ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ତେଲ ଦର ବୃଦ୍ଧି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଦେଶରେ ଏବେ ପେଟ୍ରୋଲ, ଡିଜେଲ ଦର ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଦର ବୃଦ୍ଧିକୁ ନେଇ ଦେଶରେ ରାଜନୀତି ବି ବେଶ୍ ସରଗରମ ହୋଇ ପଡ଼ିଛି। ତେଲ ଦର ବୃଦ୍ଧି ପାଇଁ କେନ୍ଦ୍ର ସରକାରକୁ ବିରୋଧୀ କଂଗ୍ରେସ ଟାର୍ଗେଟ କରୁଥିବା ବେଳେ ମଙ୍ଗଳବାର ତେଲ ଦର ବଢ଼ିବାର କାରଣ କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

“ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ିଥିବାରୁ ଭାରତରେ ଏହାର ପ୍ରଭାବ ପଡ଼ି ତେଲ ଦର ବଢ଼ିଛି। ଏହା ସତ ଯେ କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଉପରେ ଟିକସ ନେଉଛନ୍ତି। କିନ୍ତୁ ଏହାକୁ ଦେଶବାସୀଙ୍କ ବିକାଶରେ ଲଗାଯାଉଛି। ଚଳିତ ବଜେଟରେ କରୋନା ଟିକା, ରେଲଓ୍ଵେ ଆଦି କ୍ଷେତ୍ର ପାଇଁ ଏହି ଟିକସ ଟଙ୍କାକୁ ସରକାର ବ୍ୟବହାର କରିବାକୁ ଯୋଜନା ରଖିଛନ୍ତି”, କହିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେହିପରି କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ତେଲ ଉତ୍ପାଦନକାରୀ ଦେଶଗୁଡ଼ିକରେ ତେଲ ଉତ୍ପାଦନ ହ୍ରାସ ପାଇଛି। ଏହି କାରଣରୁ ଦେଶରେ ତେଲ ଦରରେ ବୃଦ୍ଧି ଘଟିଛି। ମାତ୍ର ଏହି ବୃଦ୍ଧି ଅଳ୍ପ ସମୟ ପାଇଁ। ଖୁବଶୀଘ୍ର ଦର ହ୍ରାସ ପାଇପାରେ। ଉତ୍ପାଦନ ବଢ଼ାଇବାକୁ ତେଲ ଉତ୍ପାଦନକାରୀ ଦେଶଗୁଡ଼ିକୁ କୁହାଯାଇଛି।

ଦେଶରେ ଏବେ ହୁ ହୁ ହୋଇ ତେଲ ଦର ବଢ଼ିବାରେ ଲାଗିଛି। କେତେକ ସ୍ଥାନରେ ଏହା ୧୦୦ ଛୁଇଁଥିବା ବେଳେ ପ୍ରାୟ ସବୁ ସ୍ଥାନରେ ୯୦ ପାର୍ କରିଛି ଦର। ସାଧାରଣ ଲୋକଙ୍କ ଉପରେ ଏହି ଦର ବୃଦ୍ଧି ବେଶ୍ ପ୍ରଭାବ ପକାଇଛି।

LEAVE A REPLY

Please enter your comment!
Please enter your name here