ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାରିନ ଓଡ଼ିଆ ସମାଜ ପକ୍ଷରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ପରମ୍ପରା ବିଷୟ ଆଧାରିତ ଆଲୋଚନାଚକ୍ରର ଦ୍ଵିତୀୟ ଅଧ୍ୟାୟ ଓ୍ଵେବିନାର ଅନୁଷ୍ଠିତ ହୋଇଛି। ବାହାରିନ ଓଡ଼ିଆ ସମାଜର ସଭାପତି ଡକ୍ଟର ଅରୁଣ ପ୍ରହରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଓ୍ଵେବିନାରରେ ଗଜପତି ମହାରାଜା ଦିବ୍ୟସିଂହଦେବ ମୁଖ୍ୟ ବକ୍ତା ଭାବେ ସାମିଲ ହୋଇଥିଲେ।

ଏହି ଆଲୋଚନା ଚକ୍ରରେ ୨୭ଟି ରାଷ୍ଟ୍ରର ପ୍ରବାସୀ ଓଡ଼ିଆ, ୧୧ଟି ହିନ୍ଦୁ ମନ୍ଦିରର କର୍ମକର୍ତ୍ତା ଓ ପ୍ରତିନିଧିଙ୍କ ସମେତ ତିନିଶହରୁ ଊର୍ଦ୍ଧ୍ଵ ଜଗନ୍ନାଥ ପ୍ରେମୀ ଏବଂ ଫେସବୁକ ଲାଇଭ୍ ମାଧ୍ୟମରେ ୧୫୦୦ରୁ ଊର୍ଦ୍ଧ୍ଵ ଦର୍ଶକ ଅଂଶ ଗ୍ରହଣ କରିଥିଲେ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ପରମ୍ପରାକୁ ନେଇ ଦର୍ଶକ ଏବଂ ଗଜପତି ମହାରାଜାଙ୍କ ମଧ୍ୟରେ ପାରସ୍ପରିକ ଆଲୋଚନା ହୋଇଥିଲା।

“ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ସୁରକ୍ଷା କରିବା ଏବଂ ଏହାର ମୌଳିକତା ଅକ୍ଷୁର୍ଣ୍ଣ ରଖିବା ବିଶ୍ଵବ୍ୟାପୀ ଓଡ଼ିଆଙ୍କ ପାଇଁ ଏକ ପବିତ୍ର ପରମ କର୍ତ୍ତବ୍ୟ। ଏଥିପାଇଁ ଆଧ୍ୟାତ୍ମିକ ଶିକ୍ଷାଦାନ ଆଜିର ଆବଶ୍ୟକତା। ଏହା ଆଜିର ଛାତ୍ର ଓ ଯୁବ ପିଢିଙ୍କୁ ଜୀବନର ଏକ ନୂତନ ଆଲୋକିତ ଦିଗକୁ ମାର୍ଗଦର୍ଶନ କରିବ ଏବଂ ଏହା ଆମର ସମସ୍ତ ଶିକ୍ଷାନୁଷ୍ଠାନରେ ପ୍ରୟୋଗ ହେବା ଉଚିତ”, କହିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ।

ଏଥିସହିତ ସେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ନିଧି ସମର୍ପଣ ଅଭିଯାନ ଆଦି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ଅବସରରେ ଓ୍ଵେବିନାରରେ ଉପସ୍ଥିତ ଜଗନ୍ନାଥ ପ୍ରେମୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ଗଜପତି ମହାରାଜା।ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଥିଲେ କହିଥିଲେ,”ଏଭଳି ଏକ କାର୍ଯ୍ୟକ୍ରମ ଜରିଆରେ ସାରା ବିଶ୍ଵରେ ରହୁଥିବା ଓଡ଼ିଆମାନଙ୍କୁ ଏକଜୁଟ କରାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରମ୍ପରା ବିଷୟରେ ଆଲୋଚନା କରୁଥିବାରୁ ବାହାରିନ ଓଡ଼ିଆ ସମାଜକୁ ସାଧୁବାଦ। ଏହାଦ୍ଵାରା ଦେଶ ତଥା ଦେଶ ବାହାରେ ରହୁଥିବା ପ୍ରତିଟି ଓଡ଼ିଆ ମହାପ୍ରଭୁଙ୍କର ମାହାତ୍ମକୁ ଜାଣିପାରିବେ।”

ଏଥିସହିତ ସେ ଶ୍ରୀ ଜଗନ୍ନାଥଙ୍କର ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ନିଧି ସମର୍ପଣ ଅଭିଯାନ ତ୍ୱରାନ୍ୱିତ କାର୍ଯ୍ୟ ଉପରେ ଆଲୋଚନା କରିବା ସହ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ କୃତଜ୍ଞତା ଜଣାଇଥିଲେ।ବାହରିନ ଓଡ଼ିଆ ସମାଜର ସଭାପତି ଡକ୍ଟର ଅରୁଣ ପ୍ରହରାଜ ଓ୍ଵେବିନାରରେ ସାମିଲ ହୋଇଥିବା ପ୍ରବାସୀ ସମୁଦାୟଙ୍କୁ ଏହି ଅଧ୍ୟାୟର ଉଦ୍ଦେଶ୍ୟ ସମ୍ପର୍କରେ କହିବା ସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ନିଧି ସମର୍ପଣ ଅଭିଯାନରେ ବିଶ୍ଵ ସମୁଦାୟ ଅଂଶୀଦାର ହୁଅନ୍ତୁ ବୋଲି ଆହ୍ଵାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ ଡକ୍ଟର ଅରୁଣ ପ୍ରହରାଜଙ୍କ କନ୍ୟା ଅରୁଣିତା ପ୍ରହରାଜ ପରିଚାଳନା କରିଥିବାବେଳେ, ବାହରିନ ଓଡ଼ିଆ ସମାଜର କର୍ମକର୍ତ୍ତା ସୁବାସ ସାହୁ, ସ୍ନେହାଞ୍ଜଳି ପାଣିଗ୍ରାହୀ, ସୁନିତା ପ୍ରହରାଜ ବୈଷୟିକ ସହଯୋଗ କରିଥିଲେ ଏବଂ ମନୋଜ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Comment