ଓଡ଼ିଶାଲାଇଭ୍ ବ୍ୟରୋ

ସହରର ଆବର୍ଜନା ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ରାଉରକେଲା ମହାନଗର ନିଗମ ଏକ ନିଆରା ପଦକ୍ଷେପ ନେଇଛି। ପ୍ରତି ଘରେ କ୍ୟୁଆର୍ କୋଡ୍ ଟାଗ୍ ଲଗାଉଛି ମହାନଗର ନିଗମ। ଫଳରେ କେଉଁ ଘରୁ ଆବର୍ଜନା ସଂଗ୍ରହ ହୋଇନାହିଁ ତାହା ସହଜରେ ଜଣାପଡ଼ିପାରିବ ଏବଂ ସେହି ଅନୁସାରେ ମହାନଗର ନିଗମ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେଇପାରିବେ।

ଏ ସଂପର୍କରେ ମତ ରଖି ରାଉରକେଲା ମହାନଗର ନିଗମ କମିସନର ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି,‘‘ବେଳେ ବେଳେ ଆବର୍ଜନା ସଂଗ୍ରହକାରୀ ଗାଡ଼ି ଠିକ ସମୟରେ ଆସୁନାହିଁ ବୋଲି କିଛି ଗୃହକର୍ତ୍ତା ତଥା ବ୍ୟବସାୟୀ ଅଭିଯୋଗ କରନ୍ତି। ତେଣୁ ଏହି ସମସ୍ୟାର ସମାଧାନ ନିମନ୍ତେ ଘର ମାନଙ୍କରେ କ୍ୟୁଆର୍‌ କୋଡ୍ ଟ୍ୟାଗ୍ ଲଗାଇବା ଲାଗି ଚିନ୍ତା କରାଗଲା। ପ୍ରତିଦିନ ଆବର୍ଜନା ସଂଗ୍ରହ ପାଇଁ ଯାଉଥିବା ଗାଡ଼ିରେ ନିୟୋଜିତ ସଫେଇ କର୍ମଚାରୀ ଘରୁ ଆବର୍ଜନା ସଂଗ୍ରହ କରିବା ସମୟରେ ଉକ୍ତ କ୍ୟୁଆର୍ କୋଡ୍‌କୁ ସ୍କାନ୍ କରିବେ। ଫଳରେ ଘରୁ ଆବର୍ଜନା ସଂଗ୍ରହ ହୋଇଛି କି ନାହିଁ, ତାହା ଜଣାପଡ଼ିପାରିବ। ଯଦି କେହି କୌଣସି ଘରୁ ଭୁଲରେ ଆବର୍ଜନା ସଂଗ୍ରହ କରିନଥିବେ, ତାହା ବି ଏହି ବ୍ୟବସ୍ଥା ମାଧ୍ୟମରେ ଜଣାପଡ଼ିଯିବ। ମହାନଗର ନିଗମରେ ଥିବା କଂଟ୍ରୋଲ ରୁମ ମାଧ୍ୟମରେ ଉକ୍ତ ସଫେଇ କର୍ମଚାରୀଙ୍କୁ ଏହି ବିଷୟରେ ସୂଚନା ବି ଚାଲିଯିବ। ଯାହା ଆଧାରରେ ସଫେଇ କର୍ମଚାରୀ ଜଣକ ତ୍ୱରିତ ପଦକ୍ଷେପ ନେଇପାରିବେ’’।

ପ୍ରାରମ୍ଭିକ ପର୍ଯ୍ୟାୟରେ ସହରର ଦଶ ହଜାର ଘର ବା କୋଠାରେ ଏହି କ୍ୟୁଆର୍ କୋଡ୍ ଲଗାଯାଉଛି। ବ୍ୟକ୍ତିଗତ ମାଲିକାନାରେ ଥିବା ଘର ମାନଙ୍କରେ ଗୋଟିଏ କ୍ୟୁଆର୍ କୋଡ୍ ଲଗାଯାଉଥିବାବେଳେ, ଆପାର୍ଟମେଣ୍ଟରେ ଥିବା ସମସ୍ତ ଘରକୁ ଗୋଟିଏ ୟୁନିଟ ଭାବେ ପରିଗଣିତ କରାଯାଇ ସେଠାରେ ଗୋଟିଏ ହିଁ କ୍ୟୁଆର୍ କୋଡ୍ ଟାଗ୍ ଲାଗିବ। ବର୍ତ୍ତମାନ ସହରର ଛେଣ୍ଡ୍, ବାସନ୍ତି କଲୋନୀ ଓ ସିଭିଲ ଟାଉନସିପ ଅଞ୍ଚଳରେ ଥିବା ଘରଗୁଡ଼ିକରେ କ୍ୟୁଆର୍ କୋଡ୍ ଲାଗିବା ଆରମ୍ଭ ହୋଇସାରିଛି। ଘରୁ ପୃଥକୀକୃତ ଆବର୍ଜନା ସଂଗ୍ରହ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଅଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ସଫଳତାକୁ ଦେଖି ସହରର ସମସ୍ତ ଘରେ ଏହି କ୍ୟୁଆର୍ କୋଡ୍ ଲଗାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମହାନଗର ନିଗମ କମିସନର।

ସହରରେ ମହାନଗର ନିଗମ ପକ୍ଷରୁ ସ୍ଥାପନ କରାଯାଇଥିବା ସମସ୍ତ ଗୋଷ୍ଠୀ ଓ ସର୍ବସାଧାରଣ ଶୌଚାଳୟରେ ମଧ୍ୟ ଏହିଭଳି କ୍ୟୁଆର୍ କୋଡ୍ ଲଗାଯାଉଛି। ଏହି ସ୍ୱତନ୍ତ୍ର କ୍ୟୁଆର୍ କୋଡ୍ ମାଧ୍ୟମରେ ଶୌଚାଳୟ ବ୍ୟବହାରକାରୀମାନେ ସାମଗ୍ରୀକ ପରିଛନ୍ନତା ଏବଂ ଶୌଚାଳୟ ପରିଚାଳନା ଆଦି ବାବଦରେ ନିଜ ନିଜର ମତାମତ ମଧ୍ୟ ଦେଇପାରିବେ।

ରାଉରକେଲା ମହାନଗର ନିଗମ ଅଧିନରେ ସଫେଇ କାମରେ ନିୟୋଜିତ ସମସ୍ତ ଗାଡ଼ିରେ ଜିପିଏସ୍ ଟ୍ରାକିଂ ଯନ୍ତ୍ର ଲଗାଯାଇଛି। ଫଳରେ କେଉଁ ଗାଡି କୁଆଡେ ଯାଉଛି, ଆବର୍ଜନା ସଂଗ୍ରହ କାମରେ ଲାଗିଛି କି ନାହିଁ, ସେ ସମ୍ପର୍କରେ ଜାଣିହେବ।

Comment