ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା କାଳରେ ନୟାଗଡ଼ ରେଡ୍ କ୍ରସ୍ ଭଲୁଣ୍ଟିୟରସ୍ ଫୋରମର ଉତ୍ସାହିତ ସ୍ୱେଚ୍ଛାସେବୀ ବିଭୂତି ଭୂଷଣ ପଟ୍ଟନାୟକ ଓ ତାଙ୍କ ସାଥୀମାନେ ମାନବ କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ସେମାନେ ଅନେକ ଅସହାୟ ଓ ଭୋକିଲାଙ୍କୁ ମାଗଣାରେ ଖାଦ୍ୟ ଯୋଗାଉଛନ୍ତି। ପୂର୍ବବର୍ଷ ସଟ୍‌ଡାଉନ୍ ସମୟରେ ମଧ୍ୟ ରେଡ୍ କ୍ରସ୍ ଭଲୁଣ୍ଟିୟରସ୍ ଫୋରମର ସ୍ୱେଚ୍ଛାସେବୀମାନେ ନୟାଗଡ଼ ସହରାଞ୍ଚଳରେ ବୁଲୁଥିବା ଭିକାରିମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଉଥିଲେ।

ସଟଡାଉନ୍ ସମୟରେ ଭିକାରି ଓ ଅସହାୟଙ୍କୁ ଖାଦ୍ୟ ଯୋଗାଇବା କାର୍ଯ୍ୟ ଏବେ ନୟାଗଡ଼ ରେଡ୍ କ୍ରସ୍ ସ୍ୱେଚ୍ଛସେବୀଙ୍କ ଅଭ୍ୟାସରେ ପରିଣତ ହୋଇସାରିଛି। ସପ୍ତାହାନ୍ତ ସଟ୍‌ଡାଉନ ସମୟରେ ନିଜେ ଖାଦ୍ୟ ପ୍ରସ୍ତୁତ କରି, ସ୍କୁଟି ଓ ବାଇକ ଯୋଗେ ସହରରେ ଥିବା ଭୋକିଲାଙ୍କୁ ଖୋଜି ଖୋଜି ଖାଦ୍ୟ ଯୋଗାଉଛନ୍ତି। ଖାଦ୍ୟ ପ୍ରସ୍ତୁତ ବାବାଦକୁ ୭ଶହରୁ ୮ଶହ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ସେମାନେ ନିଜ ପକେଟ୍‌ରୁ ଏସବୁ ବହନ କରୁଛନ୍ତି। ସେମାନଙ୍କ ଆର୍ଥୀକ ଅବସ୍ଥା ସ୍ୱଚ୍ଛଳ ନଥିଲେ ମଧ୍ୟ ସେଥିରୁ କିଛି ଟଙ୍କା ସଞ୍ଚି ମାନବ କଲ୍ୟାଣ କାର୍ଯ୍ୟରେ ନିୟୋଜିତ କରି ଖୁସି ଅନୁଭବ କରୁଥିବା କହିଛନ୍ତି ସ୍ୱେଚ୍ଛାସେବୀ ବିଭୂତି ଭୂଷଣ ପଟ୍ଟନାୟକ।ଏକ ସାଧାରଣ ଇଲେକ୍ଟ୍ରିକାଲ ମରାମତି ଦୋକନାର ମାଲିକ ହେଉଛନ୍ତି ବିଭୂତି। ମାନବ ସେବା ପ୍ରତି ଆଗ୍ରହ ରଖୁଥିବା କେତେକ ସହଯୋଗୀଙ୍କୁ ନେଇ ସେ ୨୦୦୭ ମସିହାରେ ନୟାଗଡ଼ ରେଡ୍ କ୍ରସ୍ ଭଲୁଣ୍ଟିୟର ଫୋରମ ଗଠନ କରିଥିଲେ। ସେବେଠାରୁ ଏହି ଫୋରମ ଜିଲ୍ଲା ହସ୍ପିଟାଲରେ ଗରିବ, ଅସହାୟ ରୋଗୀଙ୍କର ଯତ୍ନ ନେବା, ରକ୍ତ ଦାନ କରିବା ଭଳି କାର୍ଯ୍ୟ କରିଆସୁଛି। ଏଥିସହ ରେଡ୍ କ୍ରସ୍‌ର ସ୍ୱେଚ୍ଛାସେବୀମାନେ କୌଣସି ଯୁଦ୍ଧ ବିଭୀଷିକା, ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ଦ୍ୱାରା ପ୍ରଭାବିତ ମାନବ ସମାଜକୁ ନିରପେକ୍ଷ ସେବା ଯୋଗାଇ ସେମାନଙ୍କ ମନରେ ନୂଆ ଜୀବନ ବଞ୍ଚିବାର ଆଶା ସଞ୍ଚାର କରାଉଛନ୍ତି।

ବର୍ତ୍ତମାନ କରୋନା ପାଇଁ ନୟାଗଡ଼ବାସୀ ଭୟଙ୍କର ପରିସ୍ଥିତି ଦେଇ ଗତି କରୁଛନ୍ତି । ଏଭଳି କଠିନ ସମୟରେ ସେମାନଙ୍କର ସାହାରା ପାଲଟିଛି ରେଡ୍ କ୍ରସ୍ ଭଲୁଣ୍ଟିୟରସ୍ ଫୋରମ। ଏହି ଫୋରମର ସେବାପୂର୍ଣ୍ଣ କାର୍ଯ୍ୟକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଉଛି। ବିଭୂତିଙ୍କ ସହ ସନ୍ତୋଷ ଷଢ଼ଙ୍ଗୀ, ପ୍ରତାପ ରଣସିଂ, ମାନସ ମହାପାତ୍ର ଓ ବିଭୂତି ପଟ୍ଟନାୟକଙ୍କ ଭଳି ୬ ରୁ ୭ ଜଣ ସ୍ୱଚ୍ଛାସେବୀ ଲୋକମାନଙ୍କୁ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇଛନ୍ତି।

Comment