ଓଡ଼ିଶାଲାଇଭ ବ୍ୟୁରୋ

ବାହାରିନରେ ପ୍ରାଣ ହରାଇଥିବା ଓଡ଼ିଆ ପ୍ରବାସୀ ଶ୍ରମିକ ସୀମାଞ୍ଚଳ ରାଉତଙ୍କ ମୃତଦେହ ଓଡ଼ିଶା ଆସୁଛି। ଅଗଷ୍ଟ ୧୫ ତାରିଖ ଦିନ ଏୟାର ଇଣ୍ଡିଆ ବିମାନ ଦ୍ୱାରା ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସୀମାଞ୍ଚଳଙ୍କ ମୃତଦେହ ପହଞ୍ଚିବ।

ସୀମାଞ୍ଚଳ ରାଉତ ବାହରିନର ଏନ୍‌ଏସ୍‌ଏଚ୍‌ ନିଗମରେ ମେକାନିକାଲ କମ୍ପାନିରେ ଲିଡ୍‌ ମେନ ଭାବେ କାର୍ଯ୍ୟରତ ଥିଲେ। ଗତ ଜୁଲାଇ ୧୮ରେ ହଠାତ୍‌ ସୀମାଞ୍ଚଳଙ୍କ ମସ୍ତିଷ୍କରୁ ରକ୍ତସ୍ରାବ ହୋଇଥିଲା। ସେ କୋମାକୁ ଚାଲି ଯାଇଥିଲେ। ୨୧ ଦିନର ଚିକିତ୍ସା ପରେ ଗତ ୮ ଅଗଷ୍ଟରେ ବାହାରିନ୍‌ ସଲମାନିଆ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା। ବ୍ରେନ ହାମରେଜ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିଲେ।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିକଟ ତୋଟାଗାଁର ସୀମାଞ୍ଚଳ ରାଉତ। ରୋଜଗାର ପାଇଁ ବାହାରିନ ଯାଇଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପରେ ସୀମାଞ୍ଚଳଙ୍କ ଉପଯୁକ୍ତ ଚିକତ୍ସା ପାଇଁ ବାହରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପ୍ରହରାଜ ସ୍ଥାନୀୟ ପ୍ରଶାସନ, ଭାରତୀୟ ଦୂତାବାସ, ଭାରତ ସରକାରଙ୍କ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଭିଡିଓ କଲ୍‌ ମାଧ୍ୟମରେ ସୀମାଞ୍ଚଳଙ୍କ ପରିବାରକୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ସମ୍ପର୍କରେ ସୂଚନା ଦେଉଥିଲେ। ସୀମାଞ୍ଚଳଙ୍କ ମରଶରୀର ଆସିବାରେ ମଧ୍ୟ ଡକ୍ଟର ପ୍ରହରାଜଙ୍କ ଭୂମିକା ରହିଛି। ଏଥିପାଇଁ ଓଡ଼ିଶାର ଅନେକ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ତଥା ସୀମାଞ୍ଚଳଙ୍କ ପରିବାର ଡକ୍ଟର ପ୍ରହରାଜଙ୍କୁ ଧନ୍ୟବାଦ ଜଣାଇଛନ୍ତି।

‘‘ବାସ୍ତବରେ ଏହା ଏକ ଦୁର୍ଭାଗ୍ୟଜନକ ଘଟଣା। ଆମର ସର୍ବୋତ୍ତମ ପ୍ରୟାସ ପରେ ଆମେ ସୀମାଞ୍ଚଳଙ୍କ ଜୀବନ ରକ୍ଷା କରିପାରିଲୁ ନାହିଁ କିନ୍ତୁ ପ୍ରବାସୀ ଶ୍ରମିକମାନଙ୍କ କ୍ଷେତ୍ରରେ ପ୍ରଚଳିତ ବିଦେଶ ନୀତି ବିଷୟରେ ଏହା ନିଶ୍ଚିତ ଭାବେ ଏକ ଦୃଷ୍ଟି ଆକର୍ଷଣକାରୀ ପ୍ରସଙ୍ଗ। ଜନ୍ମ ମୃତ୍ୟୁ ତ ଈଶ୍ୱରଙ୍କ ହାତରେ କିନ୍ତୁ ବିଦେଶ ମାଟିରେ ପ୍ରବାସୀ ଶ୍ରମିକଙ୍କ ଅଧିକାର ଏବଂ ଜୀବନ ସୁରକ୍ଷା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ନିଜ ନିଜ ସ୍ତରରେ ତୁରନ୍ତ ପ୍ରବାସୀ ସେଲ୍ ଗଠନ କରନ୍ତୁ ଏବଂ ସମଗ୍ର ବିଶ୍ୱରେ ଥିବା ପ୍ରବାସୀ ଓଡିଆ ମାନଙ୍କର ବିବରଣୀ ଭିତ୍ତି ପ୍ରସ୍ତୁତ କରନ୍ତୁ’’, କହିଛନ୍ତି ଡକ୍ଟର ପ୍ରହରାଜ।

ସେ ଆହୁରିମଧ୍ୟ କହିଛନ୍ତି ଯେ, ପ୍ରତ୍ୟେକ ଦେଶରେ ପ୍ରବାସୀ ସଂଯୋଜକ ନିଯୁକ୍ତ କରାଯାଉ। ସେହିପରି ପ୍ରବାସୀ ଶ୍ରମିକମାନଙ୍କର ଅଧିକାର ରକ୍ଷା କରିବା ପାଇଁ ପଞ୍ଜୀକରଣ କରିବା ସହିତ ପ୍ରତ୍ୟେକ ଦେଶରେ ରାଜ୍ୟ ଏବଂ କେନ୍ଦ୍ର ସରକାର ଏବଂ ଭାରତୀୟ ଦୂତାବାସ ସହିତ ବିଦେଶୀ ନିଯୁକ୍ତି ଚୁକ୍ତି ପଞ୍ଜିକରଣ ବାଧ୍ୟତାମୂଳକ କରାଯାଉ।

ଏହିପରି ଜରୁରୀକାଳୀନ ପରିସ୍ଥିତିକୁ ପରିଚାଳନା କରିବା ପାଇଁ ଭାରତୀୟ ଦୂତାବାସମାନଙ୍କୁ କେନ୍ଦ୍ର ସରକାର ଦ୍ୱାରା ବିଶେଷ ଅଧିକାର ଦିଆଯାଉ ବୋଲି ଡକ୍ଟର ପ୍ରହରାଜ ଅନୁରୋଧ କରିଛନ୍ତି।

Comment