍ତି ବ୍ରହ୍ମପୁର ସହରର ବ୍ୟବସାୟୀ ସଂଘ। ବ୍ୟବସାୟୀମାନେ ବେକରେ ପ୍ଲାକାର୍ଡ ଝୁଲାଇ ବନ୍ଦକୁ ସମର୍ଥନ ଜଣାଇଛନ୍ତି। ରାଲି ମାଧ୍ୟମରେ ସହର ପରିକ୍ରମା କରି ଭାରତ ବନ୍ଦକୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ବ୍ରହ୍ମପୁର ବ୍ୟବସାୟୀ ସଂଘ । ବସ୍ ଚଳାଚଳ ବନ୍ଦ ରହିଛି, ସ୍ୱାସ୍ଥ୍ୟସେବାରେ କୌଣସି ଅସୁବିଧା ଦେଖା ଯାଇନାହିଁ।

ରାଉରକେଲା :

ଷ୍ଟିଲ ସିଟି ରାଉରକେଲାରେ ପଡ଼ିଛି ଭାରତ ବନ୍ଦର ପ୍ରଭାବ। ସର୍ବ ଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇଛି ରାଉରକେଲା ବଣିକ ସଂଘ। ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାବେଳେ, ଜରୁରୀକାଳୀନ ସେବାରେ କୌଣସି ପ୍ରଭାବ ପଡ଼ିନାହିଁ। ସହରରେ ଯାନବାହନ ସ୍ୱାଭିବକ୍ ଭାବରେ ଚାଲିଥିବାବେଳେ, ପେଟ୍ରୋଲ ପମ୍ପ ଖୋଲାରହିଛି। ଜିଏସ୍‌ଟି ସରଳିକରଣ, ବିଦେଶି କମ୍ପାନୀ ଏବଂ ଅନଲଇନ୍ ସପିଂ ସାଇଟ୍ ବିରୋଧ କରି ଶୃଙ୍ଖଳତା ସହ ଭାରତ ବନ୍ଦକୁ ସମର୍ଥନ ଜଣାଇଛନ୍ତି ବଣିକ ସଂଘ।

ପୁରୀ :

ଜଗନ୍ନାଥ କ୍ଷେତ୍ର ପୁରୀରେ ଦେଖିବାକୁ ମିଳିଛି ଭାରତ ବନ୍ଦର ପ୍ରଭାବ। ପୁରୀ ବ୍ୟବସାୟୀ ସଂଘ ପକ୍ଷରୁ ଭାରତ ବନ୍ଦକୁ ପାଳନ କରାଯାଇଛି। ସହରରେ ଗାଡ଼ି ମଟର ସ୍ୱାଭାବିକ ଭାବେ ଚଳପ୍ରଚଳ କରୁଛି। ବଜାରରେ ଖାଁ ଖାଁ ପରିସ୍ଥିତି ଦେଖା ଯାଉଥିବାବେଳେ, ଖୋଲା ରହିଛି ମେଡିସିନ ଦୋକାନ। ସବୁଦିନ ଭଳି ଆଜି ସେତେଟା ଗହଳି ଦେଖିବାକୁ ମିଳିନାହିଁ।

କେନ୍ଦ୍ରାପଡ଼ା :

କେନ୍ଦ୍ରାପଡ଼ା ବ୍ୟବସାୟୀ ସଂଘ ପକ୍ଷରୁ ଭାରତ ବନ୍ଦକୁ ସମର୍ଥନ କରାଯାଇଛି। ବଜାରରେ ଛୋଟ ଠାରୁ ଆରମ୍ଭ କରି ବଡ଼ ବଡ଼ ଦୋକାନ ପର୍ଯ୍ୟନ୍ତ ସମସ୍ତ ଦୋକାନ ବନ୍ଦ ରହିଛି। ରାସ୍ତାଘାଟ ଶୂନଶାନ ରହିଛି। ଜରୁରୀକାଳୀନ ପରିସ୍ଥିତିରେ ଲୋକେ ଘରୁ ବାହାରୁ ଥିବା ଦେଖିବାକୁ ମିଳୁଛି। ଅଟୋ ଷ୍ଟାଣ୍ଡ, ବସ୍ ଷ୍ଟାଣ୍ଡ ଆଦି ସହରର ପ୍ରମୁଖ ସ୍ଥାନ ଖାଲି ପଡ଼ିଛି। ଶାନ୍ତିପୂର୍ଣ୍ଣ ଭାବେ ବନ୍ଦକୁ ସମର୍ଥନ ଜଣାଇଛନ୍ତି କେନ୍ଦ୍ରାପଡ଼ା ବ୍ୟବସାୟୀ ସଂଘ।

ଢ଼େଙ୍କାନାଳ :

ସହରର ବ୍ୟବସାୟୀ ସଂଘ ଭାରତ ବନ୍ଦକୁ ସମର୍ଥନ କରିଛନ୍ତି। ବଜାରଘାଟ ଶୂନଶାନ୍ ରହିଛି। ଅଳ୍ପ ସଂଖ୍ୟକ ଲୋକ ରାସ୍ତାରେ ଯାଉଥିବା ଦେଖିବାକୁ ମିଳିଛି। ସହରରେ କୌଣସି ପ୍ରକାରର ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇନାହିଁ। ହିଂସାକୁ ଦୃଷ୍ଟିରେ ରଖି ସହରର ସ୍ଥାନେ ସ୍ଥାନେ ପୋଲିସ ଫୋର୍ସ ମୂତୟନ କରାଯାଇଛି।

ବାଲେଶ୍ୱର :

ବାଲେଶ୍ୱରରେ ଶାନ୍ତିପୂର୍ଣ୍ଣ ଭାବରେ ଚାଲିଛି ବନ୍ଦ ଡାକରା। ବ୍ୟବସାୟୀମାନେ ଜିଏସଟି ସରଳୀକରଣ କରିବାକୁ ଦାବି କରି ସମର୍ଥନ କରିଛନ୍ତି। ସହରରେ କାଁ ଭାଁ ଦୋକାନ ଖୋଲାଥିବା ଦେଖିବାକୁ ମିଳିଛି। ଗାଡ଼ି ଚଳାଚଳ ସ୍ୱାଭାବିକ ରହିଛି । ସହରରେ ମେଡିସିନ ଦୋକାନ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୌଣସି ପ୍ରଭାବ ପଡ଼ିନାହିଁ।

ମାଲକାନଗିରି :

ମାଲକାନଗରିରିରେ ସମ୍ପୂର୍ଣ୍ଣ ଭାବେ ବନ୍ଦର ପ୍ରଭାବ ପଡ଼ିଛି। ଏଠାକର ସ୍ଥାନୀୟ ବ୍ୟବସାୟୀ ସଂଘ ପୂର୍ଣ୍ଣ ମାତ୍ରାରେ ସମର୍ଥନ ଜଣାଇଛନ୍ତି। ସହରର ସମସ୍ତ ଦୋକାନ ବଜାରକୁ ବନ୍ଦ ରଖାଯାଇଛି। ସହରରେ ଚକାବନ୍ଦ କରାଯାଇନଥିଲେ ବି ସ୍ୱାଭାବିକ ରହିଛି ଗାଡ଼ି ଚଳାଚଳ। ସବୁଠାରୁ ମୁଖ୍ୟ କଥା, ବନ୍ଦକୁ ସମର୍ଥନ ଜଣାଇ ସହରରେ ପେଟ୍ରୋଲ ପମ୍ପକୁ ମଧ୍ୟ ବନ୍ଦ କରାଯାଇଛି।

ଜୟପୁର :

ଦକ୍ଷିଣ ଓଡ଼ିଶାର ଦ୍ୱିତୀୟ ବାଣିଜ୍ୟ କେନ୍ଦ୍ର ଭାବେ ପରିଚିତ ଜୟପୁର ସହରରେ ମଧ୍ୟ ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ। ବ୍ୟବସାୟୀ ସଂଘ ସହ ଏହି ବନ୍ଦରେ ସାମିଲ ହୋଇଛନ୍ତି ଟ୍ରକ ମାଲିକ ସଂଘ। ସହରରେ ସମସ୍ତ ଦୋକାନ ବନ୍ଦ ରହିଛି। ହାତରେ ବ୍ୟାନର ଧରି ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଛି ବ୍ୟବସାୟୀ ସଂଘ। ଗାଡ଼ି ଚଳାଚଳ ବନ୍ଦ ରହିଛି, ମେଡିକାଲ ଓ ଜରୁରୀକାଳୀନ ସେବାରେ କୌଣସି ବାଧା ସୃଷ୍ଟି ହୋଇନାହିଁ।

ବରଗଡ଼ :
ବରଗଡ଼ ସହରର ସମସ୍ତ ଦୋକାନରେ ତାଲା ଝୁଲୁଛି। ରାସ୍ତାରେ କମ୍ ସଂଖ୍ୟକ ଲୋକ ଯାତ୍ରାୟକ କରୁଛନ୍ତି। ଗାଡ଼ି ଚଳାଚଳ ବନ୍ଦ ରହିଛି। କୌଣସି ପ୍ରକାର ଅପରାଧିକ କାର୍ଯ୍ୟ ଦେଖାଯାଇନାହିଁ। ମେଡ଼ିସନ ଦୋକାନ, ହସ୍ପିଟାଲ ଖୋଲା ରହିଛି। ବରଗଡ଼ ବ୍ୟବସାୟୀ ସଂଘ ଭାରତ ବନ୍ଦକୁ ସମ୍ପୂର୍ଣ୍ଣ ଭବରେ ସମର୍ଥନ ଜଣାଇଛି।

ନବରଙ୍ଗପୁର :

ସର୍ବଭାରତୀୟ ବ୍ୟବସାୟ ମହାସଂଘ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାର ପ୍ରଭାବ ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଜିଲ୍ଲାରେ ସମସ୍ତ ଛୋଟ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ଓ ପରିବା ବଜାର ମଧ୍ୟ ବନ୍ଦ ରହିଛି। ଜି ଏସଟି ସରଳୀକରଣ , ଇ – କମର୍ସକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଖୋଲା ରହିଥିବା ବେଳେ ଯାନବାହାନ ଚଳାଚଳ ସ୍ୱାଭାବିକ୍ ରହିଛି। ଜିଲ୍ଲା ବାଣିଜ୍ୟ ସଂଘର କର୍ମକର୍ତ୍ତା ଓ ସଦସ୍ୟ ମାନେ ନବରଙ୍ଗପୁର ଗାନ୍ଧୀ ଛକ ଠାରୁ ଏକ ମୋଟର ସାଇକେଲ ରାଲିରେ ବାହାରି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଦାବିପତ୍ର, ଆୟକର ବିଭାଗ ଅଧିକାରୀଙ୍କୁ ଅନ୍ୟ ଏକ ଦାବିପତ୍ର ଦେଇଛନ୍ତି।

ମୋଟାମୋଟି ଭାବେ ଦେଖିବାକୁ ଗଲେ ଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ଓଡ଼ିଶାର ସମସ୍ତ ବ୍ୟବସାୟୀ ସଂଘ ସମର୍ଥନ ଜଣାଇଛନ୍ତି। ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ଡାକରା ସଫଳ ହୋଇଛି। ଗାଡ଼ି ଚଳାଚଳରେ କୌଣସି ସମସ୍ୟା ଦେଖା ଯାଇନାହିଁ। ସାଧାରଣ ଲୋକ ହଇରାଣ ହୋଇନାହାଁନ୍ତି। କୌଣସି ସ୍ଥାନରେ ହିଂସା ସୃଷ୍ଟି ହୋଇନାହିଁ। ଜରୁରୀକାଳୀନ ସେବାରେ ବାଧା ଦିଆଯାଇନାହିଁ।

Comment