ଓଡ଼ିଶାଲାଇଭ୍‌ ବ୍ୟୁରୋwest bengal

ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ରାଜନୈତିକ ପାଣିପାଗ ଉଷ୍ମ ହୋଇଛି। ବିଭିନ୍ନ ପ୍ରସଙ୍ଗ ନେଇ ବିଜେପି ଓ ତୃଣମୂଳ କଂଗ୍ରେସର ନେତା ମୁହାଁମୁହିଁ ହେଉଥିଲା ବେଳେ ରାଜ୍ୟରେ ଏବେ ‘ସ୍କୁଟି ପଲିଟିକ୍ସ’ ଦେଖିବାକୁ ମିଳୁଛି। ଗୁରୁବାର ଦିନ ତୈଳ ଦର ବୃଦ୍ଧିକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଇଲେକଟ୍ରୋନିକ ସ୍କୁଟି ଚଳାଇଥିଲା ବେଳେ ଆଜି ବିଜେପି ନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ପଶ୍ଚିମବଙ୍ଗରେ ଏକ ସ୍କୁଟି ଚଳାଉଥିବାର ନଜର ଆସିଛନ୍ତି।

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଶୁକ୍ରବାର ଦିନ ପଶ୍ଚିମବଙ୍ଗର ପଞ୍ଚପୋଟାଠାରେ ରୋଡ୍ ସୋ ସମୟରେ ସ୍କୁଟି ଚଳାଇଛନ୍ତି। ରୋଡ ସୋ’ରେ ବିଜେପିର ଶତାଧିକ କର୍ମୀ ସାମିଲ ହୋଇଥିଲେ।  ରୋଡ୍‌ ସୋ’ ପରେ ସ୍ମୃତି ଇରାନୀ ସେଠାରେ ଏକ ଜନସଭା ମଧ୍ୟ କରିଛନ୍ତି।

ଇ ସ୍କୁଟିରେ ସଚିବାଳୟ ଯାଇଥିଲେ ମମତା

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତେଲ ଦରକୁ ବିରୋଧ କରି ଇ-ସ୍କୁଟରରେ ଯାଇଥିଲେ ସଚିବାଳୟ। ମୁଣ୍ଡରେ ହେଲମେଟ୍‌ ପିନ୍ଧି ନିଜେ ଇ-ସ୍କୁଟର ଚଳାଇବା ବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଦିଦିଙ୍କ ସ୍କୁଟି ଚାଳନା ଦେଖି ବିଜେପି ତାଙ୍କୁ ଟାର୍ଗେଟ କରିଥିଲା। ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୈଳାସ ବିଜୟବର୍ଗୀୟ ମମତାଙ୍କୁ କଡ଼ା ସମାଲୋଚନା କରି କହିଥିଲେ ମମତାଙ୍କୁ ନା ସରକାର ଚଳାଇଆସିଛି ନା ସ୍କୁଟି। କେବଳ ନ୍ୟୁଜରେ ରହିବା ପାଇଁ ସେ ଡ୍ରାମା କରୁଛନ୍ତି।

ଆଜି ହେବ ନିର୍ବାଚନ ତାରିଖ ଘୋଷଣା

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ କେବେ ହେବ ସେନେଇ ଆଜି ତାରିଖ ଘୋଷଣା ହେବ। ନିର୍ବାଚନ ଆୟୋଗ ନିର୍ବାଚନ ବୈଠକ କରି ତାରିଖ ଘୋଷଣା କରିବେ। ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥର ନିର୍ବାଚନରେ ପଶ୍ଚିମବଙ୍ଗକୁ କବଜାକୁ ନେବାକୁ ବିଜେପି ଚେଷ୍ଟା ଚଳାଇଛି। ଲଗାତର ବିଜେପି ନେତା ଏଠାରେ ପ୍ରଚାର କରୁଥିବା ନଜର ଆସିଛନ୍ତି।

Comment