ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା କାଳରେ ପିପିଇ କିଟ୍ ପିନ୍ଧି କ୍ଲଷ୍ଟର ଟିଏମ୍‌ସିର ଭିତ୍ତିଭୂମି ସ୍ଥିତି ଅନୁଧ୍ୟାନ କଲେ ଛତିଶଗଡ଼ ସୀମାନ୍ତରେ ଥିବା ବୈପାରୀଗୁଡ଼ା ବ୍ଲକ ନୋଡାଲ ଅଧିକାରୀ ଅର୍ଚ୍ଚନା ଦାଶ। ସେଠାରେ ଥିବା କରୋନା ସଂକ୍ରମିତଙ୍କ ସହ କଥାବାର୍ତ୍ତା ହୋଇ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହ କରୋନା ମହାମାରୀକୁ ନ ଡରି, ସାହସର ସହ ସାମ୍ନା କରିବାକୁ କହି, ସେମାନଙ୍କ ମନୋବଳ ବଢ଼ାଇଥିଲେ।ସରକାର ଯୋଗାଉଥିବା ଖାଦ୍ୟ, ଔଷଧ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା କରୋନା ଆକ୍ରାନ୍ତଙ୍କୁ ସଠିକ୍ ଭାବରେ ଦିଆଯାଉଛି କି ନାହିଁ, ସେ ସମ୍ପର୍କରେ ଜାଣିବା ପାଇଁ ନୋଡାଲ ଅଧିକାରୀ ନିଜେ ପିପିଇ କିଟ୍ ପିନ୍ଧି କ୍ଲଷ୍ଟର ଟିଏମ୍‌ସି ପରିଦର୍ଶନରେ ବାହାରିଥିଲେ। ଏହାପରେ ଘରେ ହୋମ ଆଇସୋଲେସନରେ ରହୁଥିବା ଗର୍ଭବତୀ ମହିଳାଙ୍କ ନିକଟକୁ ଯାଇ, ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିଥିଲେ। ଏଥିସହ ବିଏସଏଫ କ୍ୟାମ୍ପରେ ଆଇସୋଲେସନରେ ରହିଥିବା ଯବାନଙ୍କ ସହ ମଧ୍ୟ କଥାବାର୍ତ୍ତା ହୋଇଥିଲେ। ଗସ୍ତ ସମୟରେ ନୋଡାଲ ଅଧିକାରୀଙ୍କ ସହ ବୈପାରୀଗୁଡ଼ା ବିଡିଓ ଅଭିମନ୍ୟୁ କବି ଶତପଥି, ଡାକ୍ତର ପ୍ରତାପ ଚନ୍ଦ୍ର ତ୍ରିପାଠୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।କୋରାପୁଟ ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। କରୋନା ନିୟନ୍ତ୍ରଣ ପାଇଁ ପ୍ରଶାସନ ତରଫରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ନିକଟରେ କୋରାପୁଟର ୧୪ ବ୍ଲକ ଓ ୪ ସହରରେ କରୋନା ସ୍ଥିତି ଅନୁଧ୍ୟାନ କରିବା ପାଇଁ ୧୮ ଜଣ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଦାୟିତ୍ୱ ଦେଇଥିଲେ ଜିଲ୍ଲାପାଳ ଅବଦଲ ଏମ ଅଖତର। ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶକୁ ପାଳନ କରିଛନ୍ତି ନୋଡାଲ ଅଧିକାରୀ ଅର୍ଚ୍ଚନା ଦାଶ।

Comment