ଓଡ଼ିଶାଲାଇଭ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ) : ପାରାଦୀପ ବନ୍ଦର ସହଯୋଗରେ କେନ୍ଦ୍ରାପଡ଼ା ଜିଲ୍ଲାର ମହାନଦୀର ଆଖଡାଶାଳୀଠାରେ ନିର୍ମାଣ ହେବାକୁ ଯାଉଛି ଏକ ନଦୀଭିତ୍ତିକ ବନ୍ଦର। ଏତଦବ୍ୟତୀତ କେନ୍ଦ୍ରାପଡା ଜିଲ୍ଲାରେ ଏକ ବୃହତ ଇସ୍ପାତ ଶିଳ୍ପ ନିର୍ମାଣ କରାଯିବ। ଜିଲ୍ଲାକୁ ଦୁଇଦିନିଆ ଗସ୍ତରେ ଆସିଥିବା କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ଘୋଷଣା କରିଛନ୍ତି।

ଇସ୍ପାତ ଶିଳ୍ପ ପ୍ରତିଷ୍ଠା କରାଗଲେ କେନ୍ଦ୍ରାପଡା ଜିଲ୍ଲାରେ ଏକ ନୂଆ ଶିଳ୍ପାଞ୍ଚଳ ଗଢିଉଠିବ। ସେଠାରେ କେନ୍ଦ୍ରାପଡା ଜିଲ୍ଲାର ବହୁଯୁବକ ଯୁବତୀ ରୋଜଗାର ପାଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି।

‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପୂର୍ବ ଭାରତର ବିକାଶ ଲକ୍ଷ୍ୟ ରହିଛି  ଏହି କ୍ରମରେ ଉପକୂଳ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ବିକାଶ ଏଥିରେ ଯୋଡ଼ି ହୋଇଛି’’ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

କୋଷ୍ଟାଲ ହାଇଓ୍ୱେ ଯୋଗୁଁ ଉପକୃତ ହେବ କେନ୍ଦ୍ରାପଡ଼ା

ସେହିପରି ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ୪୫୧ କିଲୋମିଟର ଲମ୍ବ ଦୀଘା- ଗୋପାଳପୁର ଉପୂକଳ ରାଜପଥ ବା କୋଷ୍ଟାଲ ହାଇଓ୍ୱେ କେନ୍ଦ୍ରପଡ଼ା ସମେତ ଉପକୂଳ ଓଡ଼ିଶାର ଜୀବନରେଖା ହେବ। ଏହି ପ୍ରକଳ୍ପରେ କେନ୍ଦ୍ର ସରକାର ୧୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତ। ରାଜ୍ୟ ସରକାରଙ୍କ ସହଯୋଗରେ ଏହାର ନିର୍ମାଣ କାର୍ଯ୍ୟ ଜଲଦି ସରିବ ବୋଲି ସେ କହିଛନ୍ତି।

ହରିଦାସପୁର-ପାରାଦୀପ ଯାତ୍ରାବାହୀ ରେଳଲାଇନର ଲୋକାର୍ପଣ

ସେହିପରି କେନ୍ଦ୍ରାପଡା ଜିଲ୍ଲା ଦେଇ ହରିଦାସପୁର ପାରାଦୀପ ରେଳପଥରେ ଏଣିକି ଯାତ୍ରୀବାହୀ ରେଳ ଚଳାଚଳ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଏହା ଖୁବଶୀଘ୍ର ଉଦଘାଟନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

କରୋନା ଯୋଦ୍ଧାଙ୍କୁ କଲେ ସମ୍ବର୍ଦ୍ଧିତ

ଏହି ଅବସରରେ ସେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କରୋନା ଯୋଦ୍ଧାମାନଙ୍କ ସହିତ ଆଲୋଚନା କରିଥିଲେ। କେନ୍ଦ୍ରାପଡ଼ା ସର୍କିଟ ହାଉସଠାରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ କରୋନା ଯୋଦ୍ଧାମାନଙ୍କୁ ଧର୍ମେନ୍ଦ୍ର ପ୍ରଧାନ ସମ୍ବର୍ଦ୍ଧିତ କରିଥିଲେ। ଜିଲ୍ଲାର ପାଖାପାଖି ୭୦୦୦ କରୋନା ଯୋଦ୍ଧାମାନଙ୍କୁ ମାଗଣାରେ କେନ୍ଦ୍ର ସରକାର ଏହି କରୋନା ଟିକା ଦେଉଥିବା ସେ କହିଥିଲେ।

ଏହାପରେ ଧର୍ମେନ୍ଦ୍ର ପ୍ରଧାନ ତୁଳସୀକ୍ଷେତ୍ରର ମହାପ୍ରଭୁ ବଳଦେବଜୀୟୁଙ୍କ ଆଶୀର୍ବାଦ ଭିକ୍ଷା କରିବାକୁ ଯାଇଥିଲେ। ମନ୍ତ୍ରୀଙ୍କ ସହିତ କେନ୍ଦ୍ରାପଡା ଜିଲ୍ଲା ବିଜେପି ସଭାପତି କିଶୋର କୁମାର ପଣ୍ଡା, ବିଜେପିର ପୂର୍ବତନ ରାଜ୍ୟ ଉପସଭାପତି ଭୂବନମୋହନ ଜେନା , ବିଜେପି ନେତା ଅଲେଖ କୁମାର ଜେନା, ବୈଦ୍ୟନାଥ ଚାଟାର୍ଜୀ ଆଦି ଶତାଧିକ ବିଜେପି ନେତାମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଜିଲ୍ଲାର ଭିତରକନିକା ଓ ବଳଦେବଜୀୟୁଙ୍କ ମନ୍ଦିରରେ ବଳଦେବଜୀୟୁଙ୍କ ଦର୍ଶନ କରିବାରେ ସହାୟତା କରିଥିଲେ।

ଗତ ୨୩ ତାରିଖରେ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରାପଡ଼ା ଜିଲ୍ଲାକୁ ୨ ଦିନିଆ ଗସ୍ତରେ କରିଥିଲେ। ପ୍ରଥମ ଦିନରେ ଭିତରକନିକାର ଇକୋରିଟ୍ରିଟ୍ ସେଣ୍ଟରରେ ରାତ୍ରୀଯାପନ କରିଥିଲେ। ୨୪ ତାରିଖରେ ସେ ଭିତରକନିକାର ବିଭିନ୍ନ ଅଞ୍ଚଳ ଡଙ୍ଗାରେ ବୁଲି ଭିତରକନିକାର ସୌନ୍ଦର୍ଯ୍ୟରେ ବିମୋହିତ ହୋଇଥିଲେ। ରାଜନଗର ଡିଏଫ୍ଓ ବିକାଶରଞ୍ଜନ ଦାସ ଓ ବନ ବିଭାଗର ପ୍ରମୁଖ ପଦାଧିକାରୀମାନଙ୍କ ସହିତ ସେ ଭିତରକନିକାର ବିଭିନ୍ନ ବୈଭବ ସମ୍ପର୍କରେ ଆଲୋଚନା କରିଥିଲେ। ଭିତରକନିକାର ବଉଳା କୁମ୍ଭୀର, ହରିଣ, ଭିତରକନିକାକୁ ବୁଲି ଆସୁଥିବା ବିଦେଶୀ ପକ୍ଷୀ ଓ ଗହୀରମଥାର ଅଲିଭ ରିଡଲେ ସାମୁଦ୍ରିକ କଇଁଛମାନଙ୍କର ଏହା ନିର୍ଭୟ ଆଶ୍ରୟ ସ୍ଥଳ ହୋଇଥିବା ଶୁଣି ସେ ବିସ୍ମିତ ହୋଇଥିଲେ।

କେନ୍ଦ୍ର ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଓ ପର୍ଯ୍ୟାବରଣ ବିଭାଗର ମନ୍ତ୍ରୀଙ୍କୁ ଏହି ଭିତରକନିକାକୁ ବୁଲାଇ ଆଣି ରାଜ୍ୟ ସରକାରଙ୍କ ପରାମର୍ଶରେ ଏହାର ଅଧିକ ବିକାଶ କରାଯିବାକୁ କେନ୍ଦ୍ରମନ୍ତ୍ରୀ କହିଥିଲେ।

Comment