ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଏବେ ଦେଖିବାକୁ ମିଳୁଛି ବ୍ଲାକ୍‌ ଫଙ୍ଗସ (ମ୍ୟୁକୋରାମାଇକୋସିସ୍) ସଂକ୍ରମଣ। ଗୁଜରାଟ ଓ ଦିଲ୍ଲୀରେ ଏଭଳି ମାମଲା ସମ୍ନାକୁ ଆସିଛି। ଦିଲ୍ଲୀରେ ଗତ ୨ ଦିନରେ ୬ ଜଣ ରୋଗୀ ଏଥିରେ ପୀଡ଼ିତ ହୋଇଛନ୍ତି, ଯାହାକି ଏବେ ସାରାଦେଶରେ ଆତଙ୍କ ଖେଳାଇଛି। କରୋନାରେ ଆକ୍ରାନ୍ତ ପରେ ରୋଗ ପ୍ରତିରୋଧକ ଶକ୍ତି କମିଯାଉଥିବା ଲୋକଙ୍କଠାରେ ବ୍ଲାକ ଫଙ୍ଗସ ଦେଖା ଯାଉଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ କହୁଛନ୍ତି।

ବ୍ଲାକ୍‌ ଫଙ୍ଗସ୍‌ (ମ୍ୟୁକୋରାମାଇକୋସିସ୍) କ?

 ମ୍ୟୁକୋରାମାଇକୋସିସ୍ ହେଉଛି ଯାଦୁ ବା ଫଙ୍ଗଲ୍‌ ଇନଫେକ୍ସନ ଭଳି ଏକ ରୋଗ। ଏହା ଖୁବଶୀଘ୍ର ଶରୀରରେ ବ୍ୟାପି ଯାଇଥାଏ। ମସ୍ତିଷ୍କ, ଫୁସଫୁସ କିମ୍ବା ଚର୍ମରେ ସଂକ୍ରମଣ ହୋଇପାରେ।  ଏହି ସଂକ୍ରମଣ ହେଲେ ଆଖି, ନାକ ଆଦି ନଷ୍ଟ ହୋଇଯାଇପାରେ।   ଯଦି ଏହା ଠିକ୍ ସମୟରେ ନିୟନ୍ତ୍ରିତ ନହୁଏ, ତେବେ ଏହା ରୋଗୀର ମୃତ୍ୟୁର କାରଣ ମଧ୍ୟ ହୋଇପାରେ।

ସାଧାରଣତଃ ରୋଗ ପ୍ରତିରୋଧକ ଶକ୍ତି ଯେଉଁମାନଙ୍କର ଦୁର୍ବଳ ରହିଛି ସେହିମାନଙ୍କୁ ଏହି ସଂକ୍ରମଣ ହେଉଥିବା ବିଶେଷଜ୍ଞମାନେ କହୁଛନ୍ତି। ତେଣୁ କରୋନା ସମୟରେ କିମ୍ବା ପରେ ଆରୋଗ୍ୟ ହୋଇଥିବା ରୋଗୀଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବାରୁ ସେମାନଙ୍କୁ ବ୍ଲାକ୍‌ ଫଙ୍ଗସ୍‌ ଆକ୍ରାନ୍ତ କରୁଛି। ଅନ୍ୟପଟେ ଏହି ସଂକ୍ରମଣ ମଧୁମେହ ରୋଗୀଙ୍କ ପାଇଁ ବିପଜ୍ଜନକ ପାଲୁଟୁଥିବା ମଧ୍ୟ ପ୍ରମାଣିତ ହେଉଛି।

ବ୍ଲାକ୍‌ ଫଙ୍ଗସର ଲକ୍ଷଣ?

ବ୍ଲାକ୍‌ ଫଙ୍ଗସର ଲକ୍ଷଣ ମଧ୍ୟରେ ଜ୍ୱର, ମୁଣ୍ଡବିନ୍ଧା, କାଶ, ନିଶ୍ୱାସ ପ୍ରଶ୍ୱାସରେ ଯନ୍ତ୍ରଣା ହେବା, ନାକରୁ କଳା ପାଣି ବାହାରିବା ଆଦି ରହିଛି। ଏହାସହିତ ଆଖି କିମ୍ବା ନାକ ଚାରିପାଖରେ ଲାଲ ରଙ୍ଗ ଦେଖାଯିବା ମଧ୍ୟ ଏହାର ଲକ୍ଷଣ। କେତେକଙ୍କ କ୍ଷେତ୍ରରେ ପେଟ ଯନ୍ତ୍ରଣା, ବାନ୍ତି ମଧ୍ୟ ହୋଇଥାଏ।

ଯଦି କେହି ଏପରି ଲକ୍ଷଣ ଅନୁଭବ କରନ୍ତି, ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଆବଶ୍ୟକ।  ଯଦି ଚିକିତ୍ସା ଠିକ୍ ସମୟରେ ଆରମ୍ଭ ହୁଏ ଏହା ଭଲ ହୋଇପାରିବ। ମନେରଖନ୍ତୁ, ଯେ ଏପରି ସମସ୍ୟା ହେଲେ ଡାକ୍ତରଙ୍କ ପରାମର୍ଶ ବିନା କୌଣସି ଔଷଧ ଖାଇବେ ନାହିଁ।

କେଉଁ ସତର୍କତା ଆପଣେଇବେ?

ବ୍ଲାକ୍‌ ଫଙ୍ଗସରୁ ବର୍ତ୍ତିବାକୁ ହେଲେ ମାଟିରୁ ଦୂରେଇ ରହିବା ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି।  ଏହସହିତ ସର୍ବଦା ମାସ୍କ, ଫୁଲ ସାର୍ଟ, ଫୁଲ ପ୍ୟାଣ୍ଟ ପିନ୍ଧିବା ଆବଶ୍ୟକ। ବଗିଚାରେ କାମ କଲା ବେଳେ ହାତରେ ଗ୍ଲୋଭ୍‌ସ ପାଦରେ ଗନ ବୁଟ୍‌ ପିନ୍ଧିବା ଦରକାର। ସେହିପରି ସୁଗାର ସ୍ତର ରଖିବା ଓ କମ୍‌ ଷ୍ଟୋରୋଏଡ ବ୍ୟବହାର କରିବାକୁ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି।

ଆଖି ଲାଲ ପଡ଼ିଲେ, ନାକରୁ କଳା ପାଣି ବାହାରିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ବିଳମ୍ବ କଲେ  ଫୁସ୍‌ଫୁସ, ବ୍ରେନକୁ ସଂକ୍ରମିତ କରିପାରେ।

Comment