ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଜିଲ୍ଲାରେ ଦୈନିକ କୋଭିଡ୍ ସଂକ୍ରମଣ ହଜାରେ ପାର୍ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ କଟକ ଜିଲ୍ଲାରୁ ୧,୦୫୨ଟି ନୂଆ ପଜିଟିଭ୍ କେସ୍ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ରାଜ୍ୟରେ କରୋନା ସଂକ୍ରମଣ ଆରମ୍ଭଠାରୁ କଟକରେ ଦୈନିକ ପଜିଟିଭ୍ କେସ୍ କେବେ ହଜାରେ ଟପି ନଥିଲା। ତେଣୁ କଟକରେ କରୋନାର ଏପରି ବିସ୍ଫୋରଣ ଜିଲ୍ଲାବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି।

ମାର୍ଚ୍ଚ ୧୬, ୨୦୨୦ରେ ଭୁବନେଶ୍ଵରରୁ ରାଜ୍ୟର ପ୍ରଥମ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲା। ଏହାପରେ ରାଜ୍ୟରେ ବିଭିନ୍ନ ସ୍ଥାନରୁ ଧୀରେ ଧୀରେ ନୂଆ ଆକ୍ରାନ୍ତ ବାହାରିବାକୁ ଲାଗିଲେ। ମାର୍ଚ୍ଚ ମାସ ଶେଷ ବେଳକୁ ରାଜ୍ୟରୁ ମୋଟ୍ ୫ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ଏପ୍ରିଲ୍ ୩ରେ ରାଜ୍ୟର ଷଷ୍ଠ କୋଭିଡ୍ ପଜିଟିଭ୍ କଟକ ଜିଲ୍ଲାରୁ ବାହାରିଥିଲେ, ଯିଏକି ଜିଲ୍ଲାର ପ୍ରଥମ ଆକ୍ରାନ୍ତ ଥିଲେ। ଏହାପରେ କଟକରେ କରୋନା କଟକଣାକୁ କଡ଼ାକଡ଼ି କରାଯାଇ ସଂକ୍ରମଣକୁ ନିୟନ୍ତ୍ରକୁ ଆଣିବାକୁ ଅଣ୍ଟା ଭିଡ଼ିଥିଲା ଜିଲ୍ଲା ପ୍ରଶାସନ।କଟକରେ ହଜାରେ ଟପିଲା ଦୈନିକ ସଂକ୍ରମଣ

କରୋନାର ପ୍ରଥମ ଲହରରେ ଖୋର୍ଦ୍ଧା, କଟକ ଏବଂ ଗଞ୍ଜାମ ଜିଲ୍ଲା ଓଡ଼ିଶାର କରୋନା ହଟସ୍ପଟ୍ ଜିଲ୍ଲା ହୋଇଥିଲା। ଦୈନିକ ଏହି ଜିଲ୍ଲାଗୁଡ଼ିକରୁ ଶତାଧିକ ଲୋକ କୋଭିଡ୍‌ରେ ଆକ୍ରାନ୍ତ ହେଉଥିଲେ। ଜୁଲାଇ ୨୪ରେ କଟକରେ ପ୍ରଥମଥର ଦୈନିକ ସଂକ୍ରମଣ ଶତକ ଛୁଇଁଥିଲା। ସେଦିନ ଜିଲ୍ଲାରୁ ମୋଟ୍ ୧୩୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେବେ ପ୍ରଥମ ଲହର ବେଳେ ସେପ୍ଟେମ୍ଵର ୨୧ରେ କଟକରେ ଦୈନିକ ସଂକ୍ରମଣ ସର୍ବାଧିକ ୫୯୫ ଛୁଇଁଥିଲା। ଏହାପରେ ସଂକ୍ରମଣ ହାର କମି ଡେସେମ୍ଵର ଆଡ଼କୁ ୧୦ରୁ ୧୫ ମଧ୍ୟରେ ସୀମିତ ରହିଥିଲା।

କିନ୍ତୁ ଦ୍ଵିତୀୟ ଲହରରେ ଜିଲ୍ଲାରେ ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପ୍ରିଲ୍ ୧୪, ୨୦୨୧ରେ କଟକ ଜିଲ୍ଲାରୁ ପୁଣିଥରେ ଶତାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରଠାରୁ ଜିଲ୍ଲାରେ ସଂକ୍ରମଣ ବଢ଼ି ବଢ଼ି ଚାଲିଛି। ମେ’ ପହିଲାରୁ ଜିଲ୍ଲାରେ ଦୈନିକ ସଂକ୍ରମଣ ୮୦୦ ପାର୍ କରିଥିଲା। କିନ୍ତୁ ଗତ ୨୪ ଘଣ୍ଟାରେ ଜିଲ୍ଲାର ଦୈନିକ ସଂକ୍ରମଣ ପ୍ରଥମଥର ହଜାରେ ପାର୍ କରିଛି। ସରକାରୀ ସୂଚନା ମୁତାବକ ମେ’ ୭ ତାରିଖରେ କଟକରୁ ୧୦୫୨ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

କଟକରେ ଗୋଷ୍ଠୀ ସଂକ୍ରମଣ!

କଟକରେ ଦୈନିକ କୋଭିଡ୍ କେସ୍ ବଢ଼ିଚାଲିଥିବା ଯୋଗୁଁ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ହୋଇଥିବା ଆଶଙ୍କା କରାଯାଉଛି। ପ୍ରତିଦିନ କଟକୁ ଜିଲ୍ଲା ବାହରୁ ଅନେକ ଲୋକ ଆସୁଥିବାରୁ ଜିଲ୍ଲାରେ ସଂକ୍ରମଣ ବଢୁଥିବା ସିଏମ୍‌ସି ନୋଡାଲ ଅଧିକାରୀ ଡାକ୍ତର ଉମେଶ ରାୟ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଗାମୀ ୫ରୁ ୬ ଦିନ ମଧ୍ୟରେ ଜିଲ୍ଲାର ସଂକ୍ରମଣ ପିକ୍‌କୁ ଯିବ। ଏହାପରେ ଧୀରେ ଧୀରେ ସଂଖ୍ୟା କମିପାରେ।

କଟକରେ କୋଭିଡ୍ ସ୍ଥିତି

କଟକ ଜିଲ୍ଲାରେ ଏଯାବତ୍ ମୋଟ୍ ୪୧,୩୭୮ ଜଣ ବ୍ୟକ୍ତି କୋଭିଡ୍ ପଜିଟିଭ୍ ହୋଇଛନ୍ତି। ସେଥିମଧ୍ୟରୁ ୩୪,୦୩୮ ଜଣ କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ଜିଲ୍ଲାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୭,୧୮୬। ସେହିପରି ଜିଲ୍ଲାରୁ ମୋଟ୍ ୧୫୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।

Comment