ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶ ବିଦେଶରେ ନାଁ କରିଥିବା ଓଡ଼ିଆ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାଙ୍କ ସ୍ୱପ୍ନ, ସଂଘର୍ଷ ଓ ସଫଳତାର କଥାକୁ ନେଇ ଆରମ୍ଭ ହେଉଛି ୱେବ୍ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’। ‘ଓଡ଼ିଶାଲାଇଭ୍’ ପ୍ରସ୍ତୁତ ଏହି ଭିଡିଓ ସାକ୍ଷାତକାରର ଉପସ୍ଥାପକ ଅଛନ୍ତି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ।
ଏପ୍ରିଲ ୧ରେ ‘ଷ୍ଟାର୍ଟଅପ୍ ଷ୍ଟୋରି’ର ପ୍ରଥମ ଅଧ୍ୟାୟ ଓଡ଼ିଶାଲାଇଭର ଫେସବୁକ୍ ଏବଂ ୟୁଟ୍ୟୁବ ଚ୍ୟାନେଲରେ ପ୍ରକାଶିତ ହେବ। ଏଥରର ଅତିଥି ହେଉଛନ୍ତି ‘ନେଷ୍ଟ ଆୱେ’ କମ୍ପାନିର ସହ ପ୍ରତିଷ୍ଠାତା ଅମରେନ୍ଦ୍ର ସାହୁ। ଏହି ଯୁବ ଓଡ଼ିଆ ଉଦ୍ୟୋଗୀଙ୍କ ଷ୍ଟାର୍ଟଅପ୍ ଯାତ୍ରାର କାହାଣୀ ଭିଡିଓରେ ବେଶ୍ ସୁନ୍ଦର ଭାବେ ଫୁଟି ଉଠିଛି।
ପ୍ରତି ମାସ ୧ ତାରିଖରେ ଓଡ଼ିଶାଲାଇଭରେ ପ୍ରସାରିତ ହେବ ଜଣେ ଜଣେ ସଫଳ ଓଡ଼ିଆ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାଙ୍କ ସହ ସାକ୍ଷାତକାର। ଏହି ଭିଡିଓଗୁଡ଼ିକ ଯୁବ ଉଦ୍ୟୋଗୀ, ଷ୍ଟାର୍ଟଅପ୍ କମ୍ପାନି, ଛାତ୍ରଛାତ୍ରୀ ଏବଂ ଉଦ୍ୟୋଗ ବିକାଶରେ ଆଗ୍ରହ ରଖୁଥିବା ଲୋକଙ୍କ ପାଇଁ ସୂଚନା ଓ ପ୍ରେରଣା ହେବ।
ଏହି କାର୍ଯ୍ୟକ୍ରମ ଲାଗି ସହଭାଗିତାର ହାତ ବଢ଼ାଇଛି ‘ଷ୍ଟାର୍ଟଅପ୍ ଓଡ଼ିଶା’। ସେହିପରି ଇଣ୍ଡଷ୍ଟ୍ରି ପାର୍ଟନର ଭାବେ ଯୋଡ଼ି ହୋଇଛନ୍ତି ଇମ୍ଫା, ଟାଇ ଭୁବନେଶ୍ୱର ଏବଂ ଫିକି ଓଡ଼ିଶା। ଓଡ଼ିଆ ଖବରକାଗଜ ‘ସମ୍ବାଦ’ ଏହାର ପ୍ରିଣ୍ଟ ପାର୍ଟନର୍ ରହିଛି।
‘ଷ୍ଟାର୍ଟଅପ୍ ଷ୍ଟୋରି’ ପଛର ପ୍ରମୁଖ ଆକର୍ଷଣ ହେଉଛନ୍ତି ଆଧୁନିକ ଶିଳ୍ପ ଜଗତରେ ଯୁବପିଢ଼ିର ପ୍ରେରଣା ସୁବ୍ରତ ବାଗ୍ଚୀ। ପ୍ରତିଥର ସେ ଜଣେ ନୂଆ ଓଡ଼ିଆ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାଙ୍କୁ ଖୋଜିବା ସହିତ ସାକ୍ଷାତକାର ବେଳେ ସେମାନଙ୍କ ଜୀବନ କାହାଣୀକୁ ସୁନ୍ଦର ଭାବେ ଆବିଷ୍କାର କରିବାକୁ ପ୍ରୟାସ କରୁଛନ୍ତି।
‘‘ଅନେକ ମଣିଷଙ୍କ ଭିତରେ ଜଣେ ଉଦ୍ୟୋଗୀ ମନୋଭାବ ରହିଛି। ଏପରିକି ଜଣେ ସଫଳ ଉଦ୍ୟୋଗୀ ହେବାର ଅନେକ ସମ୍ଭାବନା ମଧ୍ୟ ରହିଛି। କିନ୍ତୁ ଛୋଟ ମଞ୍ଜିରୁ ଦିନେ ବିଶାଳ ଗଛଟିଏ ହେବା ପରି ଷ୍ଟାର୍ଟଅପରୁ ଏକ ସଫଳ କମ୍ପାନିରେ ପରିଣତ ହେବା ଏକ ଲମ୍ବା ତଥା ଜଟିଳ ଯାତ୍ରା। ‘ଷ୍ଟାର୍ଟଅପ୍ ଷ୍ଟୋରି’ରେ ଆମେ ଯୁବ ଓଡ଼ିଆ ଉଦ୍ୟୋଗୀମାନଙ୍କ ସେହି ସ୍ୱପ୍ନ ଓ ସଂଘର୍ଷର କାହାଣୀ ଖୋଜି ଅନ୍ୟମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରିବୁ’’, ୱେବ୍ ସିରିଜର ପ୍ରସାରଣ ଅବସରରେ କହିଛନ୍ତି ସୁବ୍ରତ ବାଗ୍ଚୀ।
ଆଜିର ଦିନରେ ବହୁ ଛାତ୍ରଛାତ୍ରୀ ଓ ଯୁବପିଢ଼ି ଷ୍ଟାର୍ଟଅପ୍ କମ୍ପାନି କରି ନିଜର ସ୍ୱପ୍ନକୁ ସାକାର କରିବାକୁ ଚାହୁଁଛନ୍ତି। କିନ୍ତୁ ବ୍ୟବସାୟ ଜଗତରେ ବିଭିନ୍ନ କାରଣରୁ ସବୁ ଷ୍ଟାର୍ଟଅପ୍ ତିଷ୍ଠି ପାରି ନଥାଏ। ଷ୍ଟାର୍ଟଅପ୍ ଜୀବନର ସଂଘର୍ଷକୁ ଅତିକ୍ରମ କରି ଯେଉଁ କମ୍ପାନିଗୁଡ଼ିକ ସଫଳ ହୋଇଥାନ୍ତି ସେମାନେ ଅନ୍ୟମାନଙ୍କ ପାଇଁ ପାଲଟିଥାନ୍ତି ଉଦାହରଣ।
‘‘ଏଭଳି କିଛି ସଫଳ ଓଡ଼ିଆ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାଙ୍କ କାହାଣୀକୁ କ୍ୟାମେରାରେ ରେକର୍ଡ କରି ଡିଜିଟାଲ ମିଡିଆ ମାଧ୍ୟମରେ ଓଡ଼ିଶାର ଯୁବପିଢ଼ି ତଥା ସାଧାରଣ ଦର୍ଶକଙ୍କ ନିକଟରେ ଉପସ୍ଥାପନ କରିବା ‘ଷ୍ଟାର୍ଟଅପ୍ ଷ୍ଟୋରି’ର ଲକ୍ଷ୍ୟ। ବିଶେଷକରି ସୁବ୍ରତ ବାଗ୍ଚୀଙ୍କ ଭଳି ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଏହାର ଉପସ୍ଥାପନା କରୁଥିବାରୁ ଏହି କାର୍ଯ୍ୟକ୍ରମର ଗୁରୁତ୍ୱ ବଢ଼ି ପାରିଛି’’, କହିଛନ୍ତି ଓଡ଼ିଶାଲାଇଭର ସମ୍ପାଦକ ଓ ସିଇଓ ନୀଳାମ୍ବର ରଥ।
‘ଷ୍ଟାର୍ଟଅପ୍ ଷ୍ଟୋରି’ ସିରିଜରେ ପ୍ରସ୍ତୁତ ଭିଡିଓଗୁଡ଼ିକୁ ଆଗାମୀ ଦିନରେ ‘ମୋ କଲେଜ ଅଭିଯାନ’ ଅଧୀନରେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରମାନଙ୍କୁ ଦେଖାଇବାର ସୁଯୋଗ ସୃଷ୍ଟି କରାଯିବ। ଏହି ଭିଡିଓରୁ ସେମାନଙ୍କୁ ଉଦ୍ୟୋଗ ବିକାଶ ଓ ପରିଚାଳନା ସମ୍ପର୍କରେ ପ୍ରେରଣା ମିଳିବ। ଫଳରେ ଅନେକ ଚାକିରି ପଛରେ ନ ଗୋଡ଼ାଇ ନିଜ ଗୋଡ଼ରେ ଠିଆ ହେବା ସହିତ ଅନ୍ୟମାନଙ୍କ ପାଇଁ ରୋଜଗାର ସୃଷ୍ଟି କରିବାକୁ ଆଗେଇ ଆସିବେ।
ଓଡ଼ିଶାଲାଇଭର ସୋସିଆଲ ଚ୍ୟାନେଲ ସହିତ ଏହାର ୱେବସାଇଟରେ ପ୍ରତି ମାସ ୧ ତାରିଖରେ ‘ଷ୍ଟାର୍ଟଅପ୍ ଷ୍ଟୋରି’ ଭିଡିଓ ସିରିଜ ପ୍ରକାଶିତ ହେବ। ସେହିପରି ପ୍ରତ୍ୟେକ ସାକ୍ଷାତକାର ଉପରେ ଆଧାରିତ ଏକ ଲେଖା ଓଡ଼ିଶାଲାଇଭ୍ ନ୍ୟୁଜ ପୋର୍ଟାଲ ସହିତ ‘ସମ୍ବାଦ ରବିବାର’ ସାପ୍ତାହିକ ପୃଷ୍ଠାରେ ପ୍ରକାଶିତ ହେବ।

















