ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡାରେ ଜିଲ୍ଲାସ୍ତରୀୟ ଦିବ୍ୟାଙ୍ଗମାନଙ୍କ ଅଧିକାର ଅଧିନିୟମ-୨୦୧୬ ଓ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ସମ୍ପର୍କରେ ଏକ ସଚେତନତା ଶିବିର ପୌରସଂସ୍ଥା ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରପଡା ଜିଲ୍ଲାରେ ୨୧ ପ୍ରକାରର ଦିବ୍ୟାଙ୍ଗଙ୍କୁ ମିଳିବ ସରକାରୀ ସହାୟତା। ଜିଲ୍ଲା ପ୍ରଶାସନ ତରଫରୁ ଅଙ୍ଗନବାଡି କର୍ମୀଙ୍କୁ ଦିବ୍ୟାଙ୍ଗ ଚିହ୍ନଟ କରିବା ଦାୟିତ୍ୱ ଦିଆଯାଇଛି । ଏଥିପାଇଁ ଏମାନଙ୍କୁ ଖୁବଶୀଘ୍ର ତାଲିମ ଦିଆଯିବା ନେଇ ଏହି ସଚେତନତା ଶିବିରରେ କହିଛନ୍ତି ରାଜ୍ୟ ଭିନ୍ନକ୍ଷମ କମିସନର।

ଓଡିଶା ସରକାରଙ୍କ ଭିନ୍ନକ୍ଷମ ଆୟୁକ୍ତ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଏହି ଶିବିରର ଆୟୋଜନ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାସ ଯୋଗ ଦେଇ, ଦିବ୍ୟାଙ୍ଗଙ୍କ ଅଧିକାର ଓ ସରକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ୨୧ ପ୍ରକାର ଦିବ୍ୟାଙ୍ଗଙ୍କ ନିମନ୍ତେ ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ଏଥିସହ କୋଭିଡ ମହାମାରୀ ସମୟରେ ଜିଲ୍ଲା ପ୍ରଶାସନର ଦିବ୍ୟାଙ୍ଗଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ଯୋଜନାର ସଫଳତାକୁ ପ୍ରଶଂସା କରି, ଡି.ଆର.ଆଇ ଋଣ ପ୍ରଦାନ ବ୍ୟବସ୍ଥା ତ୍ୱରାନ୍ୱିତ କରିବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ। ଏହି ଉପଲକ୍ଷେ ଜିଲ୍ଲାର ୬ଜଣ ଥାଲାସେମିଆ ରୋଗୀ ଏବଂ ଦିବ୍ୟାଙ୍ଗ, ରାଜ କାଣ୍ଡି, ସାଇ ଆଦିତ୍ୟ ସେଠୀ, ସୌଭାଗ୍ୟ ସାମଲ, ରୀତେଶ ଦାସ, ଶିବୁ ଦଳେଇ ଓ ଶୁଭେନ୍ଦୁ ଦାସଙ୍କୁ ୟୁ.ଡି.ଆଇ.ଡି. କାର୍ଡ ପ୍ରଦାନ ସହ ଗରଦପୁର ବ୍ଲକର କୈଳାସ ଚନ୍ଦ୍ର ପଣ୍ଡାଙ୍କୁ ଲିଗାଲ ଗାଡିଅନସିପ ସାର୍ଟିଫିକେଟ ଏବଂ ତୀବଲିଙ୍ଗ ସୋନମ ବେଗମଙ୍କୁ ୟୁଡିଆଇଡି କାର୍ଡ ପ୍ରଦାନ କରିଥିଲେ।

ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ଯୋଗଦେଇ ଦିବ୍ୟାଙ୍ଗମାନଙ୍କୁ ତ୍ୱରିତ ବେଗରେ ସମସ୍ତ ସେବା ଯୋଗାଇ ଦିଆଯିବା ସହ ଜିଲ୍ଲାରେ ଭିନ୍ନକ୍ଷମ ଯୋଜନା କାର‌୍ୟ୍ୟକାରୀତାରେ ଶତକଡା ୯୮ ପ୍ରତିଶତ ସଫଳତା ମିଳିଥିବା ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଣୀ ଡା. ଅନିତା ପଟ୍ଟନାୟକ ଯୋଗଦେଇ ଦିବ୍ୟାଙ୍ଗମାନଙ୍କ ଶିବିର କରାଯାଇ ସେମାନଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଇଥିବା ସୂଚନା ଦେଇଥିଲେ।

କୋରୁଆ ପଲ୍ଲିଶ୍ରୀ ମହିଳା ସମିତିର ଅନ୍ତେବାସୀ କୁନିଝିଅ ଅଲିଭା କେନ୍ଦ୍ରାପଡାରେ ଦିବ୍ୟାଙ୍ଗଙ୍କ ବିକାଶ ସମ୍ପର୍କିତ ଏକ ସଂଗୀତରେ ନୃତ୍ୟ ପରିବେଷଣ କରି ଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ। ଏହି ଶିବିରରେ ପଟ୍ଟାମୁଣ୍ଡାଇ ବିଡିଓ ଭରତ ଚନ୍ଦ୍ର ପରିଡା, ଡେରାବିଶି ବିଡିଓ ଗୋପବନ୍ଧୁ ଭୋସାଗର, କର୍ମନିୟୋଜନ ଅଧିକାରୀ ରୋଜାଲିନ ବେଗମ, ମଙ୍ଗଳ ଅଧିକାରୀଣୀ ମମତାରାଣୀ ପରିଡା, ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଅଭିମନ୍ୟୁ ରାଉତ, ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ସିଡିପିଓ, ବିଏସଏସଓ, ସ୍ୱତନ୍ତ୍ର ବିଦ୍ୟାଳୟର କର୍ମଚାରୀ ଓ ସ୍ୱେଛାସେବୀମାନେ ଉପସ୍ଥିତ ଥିଲେ।

Comment