ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ସହାୟକ ହେବ ‘ପରୀକ୍ଷା ଦର୍ପଣ’। ବୁଧବାର ‘ପରୀକ୍ଷା ଦର୍ପଣ’ ପୁସ୍ତକର ଉନ୍ମୋଚନ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମାଟ୍ରିକ ପରୀକ୍ଷାର ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତରକୁ ନେଇ ପ୍ରସ୍ତୁତ ହୋଇଛି ୭୦୦ ପୃଷ୍ଠା ବିଶିଷ୍ଟ ଏହି ‘ପରୀକ୍ଷା ଦର୍ପଣ’। ଯାହାକୁ ପଢ଼ି ପିଲାମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବେ।

ମାଟ୍ରିକ ପରୀକ୍ଷା ଦେବାକୁ ଥିବା ୬ ଲକ୍ଷ ୨୦ ହଜାର ୫୦୮ ଜଣ ପିଲାଙ୍କୁ ଏହି ପୁସ୍ତକ ମିଳିବ। ଏହି ପୁସ୍ତିକା ଜରିଆରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଚାପ କମାଇବାକୁ ଯୋଜନା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।

ଫ୍ରେବ୍ରୁଆରି ୧୨ ସୁଦ୍ଧା ଏହି ପୁସ୍ତକ ସବୁ ଜିଲ୍ଲା ଅଧିକାରୀଙ୍କ ପାଖରେ ପହଞ୍ଚିବ। ଏହାପରେ ଫେବ୍ରୁଆରି ୧୫ ସୁଦ୍ଧା ସବୁ ପିଲାଙ୍କ ନିକଟରେ ପୁସ୍ତକ ପହଞ୍ଚାଇବାକୁ ଲକ୍ଷ୍ୟ ରହିଛି। ଆଜି ପ୍ରଥମ ପର୍ଯ୍ୟାୟରେ ନୂଆପଡ଼ା, ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଜିଲ୍ଲାକୁ ପୁସ୍ତକ ପଠାଯାଇଛି।

କୋଭିଡ ମହାମାରୀ ଯୋଗୁ ରାଜ୍ୟରେ ସ୍କୁଲଗୁଡ଼ିକ ଗତବର୍ଷ ମାର୍ଚ୍ଚ ୧୭ ତାରିଖରୁ ବନ୍ଦ ରହିଥିଲା। ପିଲାମାନଙ୍କ ପାଠପଢ଼ା ପ୍ରଭାବିତ ହୋଇଥିଲା। ପିଲାଙ୍କ ଚାପ କମ କରିବାକୁ ୩୦ ପ୍ରତିଶତ ସିଲାବସକୁ କମାଇ ଦିଆଯାଇଥିଲା ବେଳେ ଏବେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ପୁସ୍ତକ ଯୋଗାଇ ଦିଆଯିବ।

Comment