ଓଡ଼ିଶାଲାଇଭ୍‌ ବ୍ୟୁରୋ

ବନ୍ଧୁକ, ଛୁରୀ ଆଉ କଟୁରୀ ଧରି ଡକାୟତି କରିବାକୁ ସଜବାଜ ହେଉଥିବା ଦଳେ ଡକାୟତଙ୍କୁ କାବୁ କରିଛି ପୋଲିସ। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହର ପାଖ କଟକ-ଚାନ୍ଦବାଲି ରାଜପଥ ବଙ୍ଗାଳୀଦିଆ  ବ୍ରିଜ୍‌ଠାରେ ରାତିରେ ପୋଲିସ ଚଢ଼ାଉ କରି ଏକ ଲୁଟେରା ଗ୍ୟାଙ୍ଗକୁ ଧରି କୋର୍ଟ ଚାଲାଣ କରିଛି। ଏମାନଙ୍କ ନାମରେ ବହୁ ଅପରାଧିକ ମାମଲା ରହିଥିବା ପୋଲିସ ଫାଇଲ କହୁଛି।

ଗିରଫ ଲୁଟେରା ହେଲେ ଏହି ଥାନା ଅନ୍ତର୍ଗତ ମୁଳବସନ୍ତ କେଳାସାହି ଗ୍ରାମର ମୁନା ଦାସ,ପୋଖରିଆପଡା ଗ୍ରାମର ଡାଙ୍ଗୁ ଓରଫ ପ୍ରଶାନ୍ତ ମଲିକଶୁଖୁଆପଡା ବେଲତଳ ଗ୍ରାମର ବଳିଆ ଓରଫ ବିଶ୍ୱରଞ୍ଜନ ଦାସ, ପୋଖରିଆପଡ଼ା ଗ୍ରାମର ଭୋଳାନାଥ ବେହେରା, ପଟ୍ଟାମୁଣ୍ଡାଇ ବସ୍ତି ଅଞ୍ଚଳର ସବିର ଖାନ,ସକବତ୍ ଅଲ୍ଲୀ ଖାନ ଏବଂ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନିଳକଣ୍ଠପୁର ଗ୍ରାମର ନାରୁ ଓରଫ  ନରେଶ ଦାସ।

ସେମାନଙ୍କଠାରୁ ବିନା ଗୁଳିର ଏକ ବନ୍ଧୁକ, ତିନୋଟି ମୋବାଇଲ ଫୋନ, ତେଲେଙ୍ଗା କଟୁରୀ, ଦୁଇଟି ଛୁରୀ ଆଦି ମାରଣାସ୍ତ୍ର ଜବତ ହୋଇଛ । ଏ ନେଇ ଥାନାରେ ଧାରା ୩୯୯, ୪୦୨ ଆଇପିସି/୨୫ ଆର୍ମ୍‌ସ ଆକ୍ଟରେ ଏକ ମାମଲା(ନଂ୬୦/୨୦୨୧) ରୁଜୁ କରାଯାଇଛି । ଗିରଫ ୭ ଜଣଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ପୋଲିସଠାରୁ ସୂଚନା ମିଳିଛି।

ଉକ୍ତ ବ୍ରିଜ୍‌ଠାରେ ଗ୍ୟାଙ୍ଗର ୭ ଜଣ ଯୁବକ ରାତିରେ ପେଟ୍ରୋଲ ପମ୍ପ ଓ ରାଜପଥରୁ ଡକାୟତି ପାଇଁ ଯୋଜନା କରୁଥିଲେ। ବିଶେଷ ସୂତ୍ରରୁ ଖବର ପାଇ ସବ ଇନ୍ସପେକ୍ଟର ବିଲ୍ୱମଙ୍ଗଳ ସେଠି ଆଇଆଇସି ରାକେଶ କୁମାର ତ୍ରିପାଠୀଙ୍କୁ ଜଣାଇଥିଲେ। ଆଇଆଇସିଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ସେଠିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ସେଠାରେ ଅତର୍କିତ ଚଢ଼ାଉ କରି ୭ ଜଣ ଡକାୟତଙ୍କୁ ଗିରଫ କରିବାରେ ସମର୍ଥ ହୋଇଥିଲା। ଏହି ଗ୍ୟାଙ୍ଗ ଜିଲ୍ଲା ଓ ଜିଲ୍ଲା ବାହାରେ ବିଭିନ୍ନ ଲୁଟ୍‌, ଛିନ୍‌ତାଇ, ରାହାଜାନୀ, ଡକାୟତି ଓ ବାଇକ୍‌ ଚୋରି ମାମଲାରେ ସମ୍ପୃକ୍ତ ଥିବା ପୋଲିସ କହିଛି। ଜିଲାର ଅନ୍ୟ ଥାନାରେ ମଧ୍ୟ ଗିରଫ ଓ ଫେରାର ଅଭିଯୁକ୍ତଙ୍କ ନାମରେ ବହୁ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି।

Comment