ଓଡ଼ିଶାଲାଇଭ୍ ବ୍ୟୁରୋ

ଘରୋଇ ମାଟିରେ ପ୍ରତିଶୋଧ ନେଲା ଭାରତ। ମଙ୍ଗଳବାର ଚେନ୍ନାଇ ଟେଷ୍ଟରେ ଇଂଲଣ୍ଡକୁ ୩୧୭ ରନ୍‌ରେ ପରାସ୍ତ କରି ଦମଦାର ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ୪୮୨ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ମାତ୍ର ୧୬୪ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଛି।ଭାରତ ପ୍ରଥମ ଇନିଂସରେ ୩୨୯ ରନ୍ କରିଥିଲା ବେଳେ ଦ୍ଵିତୀୟ ଇନିଂସରେ ୨୮୬ ରନ୍ କରିଛି। ସେହିପରି ଇଂଲଣ୍ଡ ପ୍ରଥମ ଇନିଂସରେ ୧୩୪ ରନ୍ ଏବଂ ଦ୍ଵିତୀୟ ଇନିଂସରେ ୧୬୪ ରନ୍ କରିଛି। ଦ୍ଵିତୀୟ ଇନିଂସରେ ଟିମ୍ ଇଣ୍ଡିଆର ଅକ୍ଷର ପଟେଲଙ୍କୁ ୫ ଓ୍ଵିକେଟର ସଫଳତା ମିଳିଛି। ସେହିପରି ରବି ଚନ୍ଦ୍ରନ୍ ଅଶ୍ଵିନୀଙ୍କୁ ୩ଟି ଏବଂ କୁଲଦୀପ ଯାଦବଙ୍କୁ ୨ଟି ଓ୍ଵିକେଟର ସଫଳତା ମିଳିଛି।

ଏହି ଟେଷ୍ଟରେ ଜବରଦସ୍ତ ପ୍ରଦର୍ଶନ ପାଇଁ ଅଶ୍ୱିନୀଙ୍କୁ ‘ମ୍ୟାନ୍‌ ଅଫ୍ ଦ ମ୍ୟାଚ୍’ ପ୍ରଦାନ କରାଯାଇଛି। ସେ ଦ୍ୱିତୀୟ ଇନିଂସରେ ୧୦୬ ରନ୍‌ କରିଥିଲେ।ପ୍ରଥମ ଟେଷ୍ଟରେ ଇଂଲଣ୍ଡଠାରୁ ପରାସ୍ତ ହେବା ପରେ ଦ୍ଵିତୀୟ ଟେଷ୍ଟ ଉପରେ ସମସ୍ତଙ୍କ ନଜର ରହିଥିଲା। ଦ୍ଵିତୀୟ ମ୍ୟାଚ୍‌ରେ ଭାରତ ପୁଣିଥରେ ବିଜୟ ଟ୍ରାକ୍‌କୁ ଫେରିବ ବୋଲି ପ୍ରଶଂସକମାନେ ଆଶା ରଖିଥିଲେ। ତେଣୁ ଆଜିର ବିଜୟ ଇଂରେଜୀ ଦଳଠାରୁ ପ୍ରତିଶୋଧ ବୋଲି ଶୁଣିବାକୁ ମିଳୁଛି। ଟିମ୍ ଇଣ୍ଡିଆର ବିଜୟ ପରେ ୪ ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜ ଏବେ ୧-୧ରେ ବରାବର ରହିଛି।

Comment