ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ଵରେ ଆରମ୍ଭ ହେବାକୁ ଥିବା ହେରିଟେଜ ପ୍ରକଳ୍ପକୁ ନେଇ ରାଜ୍ୟ ବିଜେପିରେ ପୁଣିଥରେ ଦେଖାଦେଇଛି କନ୍ଦଳ। ଗୋଟିଏ ପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରକଳ୍ପ ପାଇଁ ସମର୍ଥନ ଜୁଟାଉଥିବା ବେଳେ, ଅନ୍ୟପଟେ ଦଳର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହାକୁ ପୁନର୍ବାର ବିରୋଧ କରୁଛନ୍ତି।

ପୁରୀର ସର୍ବାଙ୍ଗୀନ ବିକାଶ ପାଇଁ ଦୁଇ ଦିନ ତଳେ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ମହାରାଜା ଦିବ୍ୟସିଂହ ଦେବଙ୍କ ବ୍ୟକ୍ତିଗତ ସମର୍ଥନ ଲୋଡ଼ିଥିଲେ। ହେରିଟେଜ ପ୍ରକଳ୍ପକୁ ଆଗେଇବା ପାଇଁ ଧର୍ମେନ୍ଦ୍ର ଶ୍ରୀମନ୍ଦିର ପ୍ରଶାସନ ଅଧ୍ୟକ୍ଷ ତଥା ପୁରୀ ମହାରାଜାଙ୍କୁ ଚାରି କୋଟି ଓଡ଼ିଆଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏଥିପାଇଁ ସମଗ୍ର ବିଶ୍ୱରେ ରହୁଥିବା ଶ୍ରଦ୍ଧାଳୁଙ୍କ ଠାରୁ ଆର୍ଥିକ ସାହାଯ୍ୟ ଲୋଡ଼ାଯାଉ ବୋଲି ମନ୍ତ୍ରୀ  ଚିଠି ଲେଖି ଜଣାଇଥିଲେ।

ଶ୍ରୀମନ୍ଦିର ପ୍ରଶାସନ ପରିଚାଳନା କମିଟି ହେରିଟେଜ ପ୍ରକଳ୍ପକୁ ଫେବ୍ରୁଆରି ୧୫ ରେ ସମ୍ମତି ପ୍ରଦାନ କରିଥିଲେ। ପୁରୀ ମନ୍ଦିର ଚାରିପଟେ ୭୫ ମିଟର ପର‌୍ୟ୍ୟନ୍ତ ସୌନ୍ଦର‌୍ୟ୍ୟକରଣ, ବିକାଶ, ଜଗନ୍ନାଥଙ୍କ ରିସେପସନ ସେଣ୍ଟର, ବିଭିନ୍ନ ମଠର ସଂରକ୍ଷଣ ଇତ୍ୟାଦି ହେରିଟେଜ ପ୍ରକଳ୍ପର ଅଂଶ ବିଶେଷ। ତେଣୁ ମନ୍ତ୍ରୀ କହିଛନ୍ତି ଯେ, ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଓ ତାର ସାମଗ୍ରିକ ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କର ଇଛା ରହିଛି। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ପୁରୀ ଗଜପତି ବିଶେଷ ଭୂମିକା ଗ୍ରହଣ କରିପାରିବେ।

ଅନ୍ୟପକ୍ଷରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁରୀ ହେରିଟେଜ ପ୍ରକଳ୍ପକୁ ବିରୋଧ କରି ଆସିଛନ୍ତି। ଏଥିସହ ପୁରୀର ବିଭିନ୍ନ ମଠ ମନ୍ଦିର ଭାଙ୍ଗିବା ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକଳ୍ପ ମଞ୍ଜୁରୀକୁ ମଧ୍ୟ ସେ ବିରୋଧ କରିଛନ୍ତି।

Comment