ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନ ୮୩ ଦିନରେ ପହଞ୍ଚିଛି। ଏହାରିମଧ୍ୟରେ ଆନ୍ଦୋଳନକୁ ଉସକାଉଥିବା ଲୋକଙ୍କ ପୋଲିସ ଖୋଜିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଆନ୍ଦୋଳନକୁ ଉସକାଇବା ପାଇଁ ତିଆରି କରାଯାଇଥିବା ‘ଟୁଲକିଟ୍’‌ ସେୟାର କରିବା ମାମଲାରେ ଦିଲ୍ଲୀ ପୋଲିସର ସାଇବର ସେଲ ବେଙ୍ଗଳୁରୁର ଜଣେ ୨୨ ବର୍ଷୀୟା ପରିବେଶ କର୍ମୀ ଦିଶା ରବିଙ୍କୁ ଗିରଫ କରିଛି।

କୃଷି ଆନ୍ଦୋଳନ ସମର୍ଥନରେ ସ୍ୱିଡେନର ପରିବେଶ କର୍ମୀ ଗେଟ୍ରା ଥନବର୍ଗ କିଛି ଦିନ ପୂର୍ବରୁ ଟୁଇଟରରେ ଏକ ‘ଟୁଲକିଟ’ ସେୟାର କରିଥିଲେ। ଚାଷୀ ଆନ୍ଦୋଳନ କେଉଁଭଳି ଭାବେ ବ୍ୟାପକ ହୋଇପାରିବ ତାହା ଉକ୍ତ ଟୁଲକିଟରେ ଉଲ୍ଲେଖ ଥିଲା। ତେବେ ଦିଶା ଏହି ‘ଟୁଲକିଟ’କୁ ଏଡିଟ କରିବା ସହିତ ଫରଓ୍ୱାର୍ଡ କରିଥିବା ଅଭିଯୋଗ ହୋଇଛି।

ଦିଲ୍ଲୀ ପୋଲିସ ‘ଟୁଲକିଟ’ ସହିତ ଜଡ଼ିତ ଇମେଲ ଆଇଡି, ଡୋମେନ ୟୁଆରଏଲ ଓ ଅନ୍ୟ କେତେକ ସୋସିଆଲ ମିଡିଆ ଆକାଉଣ୍ଟକୁ ଟ୍ରାକ କରିଛି।

ଦିଶା ରବି କିଏ?

ଦିଶା ରବି ଉତ୍ତର ବେଙ୍ଗାଳୁରୁର ଜଣେ ୨୨ ବର୍ଷୀୟ ପରିବେଶ କର୍ମୀ। ପରିବେଶ ସୁରକ୍ଷା ପାଇ ‘ଫ୍ରାଇ ଡେ ଫର୍‌ ଫ୍ୟୁଚର ଇଣ୍ଡିଆ’ ନାମକ ଏକ ଅଭିଯାନ ସୃଷ୍ଟି କରି ସେ ଚର୍ଚ୍ଚାକୁ ଆସିଥିଲେ। ବେଙ୍ଗାଳୁରୁ ସ୍ଥାନୀୟ ମାଉଣ୍ଟ କାର୍ମେଲ କଲେଜରୁ ସେ ସ୍ନାତକ ହାସଲ କରିଛନ୍ତି।

ଟୁଲ୍‌କିଟ କ’ଣ?

‘ଟୁଲକିଟ’ ହେଉଛି ଏକ ଗୁଗୁଲ୍ ଡକ୍ୟୁମେଣ୍ଟ୍, ଯାହାକି ଏକ ସମସ୍ୟାର ସମାଧାନ ପାଇଁ କ’ଣ କରାଯିବା ଉଚିତ ସେ ବିଷୟରେ ସୂଚନା ଦେଇଥାଏ। ଏଥିରେ କିଛିଟା ଆକ୍ସନ ପଏଣ୍ଟ ରଖାଯାଇଥାଏ। ତାକୁ ହିଁ ‘ଟୁଲକିଟ କୁହାଯାଏ। ଏହାକୁ ସୋସିଆଲ ମିଡିଆରେ ବ୍ୟବହାର କରାଯାଏ। ଯେଉଁଥିରେ ସୋସିଆଲ ମିଡିଆ କ୍ୟାମ୍ପେନ ସହିତ କୌଣସି ଆନ୍ଦୋଳନ ସମ୍ପର୍କରେ ସୂଚନା ଦିଆଯାଏ।

Comment