ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ବେରୋଜଗାରୀ ଓ ତେଲ ଦର ବୃଦ୍ଧିକୁ ପ୍ରତିବାଦ କରି ଛାତ୍ର କଂଗ୍ରେସ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ନବୀନ ନିବାସ ଘେରାଉ କରିବାକୁ ଯାଉଥିବା ଛାତ୍ର କଂଗ୍ରେସକୁ ଭୁବନେଶ୍ୱର ସ୍ଥିତ ରାଜମହଲ ଛକରେ ଅଟକାଇଛି ପୋଲିସ। କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଓ ବ୍ୟାରିକେଡ୍ କରାଯାଇ ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଟକ ରଖାଯାଇଛି।
ଆଜି ଛାତ୍ର କଂଗ୍ରେସର କର୍ମୀମାନେ ରାଜ୍ୟରେ ବେରୋଜଗାର ଓ ତେଲ ଦର ବୃଦ୍ଧିକୁ ପ୍ରତିବାଦ କରି କଂଗେସ ଭବନରେ ଏକ ବୈଠକର ଆୟୋଜନ କରିଥିଲେ। ପରେ ସେହିଠାରୁ ଏକ ରାଲି କରି ନବୀନ ନିବାସ ମୁହାଁ ହୋଇଥିଲେ ଛାତ୍ର କ୍ରଂଗେସ। ନବୀନ ନିବାସ ଘେରାଉ କରିବା ଥିଲା ସେମାନଙ୍କ ଉଦ୍ଦେଶ୍ୟ। କିନ୍ତୁ ପୋଲିସ ସେମାନଙ୍କୁ ରାଜମହଲ ନିକଟରେ ଅଟକାଇବାକୁ ଚେଷ୍ଟା କରିଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଅନେକ କର୍ମୀଙ୍କୁ ଗିରଫ କରି ଥାନାକୁ ନେଇଛି ପୋଲିସ।
ନବୀନ ସରକାର ବର୍ଷକୁ ଦୁଇ ଲକ୍ଷ ଛାତ୍ରଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ମାତ୍ର ୪୦ ହଜାରଙ୍କୁ ନିଯୁକ୍ତି ମିଳିଛି । ଯଦି ସରକାର ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ନ ଦିଅନ୍ତି ତେବେ ଆଗାମୀ ଦିନରେ ବାରମ୍ବାର ନବୀନ ନିବାସ ଘେରାଉ କରାଯିବ, କହି ଚେତାବନୀ ଦେଇଛନ୍ତି ଜଣେ କର୍ମୀ।
ଅନ୍ୟପକ୍ଷରେ କିଛି ଦିନ ତଳେ ତେଲ ଦର ବୃଦ୍ଧିକୁ ପ୍ରତିବାଦ କରି ରାଜଧାନୀର କିଛି ପେଟ୍ରୋଲ ପମ୍ପରେ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ଚିରିବା ସହ କାଳୀମାଡ଼ କରିଥିଲା ଛାତ୍ର କଂଗ୍ରେସ।

















