ଓଡ଼ିଶାଲାଇଭ୍ ବ୍ୟୁରୋ

ତେଲ ଦର ବୃଦ୍ଧିକୁ ନେଇ କଂଗ୍ରେସ ଓଡ଼ିଶା ବନ୍ଦ ସହ ବିକ୍ଷୋଭ କରିଆସୁଛି। ହେଲେ ବିଜେଡି ଏ ଦିଗରେ କାହିଁକି ଚୁପ୍ ବୋଲି ବିଭିନ୍ନ ମହଲରେ ଏବେ ଚର୍ଚ୍ଚା ଜୋର୍ ଧରିଛି।

ଆଜିକୁ ଏଗାର ଦିନ ହେଲା କ୍ରମାଗତ ଭାବରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ଭୁବନେଶ୍ଵରରେ ପେଟ୍ରୋଲ ଲିଟର ପିଛା ୯୦ ଟପିଥିବା ବେଳେ ଆଉ କିଛି ଜିଲ୍ଲାରେ ଏହା ୧୦୦ ଛୁଇଁବାକୁ ବସିଲାଣି। ଚଢ଼ା ତେଲ ଦରକୁ ନେଇ କଂଗ୍ରେସ ଓଡ଼ିଶା ବନ୍ଦ ସହ କେନ୍ଦ୍ରକୁ ଟାର୍ଗେଟ କରିଛି। ହେଲେ ବିଜେଡି ଏଯାଏଁ ମୁହଁ ଖୋଲିନି।

୨୦୧୯ ନିର୍ବାଚନ ପୂର୍ବରୁ ତେଲ ଦର ବୃଦ୍ଧି ହେଲେ ବିଜେଡି ଆନ୍ଦୋଳନକୁ ଓହ୍ଲାଇ ଆସେ। ଏପରିକି ଦଳର ଛାମୁଆ ନେତା, ଛାତ୍ର ଏବଂ ଯୁବ ସଂଗଠନ ରାଜ୍ୟବ୍ୟାପୀ ପେଟ୍ରୋଲ ପମ୍ପ ଆଗରେ ଧାରଣାରେ ବସିଥାନ୍ତି। କିନ୍ତୁ ବର୍ତ୍ତମାନ ରାଜ୍ୟରେ ତେଲ ଦର ୧୦୦ ଛୁଇଁବାକୁ ବସିଥିବା ବେଳେ ବିଜେଡିର ନିରବତାକୁ ନେଇ ରାଜନୀତି କରିଡରରେ ଏବେ ଭିନ୍ନ ଚର୍ଚ୍ଚା ହେବାରେ ଲାଗିଛି।“ଦେଶରେ ତେଲ ଦର ବଢ଼ିଲେ, ବିଜୁ ଜନତା ଦଳ ତାକୁ ବିରୋଧ କରେ। ୨୦୧୪ରୁ ୨୦୨୦ ମଧ୍ୟରେ ଯେତେବେଳେ ବି ପେଟ୍ରୋଲ, ଡିଜେଲ ଦର ବଢ଼ିଛି ରାଜ୍ୟର ପ୍ରତି ପେଟ୍ରୋଲ ପମ୍ପ ଆଗରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ କରାଯାଇଛି। ତେଣୁ ଆଗକୁ ମଧ୍ୟ ଦରବୃଦ୍ଧି ବିରୋଧରେ ଆମ ଦଳ ଆନ୍ଦୋଳନକୁ ଓହ୍ଲାଇବ”, କହିଛନ୍ତି ବିଜୁ ଛାତ୍ର ଜନତା ଦଳର ଉପସଭାପତି ଚିନ୍ମୟ କୁମାର ଦାସ।

ସେହିପରି ତେଲ ଦର ବୃଦ୍ଧି ପ୍ରସଙ୍ଗରେ ବିଜେଡିର ନିରବତାକୁ ନେଇ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ମହାସଚିବ ହରିଶଙ୍କର ରାଉତ କହିଛନ୍ତି ଯେ, ତେଲ ଦର ବୃଦ୍ଧିକୁ ବିଜେଡି ସବୁବେଳେ ପ୍ରତିବାଦ କରିଛି। ବାରମ୍ଵାର ଦର ବୃଦ୍ଧିକୁ ବିରୋଧ କରାଯାଉଥିଲେ ସୁଦ୍ଧା କେନ୍ଦ୍ର ସରକାର ଏହାକୁ ନିୟନ୍ତ୍ରଣରେ ଆଣୁ ନହାନ୍ତି। ଏହା ସାଧାରଣ ଲୋକଙ୍କ ସମସ୍ୟା। ସେମାନେ ବହୁଳ ମାତ୍ରାରେ ଏହାଦ୍ଵାରା ପ୍ରଭାବିତ ହେଲେଣି। ତେଣୁ ବିଜେଡି ଏବେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛି।ଅନ୍ୟପଟେ କଂଗ୍ରେସ କିନ୍ତୁ ତେଲ ଦର ବୃଦ୍ଧିକୁ ନେଇ ବଳ ଦେଖାଇ ଚାଲିଛି। ନିକଟରେ ଦଳ ପକ୍ଷରୁ ତେଲ ଦର ବୃଦ୍ଧି ପ୍ରତିବାଦରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। ସାଧାରଣ ଲୋକମାନେ ମଧ୍ୟ ଏହାକୁ ସମର୍ଥନ କରିଥିଲେ।

“ଟ୍ୟାକ୍ସ ଆଳରେ ସରକାର ଲଗାତାର ତେଲ ଦର ବଢ଼ାଉଛନ୍ତି। ଏହା ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଇଛି। ତେଣୁ ଦର ବୃଦ୍ଧିକୁ କଂଗ୍ରେସ ନିନ୍ଦା କରୁଛି। ପୂର୍ବରୁ ଜନସାଧାରଣଙ୍କ ସମର୍ଥନରେ କଂଗ୍ରେସ ବାରମ୍ଵାର ରାସ୍ତାକୁ ଓହ୍ଲାଇଛି। ତେଣୁ ଆଗାମୀ ୫ ଦିନ ଭିତରେ ତେଲଦର ନିୟନ୍ତ୍ରଣକୁ ଆଣିବାକୁ ଯୁବ କଂଗ୍ରେସ ସରକାରଙ୍କ ପାଖରେ ଦାବି ରଖିଛି। ନହେଲେ ସାଧାରଣ ଲୋକଙ୍କ ଟ୍ୟାକ୍ସରେ ସରକାର ପେଟ୍ରୋଲ ପମ୍ପରେ ଯେଉଁ ହୋଡିଂ ଲଗାଇଛନ୍ତି ରାଜ୍ୟବ୍ୟାପୀ ସେ ସବୁ ହୋଡିଂକୁ ଯୁବ କଂଗ୍ରେସ ଖୋଲି ପମ୍ପ ଆଗରେ ଧାରଣା ଦେବ”, କହିଛନ୍ତି ଯୁବ କଂଗ୍ରେସର ସଭାପତି ଡକ୍ଟର ସ୍ମୃତି ରଞ୍ଜନ ଲେଙ୍କା।

ତେଲ ଦରରେ ଭାଟ୍ କମାନ୍ତୁ ଓଡ଼ିଶା ସରକାର

ତେଲ ଦର ବୃଦ୍ଧି ପାଇଁ କେନ୍ଦ୍ରର ବିଜେପି ସରକାର ଉପରେ କଂଗ୍ରେସ ଆରୋପ ଲଗାଉଥିବା ବେଳେ, ବିଜେଡି ମୁଣ୍ଡରେ ସବୁ ଦୋଷ ଲଦିଛି ବିଜେପି। ଓଡ଼ିଶା ସରକାରଙ୍କ ଚଢ଼ା ଭାଟ୍ ହିଁ ତେଲ ଦର ବଢ଼ିବାର ମୁଖ୍ୟ କାରଣ ବୋଲି ବିଜେପି ନେତାମାନେ ଅଭିଯୋଗ କରିଛନ୍ତି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ପେଟ୍ରୋଲ, ଡିଜେଲରେ ଅଧିକ ଭାଟ୍ ନେଉଛନ୍ତି। ତେଣୁ ରାଜ୍ୟ ସରକାର ଏହାକୁ କମାଇଲେ ହିଁ ତେଲ ଦରରେ ନିୟନ୍ତ୍ରଣ ଆସି ପାରିବ ବୋଲି ବିଜେପି ମତ ରଖିଛି।

Comment