ଓଡ଼ିଶାଲାଇଭ୍ ବ୍ୟୁରୋ

କଟକର ସନ୍ ହସ୍ପିଟାଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଲେ କଟକ ଜିଲ୍ଲାପାଳ। ଅଗ୍ନିକାଣ୍ଡର କାରଣ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ସନ୍ତୋଷଜନକ ଉତ୍ତର ଦେଇନାହାନ୍ତି। ତେଣୁ ଅଗ୍ନି ନିରାପତ୍ତା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ଯେ ପର୍ଯ୍ୟନ୍ତ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରି ନାହାନ୍ତି ସେ ପର୍ଯ୍ୟନ୍ତ ହସ୍ପିଟାଲକୁ ସାମୟିକ ଭାବେ ବନ୍ଦ ରଖାଯିବ। ଏନେଇ ବୁଧବାର କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି।

ଫେବ୍ରୁଆରି ୧ ତାରିଖରେ କଟକ ବିଜୁପଟ୍ଟନାୟକ ଛକସ୍ଥିତ ସନ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ହସ୍ପିଟାଲ ବିଲଡିଂର ଉପର ମହଲାର କ୍ୟାଣ୍ଟିନରେ ନିଆଁ ଲାଗିଥିଲା। ଓ୍ଵେଲଡିଂ କାମ ଯୋଗୁଁ ସର୍ଟସର୍କିଟ ହୋଇ ଅଗ୍ନିକାଣ୍ଡ ହୋଇଥିବା ପ୍ରାଥମିକ ପର୍ଯ୍ୟାୟରେ ଜଣା ପଡ଼ିଥିଲା। ତେବେ ଘଟଣା ସମୟରେ ସମସ୍ତ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯିବାରୁ କେହି ମୃତାହତ ହୋଇ ନଥିଲେ।

ଏହାପରେ କ’ଣ ପାଇଁ ନିଆଁ ଲାଗିଲା ସେ ନେଇ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କୁ ସୋ’ କଜ୍ ବା କାରଣ ଦର୍ଶାଅ ନୋଟିସ୍ କରିଥିଲା ଜିଲ୍ଲା ପ୍ରଶାସନ। କିନ୍ତୁ ହସ୍ପିଟାଲ ପକ୍ଷରୁ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ବୁଧବାର ସାମୟିକ ଭାବେ ପ୍ରଶାସନ ହସ୍ପିଟାଲ୍‌କୁ ବନ୍ଦ କରି ଦେଇଛି। ଅନ୍ୟପଟେ ହସ୍ପିଟାଲର ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ସୂଚନା ମିଳୁଛି। କେବଳ ସନ୍ ହସ୍ପିଟାଲ ହିଁ ନୁହେଁ କଟକର ଏକାଧିକ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଶୁଣିବାକୁ ମିଳୁଛି। ତେଣୁ ଏ ନେଇ ଆଗକୁ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Comment