ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ବଢୁଥିବା ପ୍ରଦୂଷଣକୁ ରୋକିବା ପାଇଁ ନୂଆ ସ୍କ୍ରାପ୍ ପଲିସି ଆଣିଛନ୍ତି କେନ୍ଦ୍ର ସରକାର। ଏଣିକି ୨୦ ବର୍ଷର ପୁରୁଣା ଗାଡ଼ିକୁ ଚଳାଇବାକୁ ଅନୁମତି ଦିଆଯିବ ନାହିଁ। ଏହି ନୀତି ଅନୁସାରେ ପୁରୁଣା ଗାଡ଼ିକୁ ରାସ୍ତାରୁ ହଟାଇବା ଏବଂ କେତେଦିନ ପର୍ଯ୍ୟନ୍ତ ଗାଡ଼ିକୁ ଚଲାଯାଇପାରିବ ସେ ନେଇ ପରିବହନ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

୨୦୨୧-୨୨ ଆର୍ଥିକ ବର୍ଷର ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ଘୋଷଣା କରିଛନ୍ତି। ଭାରତକୁ ପ୍ରଦୂଷଣମୁକ୍ତ କରିବା ଲକ୍ଷ୍ୟରେ ରାସ୍ତାରୁ ପୁରୁଣା ଗାଡ଼ି ହଟାଇବାକୁ ସରକାର ଏହି ନୂଆ ନୀତି ଲାଗୁ କରିଛନ୍ତି।

ଏହି ନୂଆ ନିୟମ ଅନୁସାରେ କମର୍ସିଆଲ ଗାଡ଼ି ପାଇଁ ୧୫ ବର୍ଷ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଘରୋଇ ଗାଡ଼ି ପାଇଁ ୨୦ ବର୍ଷ ସମୟ ଧାର୍ଯ୍ୟ ହୋଇଛି। ଆଜିର ବଜେଟରେ କେନ୍ଦ୍ର କ୍ୟାବିନେଟରେ ପକ୍ଷରୁ ଏହି ନୂଆ ନୀତିକୁ ଅନୁମୋଦନ ମିଳିସାରିବା ପରେ ଭାରତ ଏବେ ଏକ ଅଟୋମୋବାଇଲ ହବରେ ପରିଣତ ହୋଇପାରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ପୂର୍ବରୁ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଦେଶରେ ଲାଗୁ ହେବାକୁ ଥିବା ନୂଆ ସ୍କ୍ରାପ୍ ପଲିସି ବିଷୟରେ ସୂଚନା ଦେଇଥିଲେ। ସମ୍ପୃକ୍ତ ମନ୍ତ୍ରାଳୟ ଦ୍ଵାରା ଏହି ପଲିସି ପାରିତ ହୋଇସାରିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ବାବଦରେ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଥିଲେ।

ସ୍କ୍ରାପ ପଲିସି କ’ଣ?

ସ୍କ୍ରାପ ପଲିସି ହେଉଛି ଗାଡ଼ିର ଫିଟ୍‌ନେସ୍ ଟେଷ୍ଟିଂ ଓ ପଲ୍ୟୁସନ୍ ଟେଷ୍ଟିଂ। ସ୍କ୍ରାପ୍ ପଲିସି ଲାଗୁହେଲେ ପୁରୁଣା ଗାଡ଼ି ହଟିବା ସହ ପ୍ରଦୂଷଣ କମିବ। ତେବେ ଯାହାର ପୁରୁଣା ଗାଡ଼ି ଯିବ, ନୂଆ ଗାଡ଼ି କିଣିବା ସମୟରେ ଗ୍ରାହକଙ୍କୁ ଅତିରିକ୍ତ ରିହାତି ମିଳିବ। ଯଦି ଆପଣଙ୍କ ଗାଡ଼ି ପ୍ରଦୁଷଣମୁକ୍ତ ଓ ଫିଟନେସ୍ ରହୁଛି, ତେବେ ଏନେଇ ଚିନ୍ତା କରିବା ଦରକାର ନାହିଁ। ଏହାର ମୂଳ ଲକ୍ଷ୍ୟ ହେଲା ପ୍ରଦ୍ୟୁଷଣ ବଢାଉଥିବା ଗାଡ଼ିଗୁଡ଼ିକୁ ରିସାଇକିଲିଂ କରି ମଡର୍ଣ୍ଣ ଯାନକୁ ବଜାରକୁ ଛାଡ଼ିବା। ଏହି ନୂଆ ନୀତି ଫଳରେ ଦେଶରେ ଇଲେକ୍ଟ୍ରିକାଲ ଯାନର ଚାହିଦା ବଢ଼ିବ।

Comment