ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ଆଜିଠୁ ଟିକାକରଣର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଖୁବ୍‌ କମ ସମୟ ମଧ୍ୟରେ ୨ ପ୍ରକାର ଟିକା ପ୍ରସ୍ତୁତ କରିଥିବାରୁ ଏହି ଅବସରରେ ସେ ଟିକା ପ୍ରସ୍ତୁତକାରୀଙ୍କୁ ପ୍ରଶଂସା କରିବା ସହିତ ପ୍ରଥମ ପର୍ଯ୍ୟାୟ ଟିକାକରଣର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ବୋଲି ପୁଣିଥରେ କହିଛନ୍ତି।

‘‘ଯେଉଁମାନେ ଟିକା ପ୍ରସ୍ତୁତ କରିଛନ୍ତି ସେମାନେ ପ୍ରଥମେ ଟିକା ନେବେ। ସେମାନେ ଟିକା ନେବା ପାଇଁ ହକଦାର’’, କହିଛନ୍ତି ମୋଦୀ।

ଭାରତରେ ସବୁଠାରୁ ବଡ଼ ଟିକାକରଣ ଅଭିଯାନ

ଭାରତରେ ଆଜିଠୁ ସବୁଠାରୁ ବଡ଼ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ବିଶ୍ୱର କୌଣସି ଦେଶରେ ଏଯାଏଁ ଏପରି ଟିକାକରଣ ହୋଇନାହିଁ। କାରଣ ବିଶ୍ୱରେ ୧୦୦ଟି ଦେଶର ଲୋକଙ୍କ ସଂଖ୍ୟା ୩ କୋଟିରୁ କମ୍‌। କିନ୍ତୁ ଭାରତରେ ପ୍ରଥମ ପ୍ରର୍ଯ୍ୟାୟରେ ହିଁ ୩ କୋଟି ଟିକା ଦେବାର ବ୍ୟବସ୍ଥା କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଦେଶରେ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବ ବୋଲି କହିଛନ୍ତି ମୋଦୀ।

ଟିକା ଆସିଥିଲେ ବି କଟକଣା ଭୁଲନ୍ତୁ ନାହିଁ

ଟିକା ବାହାରିଛି କିନ୍ତୁ କରୋନା ଯାଇନାହିଁ। ତେଣୁ ଯାହା ବି କଟକଣା ରହିଛି ତାହା ମାନିକି ଚଳନ୍ତୁ ବୋଲି ଜନସାଧାରଣଙ୍କୁ ଆଜି ଅନୁରୋଧ କରିଛନ୍ତି ମୋଦୀ। ସାମାଜିକ ଦୂରତା ବଜାୟ ରଖନ୍ତୁ ଓ ମାସ୍କ ପିନ୍ଧିବା ଜାରି ରଖନ୍ତୁ, ହାତ ଧୁଅନ୍ତୁ, ସାନିଟାଇଜର ବ୍ୟବହାର କରନ୍ତୁ ବୋଲି କହିଛନ୍ତି ମୋଦୀ।

ଲକଡାଉନ, ସଟଡାଉନ କଥା ମନେ ପକାଇଲେ ମୋଦୀ

ଟିକାକରଣ କାର୍ଯ୍ୟକ୍ରମର ଉଦଘାଟନ ସମୟରେ ପୁରୁଣା ଦିନକୁ ମନେ ପକାଇ ଭାବବିହ୍ୱଳ ହୋଇଛନ୍ତି ମୋଦୀ।

‘‘କରୋନା ଯେତେବେଳେ ଦେଶରେ ପ୍ରବେଶ କରିଥିଲା, ସେତେବେଳେ ଭାରତ ପ୍ରଥମ ଦେଶ ଭାବେ ଜନତା କର୍ଫ୍ୟୁ ଘୋଷଣା କରିଥିଲା। ଜନତା କର୍ଫ୍ୟୁରୁ ଶିକ୍ଷା ମିଳିଲା, ଲକଡାଉନ, ସଟଡାଉନ ହେଲା। ଏହାଦ୍ୱାରା ଦେଶକୁ ଅନେକ ଉପକାର ମିଳିଛି। ଭାରତର ଏହି ଫର୍ମୁଲାକୁ ବିଶ୍ୱର ଅନେକ ଦେଶ ଅନୁସରଣ କରିଛନ୍ତି’’, କହିଛନ୍ତି ମୋଦୀ।

ସେ ଆହୁରି ମଧ୍ୟ କହିଛନ୍ତି,‘‘କରୋନା ଅନେକଙ୍କୁ ପରିବାର ଲୋକଙ୍କଠାରୁ ଦୂରେଇ ଦେଇଥିଲା। ହସ୍ପିଟାଲରେ ଥିବା ବ୍ୟକ୍ତିଙ୍କୁ ପରିବାର ଲୋକେ ଭେଟିପାରିଲେନି। କରୋନାରେ ମୃତକଙ୍କ ଶେଷକୃତ୍ୟ ବି ଠିକ୍‌ ସେ ହୋଇପାରିନାହିଁ’’।

ବୃହତ୍ତ ଟିକାକରଣ ଭାରତର ସାମର୍ଥ୍ୟକୁ ଦେଖାଇଛି। ତେଣୁ ଦେଶବାସୀ କରୋନା ଟିକାକରଣକୁ ନେଇ ହେଉଥିବା ଗୁଜବଠାରୁ ଦୂରେଇ ରହନ୍ତୁ ବୋଲି କହିଛନ୍ତି ମୋଦୀ।

Comment