ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନା ମାହାମାରୀର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଛି। କରୋନା ନିୟନ୍ତ୍ରଣ ପାଇଁ ଟିକାକୁ ମୁଖ୍ୟ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି। କିନ୍ତୁ ଆଜିବି ଜନସାଧାରଣଙ୍କ ମନରେ ଟିକାକୁ ନେଇ ଅନେକ ଦ୍ୱନ୍ଦ୍ୱ ରହିଛି। ବିଶେଷକରି କୋଭିସିଲ୍ଡ ଟିକାର ଦୁଇ ଡୋଜ୍ ମଧ୍ୟରେ ବୃଦ୍ଧି କରାଯାଇଥିବା ଅବଧିକୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ।covishield vaccineରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରତିଦିନ କୋଭିଡ୍ ସଚେତନତା ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଶେଷଜ୍ଞମାନେ କରୋନା ସମ୍ବନ୍ଧୀୟ ତଥ୍ୟ ଦେଉଛନ୍ତି। ସେହିପରି ଆଜିର କାର୍ଯ୍ୟକ୍ରମରେ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ଉପସ୍ଥିତ ଥିଲେ।“କୋଭିସିଲ୍ଡର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନ ୬ରୁ ୮ ସପ୍ତାହ ରହିଥିଲା କିନ୍ତୁ ଏବେ ସେହି ବ୍ୟବଧାନକୁ ୧୨ରୁ ୧୬ ସପ୍ତାହ ବଢ଼ାଇ ଦିଆଯାଇଛି। କାରଣ ୬ରୁ ୮ସପ୍ତାହ ବ୍ୟବଧାନ ମଧ୍ୟରେ ମଣିଷ ଶରୀରରେ ମାତ୍ର ୭୦ପ୍ରତିଶତ ରୋଗ ପ୍ରତିରୋଧକ ଶକ୍ତି ତିଆରି ହେଉଥିଲା। କିନ୍ତୁ ଏବେ ବଢ଼ାଇଦେବା ଦ୍ୱାରା ୮୨ ପ୍ରତିଶତରୁ ଅଧିକ ରୋଗ ପ୍ରତିରୋଧକ ଶକ୍ତି ପ୍ରସ୍ତୁତ ହେବ। ଏହା ଆମେ କହୁନାହୁଁ, ଜାତୀୟ ସ୍ତରରେ କରୋନା ପରିଚାଳନା କ୍ଷେତ୍ରରେ କାର୍ଯ୍ୟ କରୁଥିବା ନେକ୍‌ଭାକ୍ ଓ ଏନ୍‌ଟାଗି ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେମାନେ ସମସ୍ତ ପ୍ରକାର ବୈଜ୍ଞାନିକ ତଥ୍ୟକୁ ଆଧାର କରି ଏଭଳି ନିଷ୍ପତ୍ତି ନେଇଛନ୍ତି”, କହିଛନ୍ତି ଡାକ୍ତର ବିଜୟ କୁମାର ପାଣିଗ୍ରାହୀ।

ସେ ଆଉ ମଧ୍ୟ କହିଛନ୍ତି, “କରୋନା ସଙ୍କଟରୁ ରକ୍ଷା ପାଇବା ପାଇଁ ଓଡ଼ିଶାରେ ଦୁଇ ପ୍ରକାରର ଟିକା ଉପଲବ୍ଧ ଅଛି। ଗୋଟିଏ କୋଭିସିଲ୍ଡ ଓ ଅନ୍ୟଟି କୋଭାକ୍ସିନ। ବିଭିନ୍ନ ପର୍ଯ୍ୟାୟରେ ନାଗରିକମାନଙ୍କର ଟିକାକରଣ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା । ଏବେ ୧୮ରୁ ୪୪ବର୍ଷ ପର୍ଯ୍ୟନ୍ତ ବୟସ୍କଙ୍କୁ ଟିକା ଦିଆଯାଉଛି।”vaccinationଜଣେ ବ୍ୟକ୍ତି ପ୍ରଥମ ଡୋଜ୍ ଟିକା ନେବାପରେ କରୋନା ଆକ୍ରାନ୍ତ ହେଉଥିବା ଖବର ଅନେକ ଦେଖିବାକୁ ମିଳୁଛି। ତେଣୁ ସେହି କ୍ଷେତ୍ରରେ ଉକ୍ତ ବ୍ୟକ୍ତି ଜଣଙ୍କ ଦ୍ୱିତୀୟ ଡୋଜ୍ ଟିକା ନେଇପାରିବେ କି ନାହିଁ ସେଭଳି ପ୍ରଶ୍ନ ବାରମ୍ବାର ଶୁଣିବାକୁ ମିଳୁଥିବାବେଳେ, ଆଜି ତାହାର ଉତ୍ତର ରଖିଛନ୍ତି ଡାକ୍ତର ପାଣିଗ୍ରାହୀ।

ସେ କହିଛନ୍ତି, “ଯଦି ପ୍ରଥମ ଡୋଜ୍ ନେବାପରେ କରୋନା ଆକ୍ରାନ୍ତ ହୁଅନ୍ତି, ତେବେ ଦ୍ୱିତୀୟ ଡୋଜ୍ ସଙ୍ଗେସଙ୍ଗେ ନେବେ ନାହିଁ। ସୁସ୍ଥ ହେବାର ୩ମାସ ପରେ ଉକ୍ତ ବ୍ୟକ୍ତି ଦ୍ୱିତୀୟ ଡୋଜ୍ ଟିକା ନେଇପାରିବେ।”

ଏଥିସହ ସମସ୍ତେ କୋଭିଡ୍ ଗାଇଡଲାଇନ୍‌କୁ ମାନନ୍ତୁ। ଜରୁରୀ ନଥିଲେ ବହାରକୁ ବାହାରନ୍ତୁ ନାହିଁ। ମୁହଁରେ ସଠିକ୍ ଭାବରେ ମାସ୍କ ପିନ୍ଧିବା ସହ ହାତକୁ ବାର୍ ବାର୍ ସାବୁନରେ ଧୁଅନ୍ତୁ କିମ୍ବା ସାନିଟାଇଜ୍ କରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ବିଜୟ କୁମାର ପାଣିଗ୍ରାହୀ।

Comment