ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା କାଳରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ ଆଗତ ହୋଇଛି। ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନା କରି ଦରମା ପାଉଥିବା ବର୍ଗର ଲୋକଙ୍କ ପାଇଁ ବ୍ୟାପକ ଟିକସ ଛାଡ଼ ଘୋଷଣା କରିଛନ୍ତି। ସେହିପରି ପ୍ରବାସୀ ଭାରତୀୟମାନଙ୍କୁ ଦ୍ୱୈତ ଟିକସରୁ ମୁକ୍ତି ଦିଆଯିବ ବୋଲି ବଜେଟରେ ଘୋଷଣା ହୋଇଛି। ଏନେଇ ଖୁବ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ସେହିଭଳି ଟିକସ ଅଡିଟ ପରିମାଣକୁ ଦଶ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୫ କୋଟି ରହିଥିଲା। ବଜେଟରେ ବେତନଧାରୀଙ୍କ ପାଇଁ ଅର୍ଥମନ୍ତ୍ରୀ ସ୍ଵତନ୍ତ୍ର ଘୋଷଣା କରିଛନ୍ତି। ଟିକସ ଆଦାୟ ବ୍ୟବସ୍ଥାକୁ ସରଳ କରିବା ସହ ଅନେକ ଗୁଡ଼ିଏ ଛାଡ଼ ଯୋଗୁଁ ବେତନଭୋଗୀଙ୍କୁ ଅଯଥା ଟିକସ ଓକିଲଙ୍କ ପାଖକୁ ଯିବାକୁ ହେଉଥିଲା। ଏବେ ତାହା ଆଉ ହେବ ନାହିଁ ବୋଲି ନିର୍ମଳା କହିଛନ୍ତି। ଗତ ବର୍ଷ ବଜେଟରେ ଦରମା ପାଉଥିବା ଲୋକଙ୍କୁ ଦୁଇଟି ବିକଳ୍ପ ଦିଆ ଯାଇଥିଲା – ଛାଡ଼ ବ୍ୟବସ୍ଥା ବିନା ନୂଆ ଟିକସ ହାର ଅଥବା ଛାଡ଼ ବ୍ୟବସ୍ଥା ସହ ପୁରୁଣା ଟିକସ ହାର।ଅର୍ଥମନ୍ତ୍ରୀ ସୋମବାର ଦିନ ତାଙ୍କ ବଜେଟରେ ଇନକମ ଟ୍ୟାକ୍ସର ଏହି ସ୍ଲାବ ଘୋଷଣା କରିଛନ୍ତି:
ଅଢ଼େଇ ଲକ୍ଷରୁ କମ ଆୟ – କୌଣସି ଟିକସ ନାହିଁ
ଅଢେଇରୁ ପାଞ୍ଚ ଲକ୍ଷ ଆୟ – ୫ ପ୍ରତିଶତ ଟିକସ
ପାଞ୍ଚ ଲକ୍ଷରୁ ସାଢ଼େ ସାତ ଲକ୍ଷ – ୧୦ ପ୍ରତିଶତ ଟିକସ
ସାଢ଼େ ସାତ ଲକ୍ଷରୁ ଦଶ ଲକ୍ଷ – ୧୫ ପ୍ରତିଶତ ଟିକସ
ଦଶରୁ ସାଢ଼େ ବାର ଲକ୍ଷ – ୨୦ ପ୍ରତିଶତ ଟିକସ
ସାଢ଼େ ବାର ଲକ୍ଷରୁ ପନ୍ଦର ଲକ୍ଷ – ୨୫ ପ୍ରତିଶତ ଟିକସ
ପନ୍ଦର ଲକ୍ଷରୁ ଅଧିକ – ୩୦ ପ୍ରତିଶତ ଟିକସ ବରିଷ୍ଠ ନାଗରିକଙ୍କୁ ରିଟର୍ଣ୍ଣ ଛାଡ଼
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ବର୍ଷ ବଜେଟରେ ବରିଷ୍ଠ ନାଗରିକମାନଙ୍କୁ ଏକ ବଡ଼ ରିହାତି ଦେଇଛନ୍ତି। ୭୫ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ ବ୍ୟକ୍ତିଙ୍କ ପାଇଁ ଆୟକର ରିଟର୍ଣ୍ଣ ଛାଡ଼ କରାଯାଇଛି।
“ଦେଶ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପାଳନ କରିବାକୁ ଯାଉଥିବା ବେଳେ ବରିଷ୍ଠ ନାଗରିକଙ୍କ ଉପରେ ଆମେ ଟ୍ୟାକ୍ସ ଫାଇଲ କରିବାର ବୋଝ ଆଉ ଲଦିବୁ ନାହିଁ “, କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ।
ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଯେଉଁ ବରିଷ୍ଠ ନାଗରିକ ମାନେ କେବଳ ପେନସେନ ଓ ବ୍ୟାଙ୍କ ସୁଧରେ ଚଳୁଛନ୍ତି କେବଳ ସେମାନଙ୍କୁ ଏଣିକି ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବ ନାହିଁ।