ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵରରେ କୃଷି ମହାକୁମ୍ଭ ‘କୃଷି ଓଡ଼ିଶା-୨୦୨୧’ ଉଦଘାଟିତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଉଦଘାଟନ।

  • ମାର୍ଚ୍ଚ ୧୯ ତାରିଖ ଯାଏଁ ଚାଲିବ କୃଷି ପ୍ରଦର୍ଶନୀ
  • ଚଳିତ ବର୍ଷର ଥିମ୍‌ – ‘ସମନ୍ୱିତ ଚାଷ : ଚାଷୀଙ୍କ ବିକାଶ’
  • ଏବର୍ଷର ମାସ୍କଟ୍‌ ‘ପାଳଛତୁ’
  • ମିଲେଟ୍‌ ମିଶନ ଓ ମିଶନ ଶକ୍ତି ଉପରେ ସ୍ୱତନ୍ତ୍ର ପ୍ରଦର୍ଶନୀ

‘‘କରୋନା ମହାମାରୀ ଯୋଗୁଁ ଆମ ଦେଶର ଅର୍ଥନୀତି ବିଶେଷ ଭାବରେ ପ୍ରଭାବିତ ହୋଇଛି। ହେଲେ ଆମ କୃଷି କ୍ଷେତ୍ର ସଞ୍ଜୀବନୀ ପରି ଅର୍ଥନୀତିକୁ ଶକ୍ତି ଦେଇଛି। ଚାଷୀଙ୍କ ପରିଶ୍ରମ ଓ ତ୍ୟାଗକୁ ମୁଁ ସମ୍ମାନ ଜଣାଉଛି। ଓଡ଼ିଶା କୃଷି କ୍ଷେତ୍ରରେ ଆଜି ଆଗକୁ ଯାଇଛି। ମିଲେଟ୍‌ ମିଶନ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି। ଆମ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମୁଁ ଗର୍ବ ଅନୁଭବ କରୁଛି’’, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଫିକି ଆନୁକୂଲ୍ୟରେ ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆଠାରେ ସୋମବାର ଦିନ କୃଷି ମହାକୁମ୍ଭ ‘କୃଷି ଓଡ଼ିଶା-୨୦୨୧’ ଉଦଘାଟିତ ହୋଇଛି। ଏହି ମେଗା କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ‘‘କୃଷି ଓଡ଼ିଶା ମାଧ୍ୟମରେ ଆମ ଚାଷୀ ଭାଇ ଭଉଣୀମାନେ ସେମାନଙ୍କ ଦକ୍ଷତା ପ୍ରତିପାଦନ କରିବାର ସୁଯୋଗ ପାଉଛନ୍ତି। ଅଧିକାଂଶ ଲୋକ ଚାକିରି ଛାଡ଼ି କୃଷି କ୍ଷେତ୍ରରେ ମନୋନିବେଶ କରୁଛନ୍ତି। କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ପ୍ରତିବର୍ଷ ଅଧିକରୁ ଅଧିକ ଚାଷୀ ଭାଗ ନେବା ଆମ ସମସ୍ତଙ୍କ ପାଇଁ ଖୁସିର କଥା।’’

‘ସମନ୍ୱିତ ଚାଷ : ଚାଷୀଙ୍କ ବିକାଶ’ ଥିମକୁ ଆଧାର କରି ଚଳିତ ବର୍ଷର କୃଷି ଓଡ଼ିଶା ଆୟୋଜନ କରାଯାଇଛି। ଏଥର ‘ପାଳଛତୁ’ କୃଷି ଓଡ଼ିଶାର ମାସ୍କଟ୍‌ ରହିଛି।

 ‘‘କୃଷି କ୍ଷେତ୍ରରେ ଓଡ଼ିଶା ଆଜି ବହୁ ଆଗକୁ ଯାଇଛି। ବିଭିନ୍ନ ପ୍ରକାରର ଲାଭଜନକ ଚାଷ କରି ଅନେକ ଚାଷୀ ଆଜି ସ୍ୱାବଲମ୍ବୀ ହୋଇଛନ୍ତି। କୃଷି ଉତ୍ପାଦନରେ ଆମ ରାଜ୍ୟ ଭଲ ସ୍ଥିତିରେ ରହିଛି। ତେବେ ଆମ କୃଷି କ୍ଷେତ୍ରକୁ ଆହୁରି ଆଗକୁ ନେବାକୁ ହେଲେ ନୂତନ ଜ୍ଞାନକୌଶଳ ଏବଂ ଉନ୍ନତମାନର ଅତ୍ୟାଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାରର ଆବଶ୍ୟକତା ରହିଛି। ଆମ ଚାଷୀ ଭଇ ଭଉଣୀମାନଙ୍କୁ ଏ ସମ୍ପର୍କରେ ଜଣାଇବା ପାଇଁ କୃଷି ଓଡ଼ିଶା ଆୟୋଜନ କରାଯାଉଛି’’, କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।

ମନ୍ତ୍ରୀ ଡକ୍ଟର ସାହୁ ଆହୁରି କହିଥିଲେ ଯେ, ଆମ ରାଜ୍ୟର ଯୁବ ଚାଷୀମାନେ ଏବେ କୃଷି କ୍ଷେତ୍ର ପ୍ରତି ଆକର୍ଷିତ ହେଉଛନ୍ତି। ସରକାର ସେମାନଙ୍କ ପାଇଁ ବହୁ ପଦକ୍ଷେପ ନେଉଛନ୍ତି। ବିଶେଷକରି ଛତୁ ଚାଷକୁ ପ୍ରାଧାନ୍ୟ ଦିଆଯାଉଥିବାରୁ ଓଡ଼ିଶା ଆଜି ପାଳଛତୁ ଉତ୍ପାଦନରେ ସାରା ଦେଶରେ ୧ ନମ୍ବର ସ୍ଥାନରେ ରହିଛି।

ମାର୍ଚ୍ଚ ୧୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି କୃଷି ମହାକୁମ୍ଭ ଚାଲିବ। ଚଳିତ ବର୍ଷ ୧୬୦ଟି ମଣ୍ଡପରେ ବିଭିନ୍ନ ପ୍ରଦର୍ଶନୀ ଆୟୋଜନ କରାଯାଇଛି। ଏହି ମଣ୍ଡପଗୁଡ଼ିକରେ କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ମିଶନ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓୟୁଏଟି, ଏନ୍.ଆର୍.ଆର୍.ଆଇ, କୃଷି ବିଜ୍ଞାନ କେନ୍ଦ୍ର ଓ ଅନ୍ୟାନ୍ୟ ବୈଷୟିକ ସଂସ୍ଥା ପ୍ରଦର୍ଶନୀରେ ସାମିଲ ହୋଇଛନ୍ତି। ମିଲେଟ୍‌ ମିଶନ୍‌ ଏବଂ ମିଶନ ଶକ୍ତି ପକ୍ଷରୁ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଛି।

‘‘ସମନ୍ୱିତ ଚାଷର ବିକାଶ ହେଲେ ଚାଷୀର ବିକାଶ ସମ୍ଭବ ହେବ। ଏଥିପାଇଁ ରାଜ୍ୟ ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ସମନ୍ୱିତ ଚାଷ ପାଇଁ ଆଗାମୀ ୫ ବର୍ଷ ଭିତରେ ୫ ଲକ୍ଷ କ୍ଷେତ ପୋଖରୀ ଖୋଳିବାକୁ ଲକ୍ଷ୍ୟ ରଖାଯାଇଛି। ୧୨ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ କୃଷି ଉତ୍ପାଦନ କ୍ଲଷ୍ଟର କାର୍ଯ୍ୟକ୍ରମ କରାଯାଉଛି। ଚାଷଙ୍କ ଆୟ କିପରି ବୃଦ୍ଧି ପାଇବ ସେଥିପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି’’, କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ସୌରଭ ଗର୍ଗ।

କୃଷି ଓଡ଼ିଶାରେ ୧୬ ତାରିଖରୁ ୧୯ ତାରିଖ ଯାଏଁ ୧୦ଟି ବିଷୟବସ୍ତୁକୁ ନେଇ ପାଠଶାଳା ଆୟୋଜନ କରାଯିବ। ଚାଷୀ, କୃଷି ଉଦ୍ୟୋଗୀ ଏବଂ କୃଷି ବିଜ୍ଞାନୀମାନେ ଆଲୋଚନାରେ ଭାଗ ନେବେ। ସେହିପରି କୃଷି ଉଦ୍ୟୋଗୀଙ୍କ ପାଇଁ ସରକାର କ’ଣ କ’ଣ ସୁବିଧା କରିଛନ୍ତି ଏବଂ ସେମାନେ ବ୍ୟାଙ୍କରୁ କିପରି ସହଜରେ ୠଣ ପାଇବେ ସେନେଇ ସ୍ୱତନ୍ତ୍ର ‘ବ୍ୟାଙ୍କର୍ସ ମିଟ୍‌’ ମଧ୍ୟ ଆୟୋଜନ କରାଯିବ।

ଉଦଘାଟନୀ ଉତ୍ସବରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ତଥା ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କ ସଭାପତିତ୍ୱ କରିଥିଲେ। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ସୌରଭ ଗର୍ଗ ସ୍ୱାଗତ ଭାଷଣ ଦେଇଥିଲେ। କୃଷି ଉତ୍ପାଦନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ରାଜ କୁମାର ଶର୍ମା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଫିକିର ସେକ୍ରେଟାରୀ ଜେନେରାଲ ଦିଲ୍ଲୀପ ଚିନୋୟ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ବିଭାଗର ସଚିବ ଆର୍‌ ରଘୁପ୍ରସାଦ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ସଫଳ ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ତୃଣମୂଳ ସ୍ତରର ଚାଷୀମାନଙ୍କୁ ଏହି ମେଗା କୃଷି ପ୍ରଦର୍ଶନୀ ସହିତ ଯୋଡ଼ିବା ପାଇଁ ୩୦ଟି ଜିଲ୍ଲାରେ ଭର୍ଚୁଆଲ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

Comment