ଓଡ଼ିଶାଲାଇଭ୍ ବ୍ୟୁରୋ

ତେଲ ଦର ବୃଦ୍ଧି ପ୍ରତିବାଦରେ ସୋମବାର ୬ ଘଣ୍ଟିଆ ଓଡ଼ିଶା ବନ୍ଦ କଲା କଂଗ୍ରେସ।

ତୈଳ ଏବଂ ରନ୍ଧନ ଗ୍ୟାସ୍ ଦରରେ ଅହେତୁକ ବୃଦ୍ଧିକୁ ନେଇ ସୋମବାର କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଥିଲା। ସକାଳ ୭ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ରାଜ୍ୟବ୍ୟାପୀ ବନ୍ଦ କରିଛି କଂଗ୍ରେସ। ବନ୍ଦ ପାଇଁ କେଉଁଠି ଦୋକାନ ବଜାର ବନ୍ଦ ଏବଂ ରାସ୍ତାଘାଟ ଶୂନ୍‌ଶାନ୍ ହୋଇଥିଲା ବେଳେ କେତେକ ସ୍ଥାନରେ ସବୁକିଛି ସ୍ଵଭାବିକ୍ ଥିଲା। ବନ୍ଦ ପୂର୍ବର ହାଓ୍ଵା, କିଛି ସ୍ଥାନରେ ମଧ୍ୟ ସେତେଟା ଦେଖିବାକୁ ମିଳି ନଥିଲା। କିନ୍ତୁ ସଫଳତାର ସହ କଂଗ୍ରେସ କର୍ମୀମାନେ ରାଜ୍ୟବ୍ୟାପୀ ବନ୍ଦ ପ୍ରଦର୍ଶନ କରିଥିଲେ।

କଂଗ୍ରେସର ଏହି ଓଡ଼ିଶା ବନ୍ଦକୁ ଅଦ୍ଭୁତପୂର୍ବ ସଫଳତା ମିଳିଥିବା କହିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଲୋକେ ଆପଣାଛାଏଁ ବନ୍ଦକୁ ସମର୍ଥନ କରିଥିବା ସେ କହିଛନ୍ତି।

ବନ୍ଦ ବେଳେ ବାହାରିଲା ବାଇକ ରାଲି, କେହି ପିନ୍ଧିଲେନି ହେଲମେଟ୍

ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଆଜି ଓଡ଼ିଶା ବନ୍ଦ ଡାକାରା ଦେଇଥିଲା। ଛାତ୍ର କଂଗ୍ରେସର କର୍ମୀମାନେ ବିଭନ୍ନ ସ୍ଥାନରେ ବିରାଟ ବିରାଟ ବାଇକ ରାଲି କରି ବନ୍ଦ ପ୍ରଦର୍ଶନ କରିଥିଲେ। ଗୋଟିଏ ପଟେ ପୋଟ୍ରୋଲ ଦର ବଢୁଥିବାରୁ କଂଗ୍ରେସ ଏହି ବନ୍ଦ ଡାକରା ଦେଇଥିଲା। କିନ୍ତୁ ବନ୍ଦ ପାଳନ ପାଇଁ କଂଗ୍ରେସ ବାଇକ ରାଲିରେ ଲିଟର ଲିଟର ପେଟ୍ରୋଲ ପୋଡ଼ିବାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି।

ସେହିପରି ରାଜ୍ୟରେ ଏବେ ଡବଲ ହେଲମେଟ୍ ପିନ୍ଧିବା ନିୟମ କଡ଼ାକଡ଼ି ହୋଇଛି। ଏଥିପାଇଁ ଲୋକମାନେ ଦୈନିକ ହଜାର ହଜାର ଟଙ୍କା ଜରିମାନା ଗଣୁଛନ୍ତି। କିନ୍ତୁ କଂଗ୍ରେସ ରାଲିରେ ଡବଲ ତ ଦୂରର କଥା ଗାଡ଼ି ଚାଳକମାନେ ମଧ୍ୟ ହେଲମେଟ୍ ପିନ୍ଧି ନଥିଲେ।ବସଷ୍ଟାଣ୍ଡ, ବିମାନବନ୍ଦରରେ ଅଟକି ରହିଲେ ଯାତ୍ରୀ

ଓଡ଼ିଶା ବନ୍ଦ ଯୋଗୁଁ ସାଧାରଣ ଲୋକମାନଙ୍କର ଯିବା ଆସିବାରେ ଅନେକ ସମସ୍ୟା ଦେଖାଯାଇଛି। ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେବା ଯୋଗୁଁ ବିମାନବନ୍ଦର ଏବଂ ବିଭିନ୍ନ ବସଷ୍ଟାଣ୍ଡରୁ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ଯାତ୍ରୀମାନେ ହଇରାଣ ହୋଇଛନ୍ତି। ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ସକାଳେ ଫ୍ଲାଇଟରୁ ଓହ୍ଲାଇଲା ପରେ ଶତାଧିକ ଯାତ୍ରୀ ଅଟୋ, ଟ୍ୟାକ୍ସି ନ ପାଇବା ହେତୁ ଦୀର୍ଘ ସମୟ ଧରି ବିମାନବନ୍ଦରରେ ଅପେକ୍ଷା କରିଥିଲେ। ସେହିପରି ବରମୁଣ୍ଡା ବସଷ୍ଟାଣ୍ଡରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା।

ଭୁବନେଶ୍ୱରରେ ମୁହାଁମୁହିଁ ହେଲେ ପୋଲିସ ଓ କଂଗ୍ରେସ କର୍ମୀ

ଭୁବନେଶ୍ୱରରେ ବନ୍ଦ ପାଳନ ବେଳେ କଂଗ୍ରେସ କର୍ମୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ଅଫିସରୁ କର୍ମୀମାନେ ବିଧାନସଭା ଆଡ଼କୁ ଆସୁଥିଲା ବେଳେ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଏଭଳି ପରିସ୍ଥିତି ଉପୁଜିଥିଲା। ଫଳରେ ଶତାଧିକ କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକ ରଖିଛି।

ସେହିପରି ଖୋର୍ଦ୍ଧା ରୋଡରେ କଂଗ୍ରେସ ସମର୍ଥକମାନେ ଟାୟାର୍ ଜାଳି ରାସ୍ତାରୋକ କରିଥିଲା ବେଳେ ଭୁବନେଶ୍ୱର ରେଳ ଷ୍ଟେସନ୍, ସତସଙ୍ଗ ବିହାର, ବାଣୀବିହାର, ଆଚାର୍ଯ୍ୟ ବିହାର ସମେତ ବିଭିନ୍ନ ଛକରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ପାଇଁ ଏନଏଚରେ ଗାଡ଼ି ଚଳାଚଳ ବନ୍ଦ ରହିବା ସହଶହ ଶହ ଗାଡ଼ି ଅଟକ ରହିଥିଲା।ଚକୋଲେଟ୍ ଦେଇ ବୁଝାଇଲେ, ଗାଡ଼ିରୁ ଟାଣି ପିଟିଲେ

ଆଜି ଓଡ଼ିଶା ବନ୍ଦ ବେଳେ ରାସ୍ତାରେ ଯା ଆସ କରୁଥିବା ଲୋକମାନଙ୍କୁ କଂଗ୍ରେସ କର୍ମୀମାନେ ଶାନ୍ତିପୂର୍ଣ୍ଣ ଭାବେ ବୁଝାଉଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ସ୍ଥାନରେ ବନ୍ଦକୁ ସମର୍ଥନ କରି ଘରକୁ ଫେରିଯିବାକୁ କଂଗ୍ରେସ କର୍ମୀମାନେ ଲୋକମାନଙ୍କୁ ନିଆରା ଢଙ୍ଗରେ ଚକୋଲେଟ ଦେଇ ସଚେତନ କରୁଥିଲେ। କିନ୍ତୁ ଅନ୍ୟପଟେ କେତେକ ସ୍ଥାନରେ ହିଂସାତ୍ମକ ହୋଇପଡ଼ିଥିଲା କଂଗ୍ରେସ। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବାକୁ ପିସିସି ସଭାପତି ଯେଉଁ ପ୍ରତିଶ୍ରୁତି ଦେଇଥିଲେ, କେତେକ କଂଗ୍ରେସ କର୍ମୀ ତାହାକୁ ଅମାନ୍ୟ କରିଥିଲେ। ରାଜଧାନୀ ଭୁବନେଶ୍ଵରରେ ଏକ ଅଟୋ ଡ୍ରାଇଭରକୁ ଅଟକାଇ କଂଗ୍ରେସର ଜଣେ କର୍ମୀ ମାର୍ ପିଟ୍ କରିଥିଲେ। ସେହିପରି ଅନେକ ସ୍ଥାନରେ ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିଥିଲା କଂଗ୍ରେସ।କଟକରେ ହେଲା ଆଂଶିକ ପ୍ରଭାବ

କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ଵରେ କଟକ ଲିଙ୍ଗରୋଡଠାରେ ଶତାଧିକ କଂଗ୍ରେସ କର୍ମୀମାନେ ରାସ୍ତାରୋକ କରିଥିଲେ। କିନ୍ତୁ ଓଡ଼ିଶା ବନ୍ଦର ପ୍ରଭାବ କଟକ ଜିଲ୍ଲାରେ ଆଂଶିକ ଭାବେ ଦେଖିବାକୁ ମିଳିଛି। ଜିଲ୍ଲାର ଅନେକ ସ୍ଥାନରେ ସକାଳ ବେଳା ଦୋକାନ ବଜାର ଖୋଲାଥିବା ଦେଖିବାକୁ ମିଳିଥିଲା। କେବଳ ଯେତିକି ସମୟ ପାଇଁ ବିକ୍ଷୋଭ ହୋଇଥିଲା, ସେତିକି ସମୟ ପର୍ଯ୍ୟନ୍ତ ଲୋକମାନେ ଯା ଆସ ବନ୍ଦ ରଖିଥିଲେ।ଠପ୍ ହୋଇଗଲା କୋରାପୁଟ

କୋରାପୁଟ ଜିଲ୍ଲାରେ ଓଡ଼ିଶା ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଜିଲ୍ଲା କଂଗ୍ରେସର ଆନ୍ଦୋଳନରେ ୬ ଘଣ୍ଟା ପାଇଁ ଠପ୍ ହୋଇ ପଡ଼ିଥିଲା କୋରାପୁଟ ଜିଲ୍ଲା। ଜିଲ୍ଲା କଂଗ୍ରେସ କମିଟି ସଭାନେତ୍ରୀ ମୀନାକ୍ଷୀ ବାହାନିପତିଙ୍କ ଆହ୍ୱାନରେ କୋରାପୁଟ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଇଥିଲା। ସେହିପରି ଜୟପୁରରେ ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ନେତୃତ୍ୱରେ ଆନ୍ଦୋଳନ ହୋଇଥିଲା।

ଜୟପୁର ଦେଇ ଯାଇଥିବା ଜାତୀୟ ରାଜପଥ ୨୬ର ମୁଖ୍ୟ ଟ୍ରାଫିକ ଛକ ନିକଟରେ କଂଗ୍ରେସ କର୍ମୀ ଓ ନେତା ମାନେ ରାସ୍ତା ଅବରୋଧ କରିଥିବା ବେଳେ ଉଭୟ ପଟେ ଶହ ଶହ  ଯାନବାହାନ ଅଟକିଥିଲା। ସରକାରୀ ବସଷ୍ଟାଣ୍ଡରେ ମଧ୍ୟ ବସ ଅଟକି ରହିଥିଲା। ନିଜଆଡୁ ଲୋକମାନେ ଦୋକାନ ବଜାର ବନ୍ଦ କରି ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ଜରୁରୀ ସେବାକୁ ଆନ୍ଦୋଳନରୁ ବାଦ ଦିଆଯାଇଥିଲା।

ଏମିତିକି କଂଗ୍ରେସ କର୍ମୀମାନେ ୨୬ ନମ୍ଵର ଜାତୀୟ ରଜପଥରେ ଧାରଣାରେ ବସିବା ସହିତ ବାଇକ ଶୋଭାଯାତ୍ରାରେ ବାହାରି ଲୋକଙ୍କୁ ସଚେତନ କରିଥିଲେ।ନବରଙ୍ଗପୁରରେ ସଫଳ ହେଲା ବନ୍ଦ ଡାକରା

ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ସୋମବାର ସାରା ରାଜ୍ୟରେ ବନ୍ଦ ଡାକରା ଦିଆଯାଇଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ପିସିସି କାର୍ଯ୍ୟ କାରିଣୀ ସଭାପତି ପ୍ରଦୀପ ମାଝି ଏବଂ ଜିଲ୍ଲା ସଭାପତି ମୁନ୍ନା ତ୍ରିପାଠୀଙ୍କ ନେତୃତ୍ୱରେ ବହୁ କଂଗ୍ରେସ ନେତା ଓ କର୍ମୀମାନେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ସାରା ନବରଙ୍ଗପୁର ଜିଲ୍ଲାରେ ଦୋକାନ ବଜାର ବନ୍ଦ ସହିତ ରାସ୍ତାରୋକ କରିଥିଲେ।

ସୋମବାର ସକାଳୁ ସକାଳୁ କଂଗ୍ରେସ କର୍ମୀମାନେ ନବରଙ୍ଗପୁର ସହରର ମୁଖ୍ୟ ରାସ୍ତାଗୁଡିକରେ ରାସ୍ତା ଅବରୋଧ କରି ଯାନବାହାନ ଚଳାଚଳକୁ ସଂମ୍ପୂର୍ଣ୍ଣ ବନ୍ଦ କରିଥିଲେ। ଦୋକାନ ବଜାର ଆଦି ବ୍ୟବସାୟିକ ପ୍ରତିଷ୍ଠାନ ସବୁ ବନ୍ଦ ରହିଥିବା ବେଳେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସହିତ ସମସ୍ତ ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଥିଲା।

Comment