ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାରିନ୍‌ର ଏକ ମ୍ୟାନ୍‌ ହୋଲ୍‌ରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ଦେବାଶିଷ ସାହୁଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ବାହାରିନ୍ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ ପ୍ରହରାଜଙ୍କ ଉଦ୍ୟମ କ୍ରମେ ଦେବାଶିଷ କାମ କରୁଥିବା କ୍ରାଉନ୍ ଇଲେକ୍‌ଟ୍ରୋ ମେକାନିକାଲ ସର୍ଭିସ କମ୍ପାନି ତାଙ୍କ ପରିବାରକୁ ଏହି ଅର୍ଥରାଶି ପ୍ରଦାନ କରିଛନ୍ତି।

“ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଯୋଗୁଁ ଦେବାଶିଷଙ୍କ ପରିବାରକୁ ମୁଁ ଏଭଳି ଏକ ସାହାଯ୍ୟ କରିପାରିଛି। ମାନବ ସେବା ହିଁ ମାଧବଙ୍କ ସେବା ବୋଲି ପିଲାଟି ବେଳୁ ମୋ ବାପା, ମା’ ମୋତେ ଶିଖାଇ ଆସିଛନ୍ତି। ଏହି କଥାକୁ ମୁଁ ମୋର ଜୀବନରେ କରି ଆସିଛି। ତେଣୁ ମୁଁ ମୋର ସବୁ ପ୍ରବାସୀ ଭାଇମାନଙ୍କୁ ଅନୁରୋଧ କରୁଛି, ଯେତେବେଳେ ବି କେହି ପ୍ରବାସୀ ଭାଇ ଅସୁବିଧାରେ ପଡୁଛି ତାକୁ ସାହାଯ୍ୟ କରିବା ପାଇଁ”, କହିଛନ୍ତି ଡକ୍ଟର ଅରୁଣ ପ୍ରହରାଜ।

କାର୍ଯ୍ୟରତ ଶ୍ରମିକଙ୍କ କ୍ଷତିପୂରଣ ନିମନ୍ତେ ଡକ୍ଟର ପ୍ରହରାଜ କ୍ରାଉନ କମ୍ପାନି ପାଖରେ ଦୃଢ଼ ଯୁକ୍ତି ଓ ପ୍ରମାଣ ଉପସ୍ଥାପନ କରିଥିଲେ। ଫଳରେ ମୃତ ଦେବାଶିଷଙ୍କ ବାପା ବସନ୍ତ ସାହୁଙ୍କୁ କମ୍ପାନି କ୍ଷତିପୂରଣ ରାଶି ପ୍ରଦାନ କରିଛି।ଭଦ୍ରକ ଜିଲ୍ଲା ବିଜୟନଗରର ଦେବାଶିଷ ସାହୁଙ୍କ ଘର। ସେ ଗତ ୨୦୧୬ ମସିହାରେ କାମ କରିବା ପାଇଁ ବାହାରିନ୍ ଚାଲିଯାଇଥିଲେ। ତାଙ୍କ ମା’ କର୍କଟ ରୋଗରେ ପ୍ରାଣ ହରାଇଥିବା ବେଳେ ଘରେ ଏହା ବାପା ରହୁଥିଲେ। ଗତ ବର୍ଷ ଏକ ମ୍ୟାନ୍‌ ହୋଲ୍‌ରେ ମରାମତି କାମ କରିବା ସମୟରେ ଦେବାଶିଷ ମିଥେନ୍ ଗ୍ୟାସ୍ ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ।

ଏହାପରେ ବାହାରିନ୍ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ ପ୍ରହରାଜ ବାହାରିନ୍‌ର ବିଭିନ୍ନ ଅଧିକାରୀ ଏବଂ ଦେବାଶିଷ କାମ କରୁଥିବା କମ୍ପାନି ସହିତ ଆଲୋଚନା କରି ଏୟାର ଇଣ୍ଡିଆର ଏକ ବିମାନ ଯୋଗେ ତାଙ୍କ ମର ଶରୀରକୁ ଓଡ଼ିଶା ପଠାଇଥିଲେ। ଗତ ନଭେମ୍ଵର ୨୬ ତାରିଖରେ ଭୁବନେଶ୍ଵରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦେବାଶିଷଙ୍କ ପାର୍ଥିବ ଶରୀର ପହଞ୍ଚିଥିଲା।

ଦେବାଶିଷଙ୍କ ପରିବାରକୁ ଏହି ଅନୁକମ୍ପା ରାଶି ମିଳିବା ପରେ ଭଦ୍ରକର ବୁଦ୍ଧିଜୀବୀ ସମାଜ ସମେତ ଓଡ଼ିଶାର ଅନେକ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ତଥା ଦେବାଶିଷଙ୍କ ବାପା ବସନ୍ତ ସାହୁ ଡକ୍ଟର ଅରୁଣ ପ୍ରହରାଜଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Comment