ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମବଙ୍ଗରେ ବିଜେପିର ଖେଳ ଫସର ଫାଟିଲାଣି। ଭୋଟ୍ ଗଣତି କହୁଛି, ଦିଦିଙ୍କ ଆଡ଼କୁ ବାଜି ଢଳୁଛି।

ଖେଲା ହୋବେ…ଖେଲା ହୋବେ…। ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନର ପ୍ରଚାର ରାଲିରେ ତୃଣମୂଳ କଂଗ୍ରେସର (ଟିଏମ୍‌ସି) କର୍ମୀମାନଙ୍କ ମୁହଁରେ ଗୁଞ୍ଜରୁଥିଲା ଏହି ସ୍ଳୋଗାନ, ଯାହାର ଅର୍ଥ ହେଉଛି ‘ଖେଳ ହେବ’। ଆଉ ନିର୍ବାଚନ ମଇଦାନର ଏଇ ଖେଳରେ ବିଜେପିର ସବୁ କଳ୍ପନାଜଳ୍ପନାକୁ ଚୁର୍‌ମାର୍ କରିଦେଇଛି ଟିଏମ୍‌ସି। ରବିବାର ଅପରାହ୍ନ ୩ଟା ୩୦ ସୁଦ୍ଧା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟ୍ ଗଣତିରେ ଟିଏମ୍‌ସି ଆସନର ୩ ଅଙ୍କ ଛୁଇଁଥିବା ବେଳେ ବିଜେପି ୨ ଅଙ୍କରେ ସୀମିତ ରହିଛି। ଟିଏମ୍‌ସି ୨୦୫ ଆସନରେ ଆଗୁଆ ଥିବାବେଳେ ବିଜେପି ୮୫ଟି ସିଟ୍‌ରେ ଆଗୁଆ ରହିଛି।

ମମତାଙ୍କୁ ଚ୍ୟାଲେଞ୍ଜ ପରେ ଚ୍ୟାଲେଞ୍ଜ ଦେଇଥିଲା ବିଜେପି

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ବିଜେପିଠାରୁ ମିଳିଥିବା ଚ୍ୟାଲେଞ୍ଜକୁ ସାମ୍ନା କରିବା ଏତେ ସହଜ ନଥିଲା। ବିଜେପିର ଲକ୍ଷ୍ୟ ଥିଲା ‘ମିଶନ ପୂର୍ବୋଦୟ’। ଆଉ ପଶ୍ଚିମବଙ୍ଗରୁ ହିଁ ବିଜୟର ବାନା ଉଡ଼ାଇ ଏହି ମିଶନକୁ ଆଗକୁ ନେବାର ସ୍ୱପ୍ନ ଦେଖିଥିଲା ବିଜେପି। କିନ୍ତୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସିର ନେତା ମମତା ବାନାର୍ଜୀ ପ୍ରମାଣିତ କରିଦେଲେ ଏବେମଧ୍ୟ ପଶ୍ଚିମବଙ୍ଗରେ ତାଙ୍କର ପ୍ରଭାବ କାୟମ ରହିଛି।କରୋନା ମହାମାରୀ ଭଳି ସମୟରେ ପଶ୍ଚିମବଙ୍ଗରେ ୨୭ ମାର୍ଚ୍ଚରୁ ୨୯ ଏପ୍ରିଲ ପର୍ଯ୍ୟନ୍ତ ୮ଟି ପର୍ଯ୍ୟାୟରେ ଲମ୍ବା ମତଦାନ ପ୍ରକ୍ରିୟା ଚାଲିଥିଲା। ରାଜ୍ୟର ମୋଟ ୨୯୪ଟି ଆସନ ମଧ୍ୟରୁ ୨୯୨ଟି ଆସନ ପାଇଁ ମତଦାନ ହୋଇଥିଲା।

ପଶ୍ଚିମବଙ୍ଗରେ ଗତ ଦୁଇଟି ବିଧାନସଭା ନିର୍ବାଚନରେ ଟିଏମ୍‌ସି ହିଁ ବାଜି ମାରିଥିଲା। ୨୦୧୧ରେ ଟିଏମ୍‌ସି ୧୮୪ ଏବଂ ୨୦୧୬ରେ ୨୧୧ଟି ଆସନ ହାତେଇ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ସରକାର ଗଢ଼ିଥିଲା। ତେବେ ଯଦି ଆମେ ବିଜେପି କଥା ଆଲୋଚନା କରିବା, ୨୦୧୧ ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗରେ ଖାତା ଖୋଲିବାକୁ ମଧ୍ୟ ସକ୍ଷମ ହୋଇନଥିଲା। ୨୦୧୬ରେ ବିଜେପିକୁ ମାତ୍ର ୩ଟି ଆସନ ମିଳିଥିଲା। କିନ୍ତୁ ୨୦୨୧ ନିର୍ବାଚନରେ ବିଜେପି ବଙ୍ଗ ରାଜନୀତିରେ ନିଜର ପତିଆରା ଦେଖାଇବା ଆରମ୍ଭ କରିଛି କହିଲେ ଭୁଲ୍ ହେବନାହିଁ।

୨୦୧୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ

  • ଟିଏମ୍‌ସି: ୨୧୧ ଆସନ
  • ବିଜେପି: ୩ ଆସନ
  • କଂଗ୍ରେସ: ୪୪ ଆସନ
  • ସିପିଏମ୍‌: ୨୬ ଆସନ

ପଶ୍ଚିମବଙ୍ଗରେ କିଏ କେଉଁ କାର୍ଡ ଖେଳିଥିଲା?

ନିର୍ବାଚନ ପ୍ରଚାର ସମୟରେ ବିଜେପି ପଶ୍ଚିମବଙ୍ଗରେ ଖୋଲାଖୋଲି ନିଜର ହିନ୍ଦୁତ୍ୱ କାର୍ଡ ଖେଳିଥିଲା। ନିଜ ପ୍ରଚାର ଅଭିଯାନରେ ବିଜେପି ଦୁର୍ଗାପୂଜା, ସରସ୍ୱତୀ ପୂଜା ଓ ଜୟ ଶ୍ରୀରାମ ଭଳି ଧାର୍ମିକ ପ୍ରସଙ୍ଗ ଉଠାଇଥିଲା। ଉତ୍ତରପ୍ରଦେଶ କିମ୍ବା ବିହାର ରାଜ୍ୟ ଭଳି ପଶ୍ଚିମବଙ୍ଗରେ ଧର୍ମ ଓ ସଂପ୍ରଦାୟର ରାଜନୀତି ଚଳେନାହିଁ। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗରେ ମୁସଲିମ୍ ତୁଷ୍ଟିକରଣ ପ୍ରସଙ୍ଗ ଉଠାଇ ଟିଏମ୍‌ସିକୁ ଘେରିବା ଆରମ୍ଭ କରିଥିଲା। ପରେ ଅତି ଚତୁରତାର ସହ ‘ରାଷ୍ଟ୍ରବାଦ’ ସ୍ଲୋଗାନ ଭିତରେ ‘ହିନ୍ଦୁତ୍ୱ’ର ରାଜନୀତିକୁ ଗୁନ୍ଥି ଦେଇଥିଲା ବିଜେପି। ଏହି ଉପାୟରେ ପଶ୍ଚିମବଙ୍ଗର ୪୨ଟି ଲୋକସଭା ଆସନରୁ ବିଜେପି ୧୮ଟିରେ ବିଜୟ ଲାଭ କରି ରାଜନୀତିକ ମହଲକୁ ଚମକାଇ ଦେଇଥିଲା।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ରାଲିରେ ଖୋଦ୍ ମମତା ବାନାର୍ଜୀ ମଧ୍ୟ ନିଜକୁ ବ୍ରାହ୍ମଣ ବୋଲି ପରିଚୟ ଦେବା ସହ ଚଣ୍ଡୀପାଠ କରିଥିଲେ। ଅନ୍ୟପକ୍ଷରେ ବିଜେପି ଟିଏମ୍‌ସି ଭିତରେ ଥିବା କଳିରୁ ମଧ୍ୟ ଫାଇଦା ନେବା ପାଇଁ ଉଦ୍ୟମ କରିଥିଲା। ନିର୍ବାଚନ ପୂର୍ବରୁ ଟିଏମ୍‌ସି ଦୁଇ ପ୍ରମୁଖ ନେତା ଶୁଭେନ୍ଦୁ ଅଧିକାରୀ ଓ ରାଜୀବ ବାନାର୍ଜୀ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ।ଫସର ଫାଟିଲା ବିଜେପିର ‘ସୋନାର ବାଙ୍ଗ୍‌ଲା’ ସ୍ୱପ୍ନ

ପଶ୍ଚିମବଙ୍ଗର ବିକାଶ ପାଇଁ ବିଜେପି ‘ସୋନାର ବାଙ୍ଗ୍‌ଲା’ ସ୍ଳୋଗାନ ଉପରେ ଜୋର୍ ଦେଇଥିଲା। ଅନ୍ୟପକ୍ଷରେ ବିଜେପି ପାଖରେ ମମତାଙ୍କ ଭଳି ଉଚ୍ଚତାର ନେତୃତ୍ୱ ନେଲା ଭଳି କୌଣସି ସ୍ଥାନୀୟ ନେତା ନଥିଲେ। ତେଣୁ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ବିଜେପି ପାଇଁ ରାଜ୍ୟ ବାହାର ନେତାମାନେ ହିଁ ପ୍ରମୁଖ ଚେହେରା ହେଲେ। ଏହାକୁ ହିଁ ‘ସ୍ଥାନୀୟ ବନାମ ବାହାର’ ପ୍ରସଙ୍ଗ କରି ଟିଏମ୍‌ସି ‘ମମତା ବନାମ ମୋଦୀ’ ଲଢ଼େଇକୁ ଜୋରଦାର କରିଥିଲା।

ଏପରିକି ୧୦ ମାର୍ଚ୍ଚରେ ମମତା ବାନାର୍ଜୀ ନାମାଙ୍କନ ଦାଖଲ କରିବା ପରେ ତାଙ୍କୁ ଆକ୍ରମଣ କରାଯାଇଥିବା ସେ ଅଭିଯୋଗ ଆଣିଲେ। ଏହାର ୪ ଦିନ ପରେ ହ୍ୱିଲ୍ ଚେୟାରରେ ବସି ପ୍ରଚାର ଅଭିଯାନରେ ରାସ୍ତାକୁ ଓହ୍ଲାଇ ମମତା ନିଜ ପାଇଁ ସମ୍ବେଦନାର ରାଜନୀତି କାର୍ଡ ଖେଳିଲେ।

ମୋଟ ଉପରେ କହିବାକୁ ଗଲେ, ନିର୍ବାଚନର ଏକ ବଡ଼ ଲଢ଼େଇରେ ଟିଏମ୍‌ସି ବିଜେପିକୁ ମାତ୍ ଦେବା ସହ ଦେଶର ରାଜନୀତିରେ ଆଞ୍ଚଳିକ ଦଳଗୁଡ଼ିକ ପାଇଁ ଏକ ନୂଆ ସମ୍ଭାବନା ତିଆରି କରିଛନ୍ତି।

Comment