ଓଡ଼ିଶାଲାଇଭ୍ ବ୍ୟୁରୋ

  • ଉଦିତ୍ ନଗରସ୍ଥିତ ସିଟି ଲାଇଭଲିହୁଡ୍ ସେଣ୍ଟରଠାରେ ଷ୍ଟଲ
  • ଉତ୍ପାଦକ ଗୋଷ୍ଠୀଙ୍କ ହାତରେ ପରିଚାଳନା ଦାୟିତ୍ୱ
  • ରାଉରକେଲାରେ ଖଣ୍ଡାଧାର ଅଞ୍ଚଳର ସୁଆଦିଆ ଆମ୍ବ

ରାଉରକେଲା ମହାନଗରବାସୀ ଚାଖିବେ ଗାଁ ଆମ୍ବର ସୁଆଦ। ଏଥିପାଇଁ ସ୍ଥାନୀୟ ଉଦିତ୍ ନଗରସ୍ଥିତ ସିଟି ଲାଇଭଲିହୁଡ୍ ସେଣ୍ଟରଠାରେ ଖୋଲିଛି ‘ଗାଁ ଆମ୍ବ ପସରା’। ରାଉରକେଲା ମହାନଗର ନିଗମ, ଓରମାସ ଓ ମିଶନ ଶକ୍ତିର ମିଳିତ ସହଯୋଗରେ ଏହା ଖୋଲାଯାଇଛି। ମଙ୍ଗଳବାର ଦିନ ଏହି ଷ୍ଟଲକୁ କମିସନର ଦିବ୍ୟଜ୍ୟୋତି ପରିଡ଼ା ଉଦଘାଟନ କରିଛନ୍ତି।ଏହି ଷ୍ଟଲରେ ଗ୍ରାମାଞ୍ଚଳରୁ ଅମଳ ହୋଇଥିବା ଭଳିକି ଭଳି ଆମ୍ବ ରହିଛି। ବର୍ତ୍ତମାନ ଲେଙ୍ଗଡ଼ା ଏବଂ ଦଶେରୀ ଆମ୍ବ ମିଳୁଛି। ୧୮ ତାରିଖ ପର୍ଯ୍ୟନ୍ତ ଏହି ଷ୍ଟଲ୍ ଖୋଲା ରହିବ। ଲକଡାଉନ ନିୟମକୁ ଦୃଷ୍ଟିରେ ରଖି ସକାଳ ୭ଟାରୁ ଅପରାହ୍‌ଣ ୧ଟା ଯାଏଁ ଷ୍ଟଲ ଖୋଲା ରହିବ। ରାଉରକେଲାବାସୀଙ୍କୁ ସୁଲଭ ମୂଲ୍ୟରେ ସୁଆଦିଆ ଆମ୍ବ ମିଳିବ।‘‘ରାଉରକେଲା ସହରରେ ରହୁଥିବା ଲୋକଙ୍କୁ ଉଚିତ ଦାମରେ ଭଲ ଆମ୍ବ ଯୋଗାଇ ଦେବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ ଗୋଟିଏ ଷ୍ଟଲ ଖୋଲା ଯାଇଛି। ଲୋକଙ୍କ ଚାହିଦା ବଢ଼ିଲେ ଆଗାମୀ ଦିନରେ ଅଧିକ ଷ୍ଟଲ ଖୋଲିବାର ବ୍ୟବସ୍ଥା କରାଯିବ। ମିଶନ ଶକ୍ତିର ମା’ମାନେ ଏଥିରେ ଯୋଡ଼ି ହୋଇଥିବାରୁ ସେମାନଙ୍କ ସ୍ଥିତି ମଧ୍ୟ ସୁଦୃଢ଼ ହୋଇ ପାରିବ’’, କହିଛନ୍ତି କମିସନର ଦିବ୍ୟଜ୍ୟୋତି ପରିଡ଼ା।

‘ଗାଁ ଆମ୍ବ ପସରା’ଷ୍ଟଲରେ ମିଳୁଥିବା ଆମ୍ବ ଲହୁଣୀପଡ଼ା ବ୍ଲକର ଖଣ୍ଡାଧାର ଅଞ୍ଚଳରୁ ଆସିଛି। ୱାଡି ପ୍ରକଳ୍ପ ଅଧୀନରେ ଆଗରୁ ଲଗାଯାଇଥିବା ଆମ୍ବ ଗଛରୁ ଏବେ ଅମଳ କରାଯାଉଛି। ବିଶ୍ରା ବ୍ଲକ ଝିରପାଣିର ସୃଷ୍ଟି ଉତ୍ପାଦକ ଗୋଷ୍ଠୀ ମାଧ୍ୟମରେ ଏହି ଆମ୍ବ ବିକ୍ରି ପାଇଁ ରାଉରକେଲାରେ ଷ୍ଟଲ ଖୋଲା ଯାଇଛି।‘‘ଗ୍ରାମାଞ୍ଚଳରେ ଯେଉଁ ଆମ୍ବ ଅମଳ ହେଉଛି ତାହା ଲକଡାଉନ୍ ଯୋଗୁଁ ବଜାରକୁ ଆସିପାରୁ ନାହିଁ। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଉରକେଲା ସହରରେ ଏକ ଷ୍ଟଲ କରାଯାଇଛି। ମିଶନ ଶକ୍ତିର ମା’ମାନଙ୍କ ସହଯୋଗରେ ଭଳିକି ଭଳି ସୁଆଦିଆ ଆମ୍ବ ବିକ୍ରି କରାଯାଉଛି। ଆଜି ୩୫ କୁଇଣ୍ଟାଲ ଆମ୍ବ ଷ୍ଟଲକୁ ଆସିଥିଲା’’, କହିଛନ୍ତି ଓଡ଼ିଶା ଜୀବିକା ମିଶନର ଡିପିଏମ୍ ସାମୁଏଲ ଟପୋ।

ଉଦଘାଟନୀ କାର୍ଯ୍ୟକ୍ରମରେ ରାଉରକେଲା ମହାନଗର ନିଗମର ଡେପୁଟି କମିସନର ସୁଧାଂଶୁ ଭୋଇ, ସୀତାଦେବୀ ମାଝିଙ୍କ ସହିତ ଓରମାସ୍, ଓଡ଼ିଶା ଜୀବିକା ମିଶନ ଏବଂ ଆରଏମସିର ଅଧିକାରୀମାନେ ଉପସ୍ଥିତ ଥିଲେ।

Comment