ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ କୋଭିସିଲ୍ଡ ଟିକାର ଅଭାବ ଦେଖିବାକୁ ମିଳୁଛି। ଏହି ଟିକାକୁ ନେଇ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ଏହି ଟିକାର ଦୁଇ ଡୋଜ ମଧ୍ୟରେ ୧୨ରୁ ୧୬ ସପ୍ତାହ ଅର୍ଥାତ୍ ୮୪ ଦିନ ବ୍ୟବଧାନ ପାଇଁ ସୁପାରିସ କରିଛି ଏନ୍‌ଟିଏଜିଆଇ (ନାସନାଲ ଟେକ୍ନିକାଲ ଆଡଭାଇଜରୀ ଗ୍ରୁପ ଅଫ୍ ଇମୁନାଇଜେସନ୍‌)। ଏଥିସହ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତି ସୁସ୍ଥ ହେବାର ୬ମାସ ପରେ ଟିକା ନେବାପାଇଁ ମଧ୍ୟ ଏନ୍‌ଟିଏଜିଆଇ ପରାମର୍ଶ ଦେଇଛି।

ପୂର୍ବରୁ ଥରେ କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନକୁ ବୃଦ୍ଧି କରାଯାଇଥିଲା। ଆଗରୁ ୪ରୁ ୬ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଉଥିବାବେଳେ, ଏହି ସମୟ ବ୍ୟବଧାନକୁ ୬ରୁ ୮ ସପ୍ତାହକୁ ବୃଦ୍ଧି କରାଯାଇଥିଲା। ତେବେ ଯେଉଁମାନେ କୋଭାକ୍ସିନ ନେଇଛନ୍ତି ସେମାନଙ୍କ କ୍ଷେତ୍ରରେ କୌଣସି ପରିବର୍ତ୍ତନ କରାଯାଇନାହିଁ।ଗର୍ଭବତୀ ମହିଳା ଓ ପ୍ରସୂତିଙ୍କୁ ମଧ୍ୟ ଟିକା ଦିଆଯାଇପାରିବ ବୋଲି ଏନ୍‌ଇଜିଭିଏ (ନାସନାଲ ଏକ୍ସପର୍ଟ ଗ୍ରୁପ ଅଫ ଭ୍ୟାକ୍ସିନ ଆଡମିନିଷ୍ଟ୍ରେସନ) ସୁପାରିଶ କରିଛି। ପ୍ରସୂତିମାନେ ପ୍ରସବ କରିବାପରେ ଯେକୌଣସି ସମୟରେ ଟିକା ନେଇପାରିବେ ବୋଲି କୁହାଯାଇଛି। ପୂର୍ବରୁ ଜଣେ କରୋନା ସଂକ୍ରମିତ ଭଲ ହେବାର ୩ମାସ ପରେ ଟିକା ନେଇପାରିବେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଥିବାବେଳେ, ଏବେ ସେହି ସମୟକୁ ୬ ମାସ ବୃଦ୍ଧି କରାଯାଇଛି।

Comment